ଏ.କେ ବ୍ୟୁରୋ : ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟ ଡଲାର୍ ତୁଳନାରେ ଏପରି ହ୍ରାସ ପାଇଛି ଯେ ଯେଉଁ ଆମଦାନୀ ପାଇଁ ଭାରତକୁ ଯେତିକି ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିଲା ତାହା ଠାରୁ ଯଥେଷ୍ଟ ଅଧିକ ଅର୍ଥ ଏବେ ଆବଶ୍ୟକ । ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ବିଶ୍ୱବ୍ୟାପୀ ଓ ବିଶେଷ ଭାବରେ ଭାରତରେ ଯେଉଁ ଆର୍ଥିକ ଓ ଶକ୍ତିସଂକଟ ସୃଷ୍ଟି ହୋଇଛି, ତାହା ଦେଶ ପାଇଁ ଯେ ଏକ ବଡ଼ ବିପଦ ହେବାକୁ ଯାଉଛି, ତାହାକୁ ବିଳମ୍ବରେ ହେଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଭବ କରି ଏପରି ଏକ ଆହ୍ୱାନପୂର୍ଣ୍ଣ ସମୟରେ ଦେଶବାସୀଙ୍କୁ କେତେଗୁଡ଼ିଏ ନିବେଦନ କରିଛନ୍ତି ।

ସେଥିରେ ମୁଖ୍ୟତଃ ହେଉଛି ଯେ ଆର୍ଥିକ ସଂକଟ ସହିତ ଭାରତ ପରି ଦେଶ ଯାହାର ପ୍ରାୟ ୬୦ ଭାଗରୁ ଊର୍ଦ୍ଧ୍ୱ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍ ବିଦେଶରୁ ଆମଦାନୀ କରାଯାଉଛି, ତାହାର ଆମଦାନୀ ସଂକଟ ଦେଖାଦେଇଛି । ସବୁଠାରୁ ବଡ଼ କଥା ଯେ, ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟ ଡଲାର୍ ତୁଳନାରେ ଏପରି ହ୍ରାସ ପାଇଛି ଯେ ଯେଉଁ ଆମଦାନୀ ପାଇଁ ଭାରତକୁ ଯେତିକି ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିଲା ତାହା ଠାରୁ ଯଥେଷ୍ଟ ଅଧିକ ଅର୍ଥ ଏବେ ଆବଶ୍ୟକ । ଟଙ୍କାର ବିନିମୟ ମୂଲ୍ୟ କମିବା ସହିତ ଆମଦାନୀ ମୂଲ୍ୟବୃଦ୍ଧି ଯୋଗୁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ସଂକଟ ବଢ଼ିଛି । ସେହି ପରିମାଣରେ ଭାରତରୁ ରପ୍ତାନୀ ହୋଇପାରୁନାହିଁ । ରପ୍ତାନୀ ଓ ଆମଦାନୀ ମଧ୍ୟରେ ତାରତମ୍ୟ ବଢ଼ିବାରେ ଲାଗିଛି । ଭାରତୀୟ ବୈଦେଶୀକ ମୁଦ୍ରାଭଣ୍ଡାରକୁ ବିଦେଶରେ ଥିବା ଭାରତୀୟମାନେ ରେମିଟାନ୍ସ ଜରିଆରେ ସର୍ବାଧିକ ସହାୟତା କରନ୍ତି । ଏଥିମଧ୍ୟରୁ ଅଧିକାଂଶ ଭାଗ ଗଲ୍ଫ ଦେଶମାନଙ୍କରେ କାମ କରୁଥିବା ଭାରତୀୟମାନଙ୍କ ପକ୍ଷରୁ ମିଳେ । କିନ୍ତୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନେକ ଭାରତୀୟ ସ୍ୱଦେଶକୁ ଫେରି ଆସୁଛନ୍ତି । ଯେଉଁମାନେ ଅଛନ୍ତି ସେମାନେ ପ୍ରତି ମୁହୂର୍ତରେ ଦେଶକୁ ଫେରିବା କଥା ଚିନ୍ତା କରୁଛନ୍ତି । ଆମଦାନୀ ଜରିଆରେ ତୈଳ ଚାହିଦା ମେଂଟାଇବାରେ ହର୍ମୁଜରେ ବ୍ଲକେଚ୍ ଯୋଗୁ ସ୍ୱାଭାବିକ ଭାବରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ପରିବହନ ହୋଇପାରୁନାହିଁ ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଗଲ୍ଫ ଦେଶମାନଙ୍କରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଉତ୍ପାଦନ କମିଯାଇଛି । ଭାରତ ସବୁବେଳେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଚାହିଦା ପାଇଁ ଗଲ୍ଫ ଦେଶଗୁଡ଼ିକ ଉପରେ ନିର୍ଭର କରେ । ରୁଷ୍ ବା ଏପରିକି ଆମେରିକାରୁ ତୈଳ ମିଳୁଥିଲେ ମଧ୍ୟ ତାହା ଦେଶର ଚାହିଦା ଅନୁସାରେ ଓ ଠିକ୍ ଦାମରେ ମିଳିବା କଷ୍ଟକର ହୋଇଛି । ସେତେବେଳେ ଦେଶରେ ପେଟ୍ରୋଲ୍, ଡିଜେଲ୍ ଓ ପ୍ରାକୃତିକ ଗ୍ୟାସ୍ର ଚାହିଦା ମେଂଟାଇବା ସରକାରଙ୍କ ପାଇଁ ଆହ୍ୱାନ ହୋଇଛି । ଟଙ୍କାର ମୂଲ୍ୟ ଡଲାର୍ ତୁଳନାରେ କ୍ରମାଗତ ହ୍ରାସ, ତୈଳ ଦର ବୃଦ୍ଧି ଏହି ସମସ୍ୟାକୁ ବଢ଼ାଇଥିବା ସମୟରେ ଖାଇବା ତେଲ ଓ ରାସାୟନିକ ସାରକୁ ମଧ୍ୟ ଭାରତକୁ ବିଦେଶରୁ ଆମଦାନୀ କରବାକୁ ପଡୁଛି । ଏହି ସମୟରେ ଲୋକମାନଙ୍କର ସୁନା କିଣା ପ୍ରତି ଆଗ୍ରହ ବୈଦେଶିକ ମୁଦ୍ରାଭଣ୍ଡାର ଉପରେ ଆହୁରି ଚାପ ସୃଷ୍ଟି କରୁଛି । କାରଣ ଭାରତ ଏହାର ପ୍ରାୟ ସମସ୍ତ ସୁନା ଚାହିଦା ବିଦେଶରୁ ଆମଦାନୀ କରି ହିଁ ପୂରଣ କରେ । ତେଣୁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନିବେଦନ ହେଲା ଯେ, ପ୍ରତ୍ୟେକ ନାଗରିକ ଦେଶପ୍ରେମ ପ୍ରତି ଅଙ୍ଗୀକାର ହୋଇ ପେଟ୍ରୋଲ୍ ଓ ଡିଜେଲ୍ ବ୍ୟବହାର କମାନ୍ତୁ । ଏପରିକି ଯେଉଁ କ୍ଷେତ୍ରରେ ଘରେ ବସି କାମ କରିହେବ ସେହି କ୍ଷେତ୍ରରେ ପେଟ୍ରୋଲ୍ ଖର୍ଚ୍ଚ କରି ଅଫିସକୁ ଯାଆନ୍ତୁ ନାହିଁ । ସୌଖିନରେ ନିଜ ଗାଡ଼ିରେ ବୁଲାବୁଲି କରନ୍ତୁ ନାହିଁ । ଯଥାସମ୍ଭବ ସରକାରୀ ପରିବହନ ବ୍ୟବସ୍ଥା ଯଥା ବସ୍ ଓ ମେଟ୍ରୋରେ ଯାତାୟତ କରନ୍ତୁ । ଏପରିକି ଚାଷୀମାନେ ରାସାୟନିକ ସାର ଉପରେ ନିର୍ଭରଶୀଳତା ଛାଡ଼ିଚ ଜୈବିକ ପ୍ରଣାଳୀରେ ଚାଷ ପ୍ରତି ଧ୍ୟାନ ଦିଅନ୍ତୁ । କାରଣ ରାସାୟନିକ ସାର ଚାଷୀମାନଙ୍କ ଚାହିଦା ଅନୁସାରେ ସରକାର ଯୋଗାଇବା କଷ୍ଟକର । ସାରର ଆନ୍ତର୍ଜାତୀକ ବଜାରରେ ଦାମ୍ ବଢୁଥିବାରୁ ସରକାରଙ୍କୁ ସବସିଡି ଦେଇ ଖୁବ୍ କମ୍ ଦାମ୍ରେ ସାର ଯୋଗାଇବା କଷ୍ଟକର ହେଉଛି । ତେଣୁ ପ୍ରଧାନମନ୍ତ୍ରୀ ଚାଷୀମାନଙ୍କୁ ସାର କମାଇବା ପାଇଁ କହିବା ସହିତ ଖାଇବା ତେଲ ମଧ୍ୟ କମାଇବାକୁ ପରାମର୍ଶ ଦେଇଛନ୍ତି । କାରଣ ଏ ଦିଗରେ ମଧ୍ୟ ଭାରତ ବଡ଼ ପରିମାଣର ବିଦେଶୀ ମୁଦ୍ରାରେ ତେଲ ଆମଦାନୀ କରୁଛି । ସାଧାରଣ ଲୋକମାନେ ସୁନା ନକିଣିବା ପାଇଁ ଏପରିକି ବାହାଘର ବ୍ରତରେ ମଧ୍ୟ ସୁନାଗହଣା ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଛନ୍ତି ।
ମୋଟାମୋଟି ଭାବରେ ପ୍ରଧାନମନ୍ତ୍ରୀଙ୍କର ବକ୍ତବ୍ୟର ମୂଳକଥା ହେଲା ଯେ, ଦେଶରେ ବୈଦେଶିକ ମୁଦ୍ରା କ୍ଷେତ୍ରରେ ଏକ ସଂକଟ ସ୍ଥିତି ଦେଖାଦେଇଛି। ଆବଶ୍ୟକ ବୈଦେଶିକ ମୁଦ୍ରା ଚାହିଦା ଯେଉଁ ଅନୁସାରେ ହେଉଛି ସେହି ଅନୁସାରେ ଦେଶରେ ରପ୍ତାନୀ ଯୋଗୁ ବୈଦେଶିକ ମୁଦ୍ରା ଆସିପାରୁନାହିଁ । ଭାରତର ଚଳନ୍ତି ଖାତାରେ ନିଅଣ୍ଟ ବଢୁଛି । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ହିସାବ ଅନୁସାରେ ଭାରତରେ ଚଳନ୍ତି ଖାତାରେ ନିଅଂଟ ମୋଟ ଜାତୀୟ ଉତ୍ପାଦନର ଶତକଡ଼ା ୨ଭାଗ ହୋଇଛି । କିନ୍ତୁ ଅସଲକଥା ହେଉଛି ଯେ, ଭାରତୀୟ ମୁଦ୍ରାର କ୍ରମାଗତ ମୂଲ୍ୟହ୍ରାସ । ଏହି ଅବସ୍ଥା ଯୋଗୁ ଅନେକ ବିଦେଶୀ ପୁଞ୍ଜି ବିନିଯୋଗକାରୀ ଭାରତୀୟ ସେୟାର ମାର୍କେଟରୁ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି । ଗତବର୍ଷ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ସିଧାସଳଖ ବିଦେଶୀ ପୁଞ୍ଜି ଭାରତୀୟ ବଜାରରୁ ପ୍ରତ୍ୟାହୃତ ହୋଇଛି । ଏପରିକି ଚଳିତ ମାସର ପ୍ରଥମ ୧୦ଦିନରେ ପ୍ରାୟ ୧୫ହଜାର କୋଟି ଟଙ୍କାର ବିଦେଶୀ ପୁଞ୍ଜି ଭାରତୀୟ ବଜାରରୁ ହଟିଯାଇଛି । ତେଣୁ ପ୍ରଧାନମନ୍ତ୍ରୀ ଦେଶ ଆଗରେ ଦେଖାଦେଇଥିବା ସଂକଟ ସମୟରେ ଯଥାସଦ୍ୟ ବିଦେଶୀ ମୁଦ୍ରା ଉପରେ ଚାପ କମାଇବା ପାଇଁ ନିବେଦନ କରିଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଯଦିଓ କହିଛନ୍ତି ଯେ, ବିଦେଶରେ ଯେଉଁମାନେ ବାହାଘର କରିବା ପାଇଁ ଚାଲିଯାଇ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି, ତାହା ସେମାନେ କରନ୍ତୁ ନାହିଁ । ଏପରିକି ଗୋଟିଏ ବର୍ଷ ପାଇଁ ବିଦେଶରେ ପର୍ଯ୍ୟଟନ ଅପେକ୍ଷା ଦେଶ ଭିତରେ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ଉଚିତ୍ । କିନ୍ତୁ ଭାରତରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଛାତ୍ରଛାତ୍ରୀ ବିଦେଶୀ ବିଶ୍ୱବିଦ୍ୟାଳୟମାନଙ୍କରେ ପାଠ ପଢ଼ିବାକୁ ଯାଇ ଯେଉଁ କୋଟି କୋଟି ଡଲାର୍ର ଅର୍ଥ ଖର୍ଚ୍ଚ କରୁଛନ୍ତି ସେ ସମ୍ପର୍କରେ କିଛି ମନ୍ତବ୍ୟ ଦେଇନାହାନ୍ତି । ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ଆନ୍ତର୍ଜାତିକ ଷ୍ଟାଣ୍ଡାର୍ଡର ସମକକ୍ଷ ବୋଲି କହିବା ପାଇଁ ପ୍ରଧାନମନ୍ତ୍ରୀ ସାହାସ କରିନାହାନ୍ତି । ତେଣୁ ଯେଉଁସବୁ କ୍ଷେତ୍ରରେ ଯଥା ପେଟ୍ରୋଲ, ଡିଜେଲ, ସାର, ସୁନା ଓ ବିଦେଶରେ ବୁଲିବା ଉପରେ ସେ ନିୟନ୍ତ୍ରଣ ପାଇଁ ନିବେଦନ କରିଛନ୍ତି ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଦେଶର ଆର୍ଥିକ ସ୍ଥିତି ନିଶ୍ଚିତ ଭାବରେ ଭଲ ନାହିଁ । ନିର୍ବାଚନ ସରିଯାଇଥିବାରୁ ପେଟ୍ରୋଲ୍, ଡିଜେଲ ସହିତ ରନ୍ଧନ ଗ୍ୟାସ୍ର ମୂଲ୍ୟବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି । କାରଣ ପେଟ୍ରୋଲିୟମ୍ ମନ୍ତ୍ରୀ କହିସାରିଲେଣି ଯେ, ଭାରତର ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ଏବେ ପ୍ରତିମାସରେ ୩୦ହଜାର କୋଟି ଟଙ୍କା କ୍ଷତି କରୁଛନ୍ତି । ଯଦିଓ କେନ୍ଦ୍ର ସରକାର ପେଟ୍ରୋଲ କମ୍ପାନୀମାନଙ୍କ ଉପରେ ବୋଝ କମାଇବା ପାଇଁ ଅବକାରୀ ଶୁଳ୍କ ହ୍ରାସ କରିଛନ୍ତି । ଅବଶ୍ୟ ଯେତେବେଳେ ଆନ୍ତର୍ଜାତୀକ ବଜାରରେ ତେଲ ଦର ଅତ୍ୟନ୍ତ ଶସ୍ତା ଥିଲା ସେହି ସମୟରେ ଖାଉଟିମାନଙ୍କୁ ତାହାର ସୁବିଧା ଦିଆନଯାଇ ସରକାର ଅବକାରୀ ଶୁଳ୍କ ବଢାଇ ଯଥେଷ୍ଟ ଆୟବୃଦ୍ଧି କରିଥିଲେ । ଅଏଲ୍ ମାର୍କେଟିଂ କମ୍ପାନୀଗୁଡ଼ିକ ସେତେବେଳେ ପ୍ରଚୁର ଲାଭ ବି ନେଇଛନ୍ତି । କିନ୍ତୁ ବର୍ତମାନ ପରିସ୍ଥିତିରେ ପୁଣିଥରେ ପେଟ୍ରୋଲ୍ ଓ ଡିଜେଲ୍ ପ୍ରଭୃତିର ମୂଲ୍ୟ ବଢ଼ିବ । ଫଳରେ ସାମୂହିକ ଭାବରେ ମୁଦ୍ରାସ୍ପୀତି ଉପରେ ଏହାର ପ୍ରଭାବ ପଡ଼ିବ । ଯେଉଁସବୁ ପଦାର୍ଥ ବିଦେଶରୁ ଆମଦାନୀ କରାଯାଉଛି ସେଥିରେ ଟଙ୍କାର ମୂଲ୍ୟହ୍ରାସ ଯୋଗୁ ସେହିସବୁ ପଦାର୍ଥର ଦାମ୍ ବଢ଼ିବ । ଖାଇବା ତେଲ କ୍ଷେତ୍ରରେ ତାହା ପ୍ରତିଫଳିତ ହୋଇସାରିଲାଣି ।
ନିର୍ବାଚନ ୫ଟି ରାଜ୍ୟରେ ଚାଲିଥିବା ସମୟରେ ଆର୍ଥିକ ସଂକଟ ଭୟଙ୍କର ଥିଲେ ମଧ୍ୟ ତାହା ଦେଶବାସୀଙ୍କୁ ସେତେବେଳେ କୁହାଗଲା ନାହିଁ । ସେତେବେଳେ ସବୁ ରାଜନୈତିକ ଦଳ ବଡ଼ ବଡ଼ ରାଲିରେ ବିପୁଳ ସଂଖ୍ୟାର ଗାଡ଼ିମୋଟର ବ୍ୟବହାର କରି ଶକ୍ତିକ୍ଷେତ୍ର ଉପରେ ଚାପ ସୃଷ୍ଟି କରିଛନ୍ତି । ପ୍ରଧାନମନ୍ତ୍ରୀ ସେତେବେଳେ ଯଦି ଦେଶବାସୀଙ୍କୁ ଏହି ସଂକଟ ବିଷୟରେ ସୂଚନା ଦେଇ ନିଜର ସଭା ସହିତ ଅନ୍ୟ ଦଳଗୁଡ଼ିକର ସଭାସମିତିକୁ ସଂକୁଚିତ କରିବା ପାଇଁ ନିର୍ବାଚନ କମିଶନକୁ ଅନୁରୋଧ କରିଥାନ୍ତେ ତେବେ ତାହା ଲୋକମାନଙ୍କ ନିକଟରେ ଆର୍ଥିକ ଅବସ୍ଥା ନେଇ ଭଲ ବାର୍ତା ପ୍ରଦାନ କରିଥାନ୍ତା । ଏବେ ପ୍ରଧାନମନ୍ତ୍ରୀ ଯେତେବେଳେ ଗାଡ଼ିମୋଟର ବ୍ୟବହାର ନକରିବା ପାଇଁ ଓ ଦେଶର ଅର୍ଥନୀତି ଉପରେ ଚାପ ସୃଷ୍ଟି ନକରିବା ପାଇଁ ପରାମର୍ଶ ଦେଉଛନ୍ତି, ସେ କ୍ଷେତ୍ରରେ ଦେଶର ନେତୃମଣ୍ଡଳୀ ଆଦର୍ଶ ସୃଷ୍ଟି କରିବା ପରି କାର୍ଯ୍ୟ କରିବା ଉଚିତ୍ । ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ମିତବ୍ୟୟତା ଓ ସଞ୍ଜମତାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଉଥିଲା । ଖୋଦ୍ ମହାତ୍ମା ଗାନ୍ଧୀ ଏ କ୍ଷେତ୍ରରେ ଆଦର୍ଶ ସୃଷ୍ଟିକାରୀ ଭୂମିକା ନେଇଥିବାରୁ ସମୁଦାୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଏହି ମୂଲ୍ୟବୋଧର ପ୍ରଭାବ ଥିଲା । ଧୀରେ ଧୀରେ ଦେଶର ପ୍ରଗତି ସହିତ ଏହି ବ୍ୟବସ୍ଥାର ସମ୍ପୂର୍ଣ୍ଣ ପରିବର୍ତନ ଘଟିଛି । ଭୋଗବାଦକୁ ଅର୍ଥନୀତିରେ ପ୍ରାଧାନ୍ୟତା ଦିଆଯାଇଛି । ରାଜନୀତି ଓ ପ୍ରଶାସନରେ ଥିବା ଅଧିକାରୀମାନେ ସରକାରୀ ସମ୍ବଳକୁ ଅପବ୍ୟବହାର କରି ବ୍ୟକ୍ତିଗତ ସୌଖିନ କରିବା ଓ ସମ୍ପତି ବୃଦ୍ଧି କରିବାକୁ ସେମାନଙ୍କ ଆଦର୍ଶ ଭାବରେ ଗ୍ରହଣ କରିନେଇଛନ୍ତି । ତେଣୁ ଏହିପରି ଲୋକମାନଙ୍କୁ ପୁଣି ମିତବ୍ୟୟତା ଓ ସଞ୍ଜମତା ପାଇଁ ହୁଏତ ସହଜରେ ନିବେଦନ କରାଯାଇପାରିବ ନାହିଁ ବୋଲି ଧରିନିଆଯାଇ ସାଧାରଣ ନାଗରିକ ଦେଶପ୍ରେମ ପାଇଁ ସଞ୍ଜମତା ଓ ମିତବ୍ୟୟତା ଅବଲମ୍ବନ କରନ୍ତୁ ବୋଲି କୁହାଯାଉଛି । କିନ୍ତୁ ବାସ୍ତବରେ ଏହା ଏକ ରାଜନୈତିକ,ସାମାଜିକ ଓ ଆର୍ଥିକ ସଂସ୍କୃତିର ଅଂଶବିଶେଷ ହେବା ଉଚିତ୍ । ବାସ୍ତବିକ ଭୋଗବାଦର ପ୍ରଭାବ ବୃଦ୍ଧି ଯୋଗୁ ପ୍ରାକୃତିକ ପରିବେଶ କ୍ରମାଗତ ଭାବରେ ନଷ୍ଟ ହେବାରେ ଚାଲିଛି । ସାରାବିଶ୍ୱ ପାଇଁ ଜଳବାୟୁ ପରିବର୍ତନ ଏକ ବଡ଼ ପ୍ରସଙ୍ଗ ହୋଇଥିଲେ ମଧ୍ୟ ଭାରତରେ ବିକାଶ ନାମରେ ଜଙ୍ଗଲ, ପାହାଡ଼, ନଦୀ, ଝରଣା ଓ ଜମି ସବୁ ନଷ୍ଟ କରାଯାଉଛି । ଅବଶ୍ୟ ପ୍ରଧାନମନ୍ତ୍ରୀ ଏବେ ଦେଶ ନିକଟରେ ବୈଦେଶିକ ମୁଦ୍ରା ଜନିତ ସଂକଟ ସହିତ ଟଙ୍କାର ମୂଲ୍ୟ ହ୍ରାସ ପରିସ୍ଥିତିକୁ ଦେଖି କେଉଁ କେଉଁ କ୍ଷେତ୍ରରେ ସଞ୍ଜମତା ବର୍ଷକ ପାଇଁ ଅର୍ଜନ କଲେ ପରିସ୍ଥିତି ବଦଳିବ ବୋଲି ଭାବିଛନ୍ତି ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । କିନ୍ତୁ ବର୍ଷକ ପରେ ପୁଣି ସେହି ପୁରୁଣା ସ୍ଥିତି ଫେରିଆସିବ । କିନ୍ତୁ ମିତବ୍ୟୟତା ଓ ସଞ୍ଜମତା ସହିତ ଭୋଗବାଦ ଦୁନିଆର କି ପ୍ରକାର ସଂଶୋଧନ ଏକ ଆଧୁନିକ ଯୁଗରେ ଆବଶ୍ୟକ ସେ ସମ୍ପର୍କରେ ଚିନ୍ତା କରାଯିବା ଉଚିତ୍ । କାରଣ ଦେଶର ଆର୍ଥିକ ସଂକଟ କ୍ଷଣସ୍ଥାୟୀ ବୋଲି ଭାବିବା ଭୁଲ୍ ହେବ ।






