ନୂଆପଡ଼ା ଜିଲ୍ଲା ସଦର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସରୋଜ ନଗରଠାରେ ଗଢ଼ିଉଠିଛି ଏକ ନିଆରା କୋଶଳୀ ସଂଗ୍ରହାଳୟ। ଏହି ସଂଗ୍ରହାଳୟ କେବଳ ପ୍ରାଚୀନ ସାମଗ୍ରୀର ସଂଗ୍ରହ କେନ୍ଦ୍ର ନୁହେଁ, ବରଂ କୋଶଳୀ ଭାଷା, ସଂସ୍କୃତି, ପରମ୍ପରା ଓ ପୂର୍ବପୁରୁଷଙ୍କ ଜୀବନଶୈଳୀକୁ ସୁରକ୍ଷିତ ରଖିବାର ଏକ ଅଭିନବ ପ୍ରୟାସ।
ସରୋଜ ନଗରରେ ବାସ କରୁଥିବା ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିବା ସୁରଜିତ ସିଂ ମହାରଥା ଏବଂ ତାଙ୍କ ଧର୍ମପତ୍ନୀ ବେଦମତି ସିଂ ମହାରଥାଙ୍କ ଏହି ନିଆରା ଉଦ୍ୟମ ଏବେ ଅଞ୍ଚଳବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। କୋଶଳୀ ଭାଷାର ସୁରକ୍ଷା ସହିତ ନିଜ ଅଞ୍ଚଳର ପୁରୁଣା ଐତିହ୍ୟ ଓ ପରମ୍ପରାକୁ ଆଗାମୀ ପିଢ଼ି ପାଇଁ ସାଇତି ରଖିବାର ଲକ୍ଷ୍ୟ ନେଇ ଉଭୟ ସ୍ୱାମୀ-ସ୍ତ୍ରୀ ଏହି ସଂଗ୍ରହାଳୟ ଗଢ଼ିବାକୁ ମନସ୍ଥ କରିଥିଲେ।
ନିଜ ନୂତନ ଘରର ଉପର ମହଲାରେ ସେମାନେ ବିଭିନ୍ନ ପ୍ରାଚୀନ ଓ ଦୁର୍ଲଭ ସାମଗ୍ରୀ ସଂଗ୍ରହ କରି ଏକ ସୁନ୍ଦର ସଂଗ୍ରହାଳୟ ନିର୍ମାଣ କରିଛନ୍ତି। ଏଠାରେ ପୁରୁଣା ଗୃହ ଉପକରଣ, ପାରମ୍ପରିକ ପୋଷାକ, ବେଶଭୂଷା, ଅଳଙ୍କାର, ଘରକରଣା ସାମଗ୍ରୀ, ପ୍ରାଚୀନ କାଳର କଳାକୃତି, ମାପ ଓ ଓଜନ ପ୍ରଣାଳୀ ସମେତ ଅନେକ ଐତିହାସିକ ସାମଗ୍ରୀ ସ୍ଥାନ ପାଇଛି।
ଏହି ସାମଗ୍ରୀଗୁଡ଼ିକ ଦେଖିଲେ ପୂର୍ବପୁରୁଷମାନଙ୍କ ରହଣି, ସହଣି, ଜୀବନଶୈଳୀ, ଖାଦ୍ୟପେୟ ଓ ସାମାଜିକ ପରମ୍ପରା ସମ୍ପର୍କରେ ଅନେକ ଅଜଣା ତଥ୍ୟ ଜାଣିବାକୁ ମିଳିଥାଏ। ବିଶେଷକରି ଆଧୁନିକ ଯୁଗର ଯୁବପିଢ଼ି ଏହି ସଂଗ୍ରହାଳୟ ମାଧ୍ୟମରେ ନିଜର ଅତୀତ, ଐତିହ୍ୟ ଓ ସଂସ୍କୃତିକୁ ଅତି ନିକଟରୁ ଜାଣିବା ସହିତ ଅଧ୍ୟୟନ ଓ ଗବେଷଣା କରିବାର ସୁଯୋଗ ପାଇପାରିବେ।
ପ୍ରକୃତରେ ନିଜ ପୂର୍ବପୁରୁଷଙ୍କ ଜୀବନଶୈଳୀ ଓ ବ୍ୟବହୃତ ସାମଗ୍ରୀକୁ ନଷ୍ଟ ହେବାକୁ ନଦେଇ ସୁରକ୍ଷିତ ରଖିବାର ଏହି ନିଆରା ନିଶା ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଏକ ମହତ୍ ଉଦ୍ୟମରେ ଏକାଠି କରିଛି।
ଆଗାମୀ ଦିନରେ ଏହି ସଂଗ୍ରହାଳୟ ଏକ ସମୃଦ୍ଧ ଐତିହ୍ୟ ଓ ଗବେଷଣା କେନ୍ଦ୍ର ଭାବେ ପରିଚୟ ସୃଷ୍ଟି କରିବା ସହିତ କୋଶଳୀ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାରରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି।
ପୁରୁଣା ସ୍ମୃତିକୁ ସାଇତି ରଖିବା, ନିଜ ଐତିହ୍ୟକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା। ସୁରଜିତ ସିଂ ମହାରଥା ଓ ବେଦମତି ସିଂ ମହାରଥାଙ୍କ ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ।
ନୂଆପଡ଼ାରୁ ରିପୋର୍ଟ, ଆପଣଙ୍କ ଖବର।






