ନୂଆପଡ଼ା : ବାତ୍ୟା ‘ଅକୱାନ’ର ମୁକାବିଲା ପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାପାଳ ସ୍ୱାସ୍ଥ୍ୟ, କୃଷି, ଅଗ୍ନିଶମ, ପୋଲିସ, ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସମେତ ବିଭିନ୍ନ ବିଭାଗର ପ୍ରସ୍ତୁତି ସମୀକ୍ଷା କରିଥିଲେ। ସମସ୍ତ ବିଭାଗକୁ ସତର୍କ ଓ ସଜାଗ ରହିବା ସହ ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତି ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ସଜାଗ ରହିବା ସହ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ଜିଲ୍ଲାପାଳ କହିଥିଲେ। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ପାଣିପାଗ ପୂର୍ବାନୁମାନ ଓ ସତର୍କ ସୂଚନା ଅନୁଯାୟୀ ଆବଶ୍ୟକ ପ୍ରସ୍ତୁତି ନିଶ୍ଚିତ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ଶୌଚାଳୟ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବାକୁ ବିଡିଓ ଓ ତହସିଲଦାରମାନଙ୍କୁ କୁହାଯାଇଥିଲା।
ଜିଲ୍ଲା ଓ ବ୍ଲକସ୍ତରରେ ନିୟନ୍ତ୍ରଣ କକ୍ଷଗୁଡ଼ିକ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରଖିବା ସହ ଜରୁରୀ ସୂଚନା ଓ ଅଭିଯୋଗ ଉପରେ ତ୍ୱରିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୧୫ ଦିନ ମଧ୍ୟରେ ପ୍ରସବ ହେବାକୁ ଥିବା ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରି ଆବଶ୍ୟକତା ଅନୁଯାୟୀ ମା’ ଗୃହ କିମ୍ବା ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ସ୍ୱାସ୍ଥ୍ୟ ବିଭାଗ ଓ ମହିଳା ଏବଂ ଶିଶୁ ବିକାଶ ବିଭାଗକୁ କୁହାଯାଇଥିଲା।
ଭୂସ୍ଖଳନର ସମ୍ଭାବନା ଥିବା ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ସେଠାରେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଯଥା ରାସ୍ତା ସଫା, ଗଛ ହଟାଇବା ଓ ବିଦ୍ୟୁତ୍ ସେବା ପୁନଃସ୍ଥାପନ ପାଇଁ ଅଗ୍ନିଶମ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗକୁ ପୂର୍ଣ୍ଣ ପ୍ରସ୍ତୁତିରେ ରହିବାକୁ କୁହାଯାଇଥିଲା। ସମସ୍ତ ବିଭାଗ ପାରସ୍ପରିକ ସମନ୍ୱୟ ଓ ସହଯୋଗରେ କାର୍ଯ୍ୟ କରି ଯେକୌଣସି ପରିସ୍ଥିତିର ସଫଳ ମୁକାବିଲା କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁବାଷ ଚନ୍ଦ୍ର ରଇତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଗଣେଶ୍ୱର କହଁର, ସିଡିଓ-କମ୍-ଇଓ, ଜିଲ୍ଲା ପରିଷଦ ଲମ୍ବୋଦର ଧରୁଆ, ଡେପୁଟି କଲେକ୍ଟର ଶେଖ୍ ନସିମ, ସମସ୍ତ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।






