ଏସିଆ କପ ୨୦୨୫ରେ ଭାରତୀୟ ଦଳର ଜର୍ସିରେ କୌଣସି ପ୍ରାୟୋଜକ ରହିବ ନାହିଁ। ଅନଲାଇନ ଗେମିଂ କମ୍ପାନୀ ଡ୍ରିମ୧୧ ବିସିସିଆଇ ସହିତ ତାର ପ୍ରାୟୋଜକ ଚୁକ୍ତି ସମାପ୍ତ କରିଛି। ଭାରତୀୟ କ୍ରିକେଟ ଦଳ ତାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏସିଆ କପ ପାଇଁ ଟିମ ଇଣ୍ଡିଆର ନୂତନ ଜର୍ସି ଶେୟାର କରିଛି। ଟିମ ଇଣ୍ଡିଆ ସେପ୍ଟେମ୍ବର ୧୦ରେ ୟୁନାଇଟେଡ ଆରବ ଏମିରେଟ୍ସ (UAE) ବିପକ୍ଷରେ ଏସିଆ କପରେ ପ୍ରଥମ ମ୍ୟାଚ ଖେଳିବ। ୮ଟି ଦେଶକୁ ନେଇ ଚଳିତ ସେପ୍ଟେମ୍ବର ୯ରୁ ଟି-୨୦ ଫର୍ମାଟରେ ଉକ୍ତ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।ଜର୍ସିର ରଙ୍ଗ ନୀଳ ହୋଇଥିବାବେଳେ ଦୁଇ ହାତରେ କମଳା ରଙ୍ଗ ରହିଛି । କଲରରେ ତ୍ରିରଙ୍ଗାର ଚିତ୍ର ରହିଛି ।
ସରକାରଙ୍କ ପକ୍ଷରୁ ଅନ୍ଲାଇନ ଗେମିଂ ଉପରେ କଟକଣା ଲଗାଇବା ପରେ ଡ୍ରିମ୍ସ -୧୧ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରାୟୋଜକରୁ ହଟିଯାଇଛି । ଏଥିପାଇଁ ଏବେ ବିସିସିଆଇ ନୂତନ ପ୍ରାୟୋଜକ ଖୋଜିବା ଆରମ୍ଭ କରିଛି ।ଚଳିତ ସପ୍ତାହରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ନୂତନ ପ୍ରାୟୋଜକଙ୍କ ପାଇଁ ଆବେଦନ ଆମନ୍ତ୍ରଣ କରିଥିଲା। ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧୨ ରଖାଯାଇଛି ଏବଂ ବିଡ ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୬। ଏଥର ବିସିସିଆଇ ସତର୍କତାର ସହ ନିଷ୍ପତ୍ତି ନେବାକୁ ଚାହୁଁଛି, ଯାହା ଦ୍ୱାରା ‘ଡ୍ରିମ୧୧’ ଭଳି ପରିସ୍ଥିତି ପୁଣି ଥରେ ସୃଷ୍ଟି ନ ହୁଏ। ନୂତନ ଅନଲାଇନ ଗେମିଂ ବିଲ ପ୍ରଚଳନ ସହିତ, ଭାରତ ସରକାର ଡ୍ରିମ୧୧ ଏବଂ ଅନ୍ୟାନ୍ୟ ଅନଲାଇନ ଗେମିଂ ପ୍ଲାଟଫର୍ମଗୁଡ଼ିକୁ ନିଷିଦ୍ଧ କରିଛନ୍ତି।






