ବଅଁରପାଳ: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ସାମ୍ବାଦିକମାନେ ସମାଜର ବିଭିନ୍ନ ସମସ୍ୟା, ଅନ୍ୟାୟ ଓ ପ୍ରଶାସନିକ ଅବ୍ୟବସ୍ଥାକୁ ଲୋକ ଲୋଚନକୁ ଆଣିବା ସହ ଜନ ସାଧାରଣଙ୍କ ସ୍ୱରକୁ ପ୍ରଶାସନ ନିକଟରେ ପହଞ୍ଚାଇଥାନ୍ତି। କିନ୍ତୁ ସାମ୍ବାଦିକଙ୍କ ପ୍ରତି ଜଣେ ପୋଲିସ ଅଧିକାରୀଙ୍କ ଅସମ୍ମାନଜନକ ବ୍ୟବହାର ନେଇ ଅଭିଯୋଗ ଉଠିବା ଚିନ୍ତାର ବିଷୟ ପାଲଟିଛି।
ବଅଁରପାଳ ଥାନାରେ କାର୍ଯ୍ୟରତ ଏସ୍ଆଇ ମନୋଜ ମିଶ୍ରଙ୍କ ବ୍ୟବହାରକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ଅଭିଯୋଗ ହୋଇଛି। ସାମ୍ବାଦିକ ମାନେ କାହାରି ପ୍ରତିପକ୍ଷ ନୁହନ୍ତି, ବରଂ ସେମାନେ ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗକୁ ଗଣମାଧ୍ୟମ ଜରିଆରେ ପ୍ରଶାସନ ନିକଟରେ ପହଞ୍ଚାଇଥାନ୍ତି। ତେଣୁ ସେମାନଙ୍କ ସହ ସମ୍ମାନଜନକ ଓ ଶାଳୀନ ବ୍ୟବହାର କରିବା ପୋଲିସ ପ୍ରଶାସନର ଦାୟିତ୍ୱ।
ଏହି ଘଟଣାକୁ ନେଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସାମ୍ନାକୁ ଆସୁଛି। ସ୍ଥାନୀୟ ମହଲରେ ଆଲୋଚନା ହେଉଛି ଯେ, ଏସ୍ଆଇ ମନୋଜ ମିଶ୍ରଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଅଭିଯୋଗ ଉଠିଥିବା କୁହାଯାଉଛି। ଯଦି ଏଭଳି ଅଭିଯୋଗ ରହିଛି, ତେବେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସେଗୁଡ଼ିକର ତଦନ୍ତ କରାଯାଇଛି କି ଯଦି ତଦନ୍ତ ହୋଇଛି, ତେବେ ତାହାର ଫଳାଫଳ କ’ଣ ଏହି ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ, ଜଣେ ପୋଲିସ ଅଧିକାରୀ ଗୋଟିଏ ଥାନାରେ ତିନି ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିବା ପରେ ମଧ୍ୟ ବଅଁରପାଳ ଥାନାରୁ ତାଙ୍କର ବଦଳି କାହିଁକି ହୋଇନାହିଁ, ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ସରକାରୀ ବଦଳି ନୀତି ଓ ନିୟମ ଅନୁଯାୟୀ ଏହି ମାମଲାରେ କେଉଁ ବ୍ୟବସ୍ଥା ଲାଗୁ ହେଉଛି, ତାହା ଜିଲ୍ଲା ପୋଲିସ ପ୍ରଶାସନ ସ୍ପଷ୍ଟ କରିବା ଆବଶ୍ୟକ।
ଏଥିସହ ଜିଲ୍ଲା ପୋଲିସ କାର୍ଯ୍ୟାଳୟର କେତେକ ଅଧିକାରୀଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିବା ନେଇ ମଧ୍ୟ ସ୍ଥାନୀୟ ମହଲରେ ଚର୍ଚ୍ଚା ଶୁଣିବାକୁ ମିଳୁଛି। ତେବେ ଏହି ଚର୍ଚ୍ଚାର ସତ୍ୟତା କେତେ, ତାହା ତଦନ୍ତସାପେକ୍ଷ। ଏଭଳି ଆଲୋଚନା ଓ ସନ୍ଦେହ ଦୂର କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନର ସ୍ପଷ୍ଟୀକରଣ ଜରୁରୀ। ଏଠାରେ ପ୍ରଶ୍ନ ଉଠୁଛି ସତ୍ୟ ଓ ନିରପେକ୍ଷ ଖବର ପ୍ରକାଶ କରିବା କ’ଣ ସାମ୍ବାଦିକଙ୍କ ଅପରାଧ ? ପୋଲିସ ଓ ସାମ୍ବାଦିକଙ୍କ ମଧ୍ୟରେ ସମନ୍ୱୟ ଓ ପାରସ୍ପରିକ ସମ୍ମାନ ରହିବା ପରିବର୍ତ୍ତେ ଏଭଳି ଅସହ ଯୋଗପୂର୍ଣ୍ଣ ଆଚରଣ କାହିଁକି ?
ତେଣୁ ଏସ୍ଆଇ ମନୋଜ ମିଶ୍ରଙ୍କ ବିରୋଧରେ ଉଠିଥିବା ଅଭିଯୋଗ, ତାଙ୍କର କାର୍ଯ୍ୟକାଳ ଓ ବଦଳି ସମ୍ପର୍କିତ ନିୟମାବଳୀ ଏବଂ ଅନ୍ୟାନ୍ୟ ଚର୍ଚ୍ଚାର ନିରପେକ୍ଷ ତଦନ୍ତ କରି ପ୍ରକୃତ ସତ୍ୟ ସାମ୍ନାକୁ ଆଣିବାକୁ ଜିଲ୍ଲା ପୋଲିସ ପ୍ରଶାସନ ନିକଟରେ ଦାବି ହେଉଛି। ଏଥିସହ ସମ୍ପୃକ୍ତ ଅଧିକାରୀଙ୍କ ପକ୍ଷ ମଧ୍ୟ ଜାଣିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି!
ସାମ୍ବାଦିକଙ୍କ ପ୍ରତି ଅସମ୍ମାନଜନକ ବ୍ୟବହାର ଅଭିଯୋଗ !






