ରାଜଧାନୀରେ ଲଜ୍ଜା । ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ତେବେ ପୀଡ଼ିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ପୁଲିସ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଅଶୋକ ନଗର ରାସ୍ତା କଡ଼ରୁ ଜଣେ ନାବାଳିକାଙ୍କୁ ମୁର୍ମୃର୍ଷ ଅବସ୍ଥାରେ ପଡିଥିଲେ । କିଛି ଲୋକ ମାନସିକ ବିକୃତ ଭାବି ଅଣଦେଖା କରିଥିଲେ । ରାତି ଯେତେବେଳେ ବଢିଥିଲା ନାବାଳିକା ଯନ୍ତ୍ରଣାରେ ଅଧିକ ଛଟପଟ ହେଉଥିଲେ। କିଛି ଅଟୋ ଚାଳକ ଘଟଣାସ୍ଥଳକୁ ଯାଇ ନାବାଳିକାଙ୍କ ଅବସ୍ଥା ଦେଖି ପୋଲିସକୁ ଖବର ଦେଇଥିଲେ। ନାବାଳିକାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଦେଖିବାକୁ ମିଳିଥିଲା। ଏପିରିକି ସେ ପିନ୍ଧିଥିବା ପୋଷାକ ମଧ୍ୟ ଚିରି ଯାଇଥିଲା । ଘଟଣା ସଂପର୍କରେ ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାରୁ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସା ସମୟରେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଡାକ୍ତର ଜାଣିବାକୁ ପାଇଛନ୍ତି । ନାବାଳିକା ଜଣଙ୍କ କିଛି କହି ପାରୁନଥିଲେ । ପରବର୍ତ୍ତୀ ସମୟରେ ଚିକିତ୍ସା ପରେ ନାବାଳିକା ଜଣଙ୍କ ତାଙ୍କ ଘର ବିହାର ବୋଲି କହିଥିଲେ । ପ୍ରତିଦିନ କେଉଁଠୁ ନା କେଉଁଠୁ ଦୁଷ୍କର୍ମ ଓ ନିର୍ଯାତନା ଘଟଣା ସାମ୍ନାକୁ ଆସୁଛି । ପୁଲିସ ଛାଉଣିରେ ରାଜଧାନୀ ଭୁବନେଶ୍ୱର ରହୁଥିଲେ ବି ଏଭଳି ଘଟଣା ଘଟିଚାଲିଛି ।
ରାଜଧାନୀରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ






