A.K ଆମେରିକା ଓ ଇରାନ ମଧ୍ୟରେ ଶନିବାର ପାକିସ୍ତାନରେ ହେବାକୁ ଥିବା ଶାନ୍ତି ବାର୍ତ୍ତା ପୂର୍ବରୁ ହ୍ବାଇଟ୍ ହାଉସ୍ର ପୂର୍ବତନ ପ୍ରେସ୍ ସଚିବ ଏରି ଫ୍ଲେସର ଗମ୍ଭୀର ଚିନ୍ତା ପ୍ରକଟ କରିଚନ୍ତି। ଫ୍ଲେସର କହିଛନ୍ତି, ପାକିସ୍ତାନରେ ଆମେରିକା ଶାନ୍ତି ଆଲୋଚନାକାରୀ ବିଶେଷକରି ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସୁରକ୍ଷାକୁ ନେଇ ଚିନ୍ତାର ଅନେକ କାରଣ ରହିଛି।

ଆମେରିକା ଓ ଇରାନ ମଧ୍ୟରେ ଶନିବାର ପାକିସ୍ତାନରେ ହେବାକୁ ଥିବା ଶାନ୍ତି ବାର୍ତ୍ତା ପୂର୍ବରୁ ହ୍ବାଇଟ୍ ହାଉସ୍ର ପୂର୍ବତନ ପ୍ରେସ୍ ସଚିବ ଏରି ଫ୍ଲେସର ଗମ୍ଭୀର ଚିନ୍ତା ପ୍ରକଟ କରିଚନ୍ତି। ଫ୍ଲେସର କହିଛନ୍ତି, ପାକିସ୍ତାନରେ ଆମେରିକା ଶାନ୍ତି ଆଲୋଚନାକାରୀ ବିଶେଷକରି ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସୁରକ୍ଷାକୁ ନେଇ ଚିନ୍ତାର ଅନେକ କାରଣ ରହିଛି। ଅତୀତର ଉଦାହରଣ ଦେଇ ସେ ପାକିସ୍ତାନକୁ ଏକ ସଶସ୍ତ୍ର ଏବଂ ବିପଜ୍ଜନକ ରାଷ୍ଟ୍ର ଭାବରେ ବର୍ଣ୍ଣନା କରିଥିଲେ ଏବଂ ଯେଉଁଠାରେ ସରକାରଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନାହିଁ। ଫ୍ଲେସର ମନେ ପକାଇଥିଲେ ଯେ ପାକିସ୍ତାନକୁ ଉଚ୍ଚସ୍ତରୀୟ ଗସ୍ତ ସର୍ବଦା ବିପଦପୂର୍ଣ୍ଣ ରହିଛି । ସେ ଦର୍ଶାଇଥିଲେ ଯେ, ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ କେଉଁଠି ଅଛନ୍ତି ଯେମିତି କେହି ଜାଣିବେ ନାହିଁ ସେଥିପାଇଁ ତାଙ୍କ ଗସ୍ତ ସମୟରେ ଡିକୟ ବିମାନ ଉପରେ ନିର୍ଭର କରିବାକୁ ପଡୁଥିଲା ଏବଂ ଗୁପ୍ତ ଭାବରେ ବିମାନ ପରିବର୍ତ୍ତନ କରିବାକୁ ପଡୁଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସିକ୍ରେଟ୍ ସର୍ଭିସ୍ ୨୦୦୬ ମସିହାରେ ରାଷ୍ଟ୍ରପତି ବୁଶଙ୍କ ପାକିସ୍ତାନ ଗସ୍ତର ମଧ୍ୟ ବିରୋଧ କରିଥିଲା। ଏରି ଫ୍ଲେସରଙ୍କ ଅନୁଯାୟୀ, ଏହି ମିଶନ୍ ଆମେରିକା ସିକ୍ରେଟ୍ ସର୍ଭିସ୍ ଏବଂ ସାମରିକ ସୁରକ୍ଷା ପାଇଁ ଏକ ବଡ଼ ପରୀକ୍ଷା ହେବାକୁ ଯାଉଛି ।
ଅନ୍ୟପକ୍ଷରେ କୂଟନୈତିକ କ୍ଷେତ୍ରରେ ମଧ୍ୟ ଉତ୍ତେଜନା ବୃଦ୍ଧି ପାଇଛି। ବୁଧବାର ଆମେରିକା ଏବଂ ଇରାନ ଦୁଇ ସପ୍ତାହର ସର୍ତ୍ତମୂଳକ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ ଏବଂ ଏହାକୁ ସ୍ଥାୟୀ ଶାନ୍ତିରେ ପରିଣତ କରିବା ପାଇଁ ଇସଲାମାବାଦରେ ଏକ ବୈଠକ ହେବ । ତଥାପି ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ପ୍ରାରମ୍ଭିକ ଅସ୍ତ୍ରବିରତି ଉଲ୍ଲଂଘନ ବୋଲି କହିଛନ୍ତି। ତେହେରାନ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି ଯେ, ଯଦି ଏହି ଆକ୍ରମଣ ବନ୍ଦ ନ ହୁଏ, ତେବେ ପାକିସ୍ତାନରେ ଆଲୋଚନା ଅର୍ଥହୀନ ହୋଇଯିବ। ଆଲୋଚନାର ସଫଳତା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପାକିସ୍ତାନ ରାଜଧାନୀକୁ ଏକ ଛାଉଣୀରେ ପରିଣତ କରିଛି। କୂଟନୀତି ଏବଂ ସୁରକ୍ଷା ମଧ୍ୟରେ ଫସି ରହିଥିବା ଏହି ଆଲୋଚନାର ଫଳାଫଳକୁ ସମଗ୍ର ବିଶ୍ୱ ଅତି ନିକଟରୁ ଦେଖୁଛି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଯଦି ବୈଠକ ସଫଳ ହୁଏ ତେବେ ଏହି ଆଲୋଚନା ପଶ୍ଚିମ ଏସିଆରେ ସ୍ଥାୟୀ ଶାନ୍ତି ପାଇଁ ଏକ ଐତିହାସିକ ପଦକ୍ଷେପ ହୋଇପାରେ ।






