ବୁଗୁଡ଼ା : (ଆଶିଷ କୁମାର ଖାଡ଼ଙ୍ଗା ) ସ୍ଥାନୀୟ ଷୋଳମଇଲି ଛକପରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖ ମୁଖ୍ୟ ସଡକରେ ବାଇକ୍ ଓ ଏକ୍ସିଲ ଧକ୍କାରେ ଚାରିଜଣ ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ଜଣାଯାଇଛି। ଆହତମାନେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ଗ୍ରାମର ଦତ୍ତାତ୍ରି ପାତ୍ର ଓ ତାଙ୍କର ମାଆ ଶାନ୍ତି ପାତ୍ର ଏବଂ ବୁଗୁଡା ଥାନା ଅନ୍ତର୍ଗତ ମାଣିକପୁର ଗାଁର କୃତିବାସ ସାହୁ ଓ ଝୁନୁ ଗୌଡ ।
ଘଟଣାରୁ ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ଦତ୍ତାତ୍ରି ତାଙ୍କର ଶଶୁର ଘର ବୁଗୁଡା ଯାଦବ ସାହିରୁ ବାଇକରେ ମାଆଙ୍କୁ ବସାଇ ଜିଲୁଣ୍ଡି ଗାଁକୁ ଯାଉଥିଲେ। ଅନ୍ୟପକ୍ଷରେ ଝୁନୁ ବୁଗୁଡାରେ ତାଙ୍କର ଗ୍ରୁପଲୋନ କାମସାରି କୃତିବାସଙ୍କ ଏକ୍ସିଲରେ ବସି ମାଣିକପୁର ଗାଁକୁ ଯାଉଥିଲେ। ଦୁର୍ଭାଗ୍ୟବଶତଃ ପେଟ୍ରୋଲ ପମ୍ପ ସମ୍ମୁଖରେ ଉଭୟ ଗାଡି ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଚାରିଜଣଯାକ ରାସ୍ତା ଉପରେ ଛିଟିକି ପଡି ଆହତ ହୋଇଥିଲେ।
ଦୁର୍ଘଟଣାରେ ଦତ୍ତାତ୍ରିଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଲାଗିଥିଲା ବେଳେ ତାଙ୍କ ମାଆ ଖଣ୍ଡିଆଖାବରା ହୋଇଯାଇଥିଲେ। ସେହିପରି କୃତିବାସଙ୍କ ଡାହାଣ ହାତ ଓ ଗୋଡରେ ଆଘାତ ଲାଗିଥିଲା ବେଳେ ଝୁନୁଙ୍କ ବାମ ହାତ ଓ ଅଣ୍ଟାରେ ଆଘାତ ଲାଗିଥିଲା। ଦୁର୍ଘଟଣା ସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସେଠାରେ ସମସ୍ତ ଆହତଙ୍କ ପ୍ରାଥମିକ ଚିକିତ୍ସା ପରେ ଦତ୍ତାତ୍ରିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ଏ ନେଇ ଖବର ପାଇ ପୋଲିସ ଦୁର୍ଘଟଣାସ୍ଥଳ ଏବଂ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।
ବୁଗୁଡ଼ା ରୁ ଆଶିଷ ଖାଡ଼ଙ୍ଗା ଙ୍କ ରିପୋର୍ଟ ଆପଣଙ୍କ ଖବର।






