ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୀନ ଗସ୍ତ ବେଶ୍ ସ୍ଵତନ୍ତ୍ର ରହଥିଲା। ସାଂଘାଇ ସମନ୍ବୟ ସଂଗଠନ(ଏସସିଓ) ସମ୍ମିଳନୀରେ ଯୋଗଦେବାକୁ ମୋଦୀ ଚୀନ ଯାଇଥିଲେ। କିନ୍ତୁ ଅନେକ କ୍ଷେତ୍ରରେ ତାଙ୍କର ଏହି ଯାତ୍ରା ଐତିହାସିକ ପାଲଟିଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ନିଜ ପ୍ରିୟ ବନ୍ଧୁ ଭ୍ଲାଦିମିର ପୁଟିନଙ୍କୁ ବି ଭେଟିଥିଲେ। ଦୁଇ ନେତାଙ୍କ ବନ୍ଧୁତା ଏବଂ ଆଲୋଚନା ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନ୍ କାର୍ରେ ୪୫ ମିନିଟ୍ ପାଇଁ କଥାବାର୍ତ୍ତା କରିଥିଲେ, ଯାହାର ଫଟୋ ପ୍ରଧାନମନ୍ତ୍ରୀ ମୋଦି ନିଜେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେୟାର କରିଛନ୍ତି।ରାଷ୍ଟ୍ରପତି ପୁଟିନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବିଷୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ତିଆନଜିନରେ SCO ସମୟରେ ରାଷ୍ଟ୍ରପତି ପୁଟିନ୍ଙ୍କ ସହ ସାକ୍ଷାତ ବହୁତ ଭଲ ଥିଲା। ଆମେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ବାଣିଜ୍ୟ, ସାର, ମହାକାଶ, ସୁରକ୍ଷା ଏବଂ ସଂସ୍କୃତି ବିଷୟରେ ଆଲୋଚନା କରିଥିଲୁ। ଆମେ ୟୁକ୍ରେନରେ ଶାନ୍ତି ପୁନଃସ୍ଥାପନ କରିବା ସମେତ ଅନେକ ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲୁ। ବିଶ୍ୱ ସ୍ଥିରତାରେ ଦୁଇ ଦେଶର ସୱତନ୍ତ୍ର ଏବଂ ରଣନୈତିକ ସହଭାଗୀତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।ସମ୍ମିଳନୀ ସ୍ଥଳରେ ବି ମୋଦୀ-ପୁଟିନଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ସେମାନଙ୍କ ସହିତ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବି ଉପସ୍ଥିତ ରହିଥିଲେ। ବିଶ୍ଵର ୩ ଶକ୍ତିଶାଳୀ ରାଷ୍ଟ୍ରର ନେତା ଏକାଠି ଆଲୋଚନା କରିଥିଲେ, ଯାହାର ଦୃଶ୍ୟ ବେଶ୍ ରୋଚକ ଥିଲା।
୪୫ ମିନିଟ୍ ଧରି କଥାବାର୍ତ୍ତା ହେଲେ ମୋଦି-ପୁଟିନ୍






