ଆସନ୍ତା ନଭେମ୍ବର ମାସ ୧ ତାରିଖ ଠାରୁ ସାରା ଦେଶରେ ବ୍ୟାଘ୍ର ଗଣନା । ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଅତ୍ୟାଧୁନିକ ପଦ୍ଧତିରେ ହେବ ବ୍ୟାଘ୍ର ଗଣନା । ଏନେଇ ତାଲିମ ନେଉଛନ୍ତି ବନ ବିଭାଗ କର୍ମଚାରୀ । ଅନୁଗୋଳ ବନଖଣ୍ଡରେ ଥିବା ୬ଟି ବନାଞ୍ଚଳରେ ପର୍ଯ୍ୟାୟ କ୍ରମେ ତାଲିମ ଦିଆଯିବ । ଏହି କାର୍ଯ୍ୟକ୍ରମ ଜରପଡା ବନାଞ୍ଚଳରୁ ଆରମ୍ଭ ହୋଇଛି ।ସାରା ଦେଶରେ ପ୍ରତି ୪ବର୍ଷରେ ଥରେ ବାଘ ଗଣନା କାର୍ଯ୍ୟକ୍ରମ କରାଯାଏ । ଚଳିତ ବର୍ଷ ନଭେମ୍ବର ୧ ତାରିଖ ଠାରୁ ଏହି ଗଣନା ଆରମ୍ଭ ହେବ । ବର୍ତ୍ତମାନ ସମୟରେ ବାଘ ଗଣନା କାର୍ଯ୍ୟକ୍ରମ ଅତ୍ୟାଧୁନିକ ପଦ୍ଧତିରେ କରାଯାଉଛି । ଏନେଇ ସମସ୍ତ କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆ ଯାଉଛି ।ପ୍ରତି ବନାଞ୍ଚଳରେ ଥିବା ବିଟ ହାଉସ, ସେକ୍ସନ ଏବଂ ସ୍କ୍ୱାର୍ଡ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ବିଶେଷଜ୍ଞମାନେ ଆସି ତାଲିମ ପ୍ରଦାନ କରୁଛନ୍ତି । ପ୍ରଥମେ କର୍ମଚାରୀମାନଙ୍କୁ ମୋବାଇଲ ଆପ୍ ଜରିଆରେ କିଭଳି ବାଘର ଗତିପଥ, ହାବିଟେଟ, ଜଙ୍ଗଲର ପ୍ରକାର ଏବଂ ତୃଣଭୋଜି ପ୍ରାଣୀମାନଙ୍କ ଅବସ୍ଥିତି ଜାଣିହେବ ସେନେଇ ପ୍ରଶିକ୍ଷଣ ଦିଆ ଯାଉଛି । ଏହାପରେ ଜଙ୍ଗଲ ଭିତରେ ଟ୍ରାଞ୍ଜିଟ ଲାଇନରେ କିଭଳି ପାଦରେ ଚାଲି ଚାଲି ଯିବାକୁ ହେବ । ହରିଣ, କୁଟୁରା, ବାର୍ହା ଭଳି ତୃଣଭୋଜି ପ୍ରାଣୀମାନଙ୍କ ପାଦ ଚିହ୍ନ ଦେଖି ସେମାନଙ୍କ ସଂଖ୍ୟା ଓ ଅବସ୍ଥିତି ଜାଣି ହେବ ସେନେଇ କର୍ମଚାରୀମାନଙ୍କୁ ଶିକ୍ଷା ଦିଆଯାଉଛି । କାରଣ ବାଘ ତୃଣଭୋଜି ପ୍ରାଣୀ ଥିବା ସ୍ଥାନରେ ଶିକାର ପାଇଁ ରୁହନ୍ତି । ଏହାଛଡା କେଉଁଠି ଏବଂ କେତେ ଉଚ୍ଚତାରେ ଟ୍ରାପ କ୍ୟାମେରା ଲଗାଇଲେ ବାଘର ଚିତ୍ର ଉତ୍ତୋଳନ ହୋଇ ପାରିବ, ବାଘ ପାଦ ଚିହ୍ନ ଦେଖିଲେ କିଭଳି ସୁରକ୍ଷିତ ଭାବେ ଏହାର ନମୁନା ସଂଗ୍ରହ କରିବାକୁ ହେବ, ସେ ସମସ୍ତ ପ୍ରଶିକ୍ଷଣ କର୍ମଚାରୀ ମାନଙ୍କୁ ଦିଆଯାଉଛି। ବର୍ତ୍ତମାନ ସମୟରେ ଯେଉଁ ସବୁ ଅତ୍ୟାଧୁନିକ ପଦ୍ଧତି ଅବଲମ୍ବନ କରାଯାଉଛି ସେ ସମ୍ବନ୍ଧରେ ସବିଶେଷ ବିଶେଷଜ୍ଞମାନେ ବୁଝାଉଛନ୍ତି ।ଆସନ୍ତା ନଭେମ୍ବର ୧ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ଜଙ୍ଗଲ ଭିତରେ ବାଘ ଗଣନା କାର୍ଯ୍ୟକ୍ରମ ଚାଲିବ । ସେହି ସମୟସୀମା ଭିତରେ କର୍ମଚାରୀମାନେ ଯାହା ତଥ୍ୟ ସଂଗ୍ରହ କରିବେ, ସେସବୁର ତର୍ଜମା କରାଯିବ । ଏହାପରେ ୨୫ଦିନ ପର୍ଯ୍ୟନ୍ତ କ୍ୟାମେରା ଟ୍ରାପ ଚାଲୁ ରହିବ ।
ନଭେମ୍ବର ୧ରୁ ବାଘ ଗଣନା: ଅତ୍ୟାଧୁନିକ ପ୍ରକ୍ରିୟାରେ ଗଣନା ପାଇଁ ଦିଆଯାଉଛି ତାଲିମ୍






