ନୂଆପଡ଼ା: ଆଜି ବି ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଗ୍ରାମାଞ୍ଚଳରେ ମୌଳିକ ସୁବିଧାର ଅଭାବ ଦେଖିବାକୁ ମିଳୁଛି। ଏହାର ଏକ ଉଦାହରଣ ହେଉଛି ନୂଆପଡ଼ା ଜିଲ୍ଲାର ଉପାନ୍ତ ବୋଡ଼େନ ବ୍ଲକ ଅନ୍ତର୍ଗତ ଲିଟିସର୍ଗି ଗ୍ରାମ ପଞ୍ଚାୟତର ଝରାନିଖୋଲ ଗ୍ରାମ। ଗ୍ରାମର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବା ବେଳେ ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅ ପଚପଚ ହୋଇଯାଉଛି। ଫଳରେ ଗ୍ରାମବାସୀଙ୍କ ଯାତାୟାତରେ ନାନା ସମସ୍ୟା ଦେଖାଦେଉଛି।
ଏହି ସମସ୍ୟାର ସ୍ଥାୟୀ ସମାଧାନ ତଥା ଗ୍ରାମରେ କଂକ୍ରିଟ୍ ସଡ଼କ ନିର୍ମାଣ ଦାବିରେ ଗ୍ରାମବାସୀମାନେ ଗତ ସୋମବାର ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗପତ୍ର ପ୍ରଦାନ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ଜିଲ୍ଲାପାଳ ତୁରନ୍ତ ସଡ଼କ ନିର୍ମାଣ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଝରାନିଖୋଲ ଗ୍ରାମର ରାସ୍ତାର ଅବସ୍ଥାରେ ପରିବର୍ତ୍ତନ ନ ହେବା ଦୁର୍ଭାଗ୍ୟଜନକ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି। ଗ୍ରାମର ବିକାଶ ହେଲେ ଜିଲ୍ଲାର ବିକାଶ ସମ୍ଭବ, ଆଉ ଜିଲ୍ଲାର ବିକାଶ ହେଲେ ରାଜ୍ୟର ବିକାଶ ହୋଇପାରିବ। ତେଣୁ ଗ୍ରାମବାସୀଙ୍କ ଏହି ନ୍ୟାୟସଙ୍ଗତ ଦାବିକୁ ଗୁରୁତ୍ୱ ଦେଇ ଶୀଘ୍ର କଂକ୍ରିଟ୍ ସଡ଼କ ନିର୍ମାଣ କରିବା ସହ ଗ୍ରାମର ବିକାଶ ପାଇଁ ପ୍ରଶାସନ ନିଜର ନୈତିକ ଦାୟିତ୍ୱବୋଧର ପରିଚୟ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।






