ଜୀବନ ବଞ୍ଚାଇବାର ଆଶା ନେଇ ପରିବାର ଲୋକେ ନାବାଳିକାକୁ ହସ୍ପିଟାଲ ଆଣିଥିଲେ ହେଲେ ଝିଅର ମୃତଦେହ ଧରି ଫେରିବାକୁ ପଡ଼ିଲା। ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳା ଯୋଗୁଁ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଗ୍ରାମର ରାମଚନ୍ଦ୍ର ବାଗଙ୍କ ଝିଅ ପଦ୍ମୟ କାନ୍ତୀ ବାଗ (୧୩)ଙ୍କୁ କ୍ରର ହୋଇଥିଲା। ଚିକିତ୍ସା ପାଇଁ ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଦାୟିତ୍ୱରେ ଥିବା ଡାକ୍ତର ଓ ଷ୍ଟାଫ୍ ନର୍ସଙ୍କ ଚିକିତ୍ସାଗତ ଅବହେଳା ଯୋଗୁଁ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି।
ଏହାର ପ୍ରତିବାଦରେ ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ପ୍ରଦାନ ସହ ଦୀର୍ଘବର୍ଷ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟରତ ଡାକ୍ତର ଓ ଷ୍ଟାଫ୍ ନର୍ସଙ୍କୁ ଅନ୍ୟତ୍ର ବଦଳି କରିବା ଦାବିରେ ଧାରଣା ଦିଆଯାଇଥିଲା।
ଏହି ଧାରଣାରେ ଖଡ଼ିଆଳର କଂଗ୍ରେସ ବିଧାୟକ ପ୍ରାର୍ଥୀ କମଳଚରଣ ତାଣ୍ଡି, ପୂର୍ବତନ ସମିତିସଭ୍ୟ ସୌଦାଗର ସାହୁ, ବୋଡ଼େନ ବ୍ଲକ କଂଗ୍ରେସ ସଭାପତି ଭାଗିରଥୀ ଦଣ୍ଡସେନା, ସାହାଯ୍ୟ ସେନାର ସଭାପତି ବେଣୁଧର ଜଗତ, ପ୍ରମୋଦ ନାଗଙ୍କ ସମେତ ଶତାଧିକ ଲୋକ ସାମିଲ ହୋଇଥିଲେ।
ଖବର ପାଇ ଘଟଣାସ୍ଥଳରେ ଖଡ଼ିଆଳ ଏସ୍ଡିପିଓ ଉପେନ୍ଦ୍ର ପ୍ରଧାନ, ବୋଡ଼େନ ତହସିଲଦାର ସରିତା ଗୁପ୍ତା, ଅତିରିକ୍ତ ତହସିଲଦାର ଅନୁସୂୟା ବାଗଦେବୀ, ବୋଡ଼େନ ଥାନା ଅଧିକାରୀ ପ୍ରତିମା ଡୁଙ୍ଗଡ଼ଙ୍ଗ ଏବଂ ସିନାପାଲି ଥାନା ଅଧିକାରୀ ଧର୍ମେନ୍ଦ୍ର ଭୁଏ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ।
ପ୍ରଶାସନର ହସ୍ତକ୍ଷେପ ଓ ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏଥିସହ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି।ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ






