ଏ.କେ ବ୍ୟୁରୋ : ଶିବ ରୁଦ୍ର ଓ ପାର୍ବତୀ ଶାନ୍ତିର ବାର୍ତ୍ତା ବହନ କରେ । ଗ୍ରୀଷ୍ମଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନେଉଥାଏ, ବର୍ଷାଋତୁର ଆଗମନ ସମୟରେ ମହାଦେବ ଶିବ ଓ ସତୀଙ୍କ ବିବାହୋତ୍ସବକୁ ନେଇ ଅନୁଷ୍ଠିତ ହୁଏ ଶୀତଳଷଷ୍ଠୀ । ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳଷଷ୍ଠୀ ବେଳକୁ ମେଘମେଦୁର ଆକାଶର ଅପରୂପ ସୌନ୍ଦର୍ଯ୍ୟ ବେଶ ଚିତାକର୍ଷକ ହେବା ସାଙ୍ଗକୁ ନବବାରି ପରିପ୍ଳୁତ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟିକରେ । ଅପୂର୍ବ ନୈସର୍ଗିକ ପରିବର୍ତ୍ତିତ ପରିସ୍ଥିତିରେ ସମ୍ବଲପୁରବାସୀ ଦେବଦମ୍ପତିଙ୍କୁ ସାଦର ସଭକ୍ତି ସ୍ୱାଗତ କରିଥାନ୍ତି । ଶୀତଳଷଷ୍ଠୀ ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବସିତ ।

କିନ୍ତୁ ଆମ ଦୈନନ୍ଦିନ ଜୀବନରେ ଯେପରି ବିବାହ କାର୍ଯ୍ୟ ସମ୍ପାଦନ କରାଯାଏ, ଠିକ୍ ସେହିପରି ବୈଦିକ ରୀତିରେ ଶିବଙ୍କ ସହିତ ମାତା ସତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ । ହିନ୍ଦୁ ରୀତିନୀତି ଅନୁସାରେ କନ୍ୟା ଅନ୍ୱେଷଣ, ନିର୍ବନ୍ଧ, ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ, ମହା ଆଡ଼ମ୍ବରରେ ବରଯାତ୍ରୀ ଆଗମନ, ବୈଦିକ ରୀତିରେ ବେଦିରେ ଦେବଦମ୍ପତିଙ୍କ ବିବାହ, କନ୍ୟା ପିତାମାତାଙ୍କ କନ୍ୟା ଦାନ ଓ ଯାନି ଯୌତୁକ ସହିତ କନ୍ୟା ବିଦାୟ ଆଦି କାର୍ଯ୍ୟ ସମ୍ପନ୍ନ କରାଯାଏ । ଓଡ଼ିଶାର ସମ୍ବଲପୁର ଶୀତଳଷଷ୍ଠୀରେ ସମ୍ପୂର୍ଣ୍ଣ ଲୋକାଚାରରେ ଶିବ ଓ ସତୀଙ୍କ ବିବାହୋତ୍ସବ ଅତ୍ୟନ୍ତ ଆକର୍ଷଣୀୟ । ଦେବଦମ୍ପତିଙ୍କ ଏହି ବିବାହ ଉତ୍ସବ ପ୍ରକ୍ରିୟା ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୁଏ । ଅକ୍ଷୟ ତୃତୀୟା ଦିନ ଥାଳ ଉଠିବାଠାରୁ ଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଜ୍ୟେଷ୍ଠ ଶୁକ୍ଳପକ୍ଷ ପ୍ରତିପଦା ଦିନ ନନ୍ଦପଡାର ବଂବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ବା ନିବନ୍ଧ(ପିନ୍ଧାଣି) ଏବଂ ତା’ପରଦିନ ନୃସିଂହ ନିଉତା ବା ଦେବଦେବୀଙ୍କୁ ବିବାହ ପାଇଁ ଅନୁଷ୍ଠିତ ହୋଇଥାଏ । ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ୱରବାବା, ବଡ଼ବଜାରର ଶୀତଳେଶ୍ୱରବାବା ଏବଂ ଠାକୁରପଡାର ଗୁପ୍ତେଶ୍ୱରବାବାଙ୍କ ତୃତୀୟା ଦିନ ପତରପେଁଡି ଏବଂ ଚତୁର୍ଥୀଦିନ ଗୁଆଗୁଣ୍ଡା ଅନୁଷ୍ଠିତ ହୋଇଥାଏ । ପଞ୍ଚମୀ ତିଥି ରାତିରେ ଶ୍ମଶାନଚାରୀ ଶିବ ବରବେଶ ହୋଇ ବୃଷଭ ଆରୋହଣ କରି ଭବ୍ୟ ଶୋଭାଯାତ୍ରାରେ କନ୍ୟାପିତା ଗୃହକୁ ଗମନ କରନ୍ତି । ତାଙ୍କ ବରଯାତ୍ରୀରେ ଶ୍ମଶାନବାସୀ, ସାକ୍ଷୀଗୋପୀନାଥ, ହନୁମାନ, ନୃସିଂହ ଦେବଦେବୀ ସାମିଲ୍ ହୋଇଥାନ୍ତି । ଦେବଦମ୍ପତିଙ୍କ ସମ୍ପୂର୍ଣ୍ଣ ଲୋକାଚାରରେ ସମ୍ପନ୍ନ କରାଯାଉଥିବାରୁ ପ୍ରତିବର୍ଷ ଯାତ୍ରା କମିଟି ପକ୍ଷରୁ କନ୍ୟା ପିତାମାତା ଚୟନ କରାଯାଏ । ଯେଉଁମାନେ କନ୍ୟାପିତାମାତା ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ସେମାନେ କନ୍ୟା ପାର୍ବତୀଙ୍କୁ ତାଙ୍କ ଘରକୁ ନେଇ ବିବାହ ପରେ ଯାନିଯୌତୁକ ଦେଇ ବିଦାୟ ଦେଇଥାନ୍ତି । ବୈଦିକ ରୀତିରେ ପଞ୍ଚମୀ ରାତିରେ ବିବାହ ଅନୁଷ୍ଠିତ ହୋଇଥାଏ ।






