ଏ.କେ ବ୍ୟୁରୋ : ଜୀବନର ସବୁଠାରୁ କଷ୍ଟଦାୟକ କଟୁ ସତ୍ୟ ହେଉଛି ମୃତ୍ୟୁ । ଯେତେବେଳେ ଜଣେ ପ୍ରିୟ ମଣିଷ ଦୁନିଆ ଛାଡ଼ି ଚାଲିଯାଆନ୍ତି ସେତେବେଳେ କେବଳ ସ୍ମୃତିକୁ ଛାଡ଼ି ଯାଆନ୍ତି ନାହିଁ ବରଂ ଅନେକ ପ୍ରଶ୍ନ ମଧ୍ୟ ଛାଡ଼ି ଯାଇଥାଆନ୍ତି । ମୃତ ବ୍ୟକ୍ତିଙ୍କ ପୋଷାକ, ଗହଣା, ବିଛଣା ଏବଂ ତାଙ୍କର ଅନ୍ୟାନ୍ୟ ଜିନିଷ ରଖିବା ଉଚିତ୍ କି ଅନୁଚିତ୍ ବୋଲି ପ୍ରଶ୍ନ ବେଳେବେଳେ ମନରେ ଉଙ୍କି ମାରିଥାଏ । ଏହି ପ୍ରଶ୍ନ କେବଳ ପରମ୍ପରା ନୁହେଁ କି ଆସ୍ଥା ନୁହେଁ ବରଂ ମନୋବିଜ୍ଞାନ ଏବଂ ଭାବନା ସହିତ ଜଡ଼ିତ । କିଛି ଲୋକ ଏହାକୁ ଅନ୍ଧବିଶ୍ବାସ କହୁଥିବାବେଳେ ଆଉ କିଛି ଲୋକ ଏହାକୁ ଶାନ୍ତି ଏବଂ ସନ୍ତୁଳନ ସହିତ ଜଡ଼ିତ କରନ୍ତି । ଏପରି ଅନେକ କିଛି ପ୍ରଶ୍ନର ଉତ୍ତର ଗରୁଡ଼ ପୁରାଣର ପ୍ରତ୍ୟେକଟି ପୃଷ୍ଠାରେ ରହିଛି ।

ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ କେବଳ ଶରୀରର ଶେଷ ନୁହେଁ । ବରଂ ଆତ୍ମା ପାଇଁ ଏକ ନୂତନ ଯାତ୍ରାର ଆରମ୍ଭ । ମୃତ୍ୟୁ ପରେ ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ମୋହ ତୁଟି ନଥାଏ ବୋଲି ଶାସ୍ତ୍ର ରେ କୁହାଯାଇଛି । ମୃତ ବ୍ୟକ୍ତିଙ୍କ ଜିନିଷ ସହିତ ସମ୍ପର୍କୀୟଙ୍କ ଭାବନା ଯୋଡ଼ି ହୋଇ ରହିଥାଏ । ମୃତ ବ୍ୟକ୍ତିଙ୍କ ଜିନିଷକୁ ସନ୍ତୁଳନ କରି ରଖିବା ଜରୁରୀ ବୋଲି ଶାସ୍ତ୍ର ପରାମର୍ଶ ଦିଏ । ଡର ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ନୁହେଁ ବରଂ ଆତ୍ମା ଓ ପରିବାର ଉଭୟଙ୍କ ମନରେ ଶାନ୍ତି ପ୍ରଦାନ କରିବା ।
ମୃତ ବ୍ୟକ୍ତିଙ୍କ ପୋଷାକ ସବୁଠାରୁ ଗଭୀର ଭାବପ୍ରବଣ ସମ୍ପର୍କ ରଖେ । ଗରୁଡ଼ ପୁରାଣ ଅନୁସାରେ, ପୋଷାକକୁ ଅଧିକ ଦିନ ପାଇଁ ସଂରକ୍ଷଣ କରିବା ଉଚିତ ନୁହେଁ । ସେଗୁଡ଼ିକୁ ସମ୍ମାନର ସହିତ ଦାନ କରାଯିବା ଉଚିତ । ଏହା କେବଳ ଏକ ପରମ୍ପରା ନୁହେଁ ବରଂ ଏକ ମାନସିକ ପ୍ରକ୍ରିୟା ଯାହା ଜଣେ ବ୍ୟକ୍ତିଙ୍କୁ ଧୀରେ ଧୀରେ ତାଙ୍କର ଦୁଃଖ ଦୂର କରିବାରେ ସାହାଯ୍ୟ କରେ ।
ପୋଷାକ ନୁହେଁ ଅଳଙ୍କାରକୁ ମଧ୍ୟ ଭିନ୍ନ ଭାବରେ ଦେଖାଯାଏ । କାରଣ ଏହା କେବଳ ଉପଯୋଗୀ ବସ୍ତୁ ନୁହେଁ ବରଂ ଏକ ପାରିବାରିକ ସମ୍ପତ୍ତି ମଧ୍ୟ । ଅଳଙ୍କାର ରଖାଯାଇପାରିବ । କିନ୍ତୁ ଶୁଦ୍ଧିକରଣ ପରେ ଏହାକୁ ଏକ ନୂତନ ଆରମ୍ଭର ପ୍ରତୀକ ଭାବରେ ଗ୍ରହଣ କରାଯିବା ଉଚିତ । ଘଣ୍ଟା ବିଷୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ଘଣ୍ଟା ବନ୍ଦ ହୋଇଯାଏ ତେବେ ଏହା ଘରେ ରଖିବା ବନ୍ଦ ସମୟର ପ୍ରତୀକ ଭାବେ ବିବେଚନା କରାଯାଏ ।
ଏଥିସହ ଫଟୋଗୁଡ଼ିକ ସହିତ ସବୁଠାରୁ ଅଧିକ ଭାବପ୍ରବଣତା ହୋଡ଼ି ହୋଇ ରହିଥାଏ । ପୂର୍ବପୁରୁଷଙ୍କର ଫଟୋଗୁଡ଼ିକୁ ସଠିକ୍ ଦିଗରେ ଲଗାଯିବା ଉଚିତ୍ । ନଚେତ୍ କ୍ଷତିକାରକ ହୋଇଥାଏ । ବିଛଣା, ଗଦି ଏବଂ ତକିଆ ଭଳି ଜିନିଷଗୁଡ଼ିକ ଜଣେ ବ୍ୟକ୍ତିଙ୍କ ଶେଷ ଦିନ ସହିତ ଜଡିତ । ସେଗୁଡ଼ିକୁ ବଦଳାଇବା କିମ୍ବା ଫୋପାଡ଼ି ଦେବା ଭଲ ବୋଲି ବିବେଚନା କରାଯାଏ । ଏଥିରେ ଜୀବାଣୁ ଥାଇପାରେ ବୋଲି ବୈଜ୍ଞାନିକ ଦୃଷ୍ଟିରୁ କୁହାଯାଇଛି । ଗରୁଡ଼ ପୁରାଣର ଉଦ୍ଦେଶ୍ୟ ଭୟ ସୃଷ୍ଟି କରିବା ନୁହେଁ ବରଂ ସନ୍ତୁଳନ ରକ୍ଷା କରିବା ଶିଖାଇବା ।






