AK ନିରାକାରପୁର ରେଳଷ୍ଟେସନ୍ରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ କରିଛି। ଶିଶୁଟିର ବାପା ହିଁ ଚୋରି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଜଙ୍କିଆ: ନିରାକାରପୁର ରେଳଷ୍ଟେସନ୍ରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ କରିଛି। ଶିଶୁଟିର ବାପା ହିଁ ଚୋରି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଶିଶୁଟି ଚୋରି ହୋଇଯାଇଥିବା ନେଇ ବାପା ପୁଲିସ ନିକଟରେ ଆକୁଳ ନିବେଦନ କରୁଥିବା ବେଳେ ପୁଲିସ ତଦନ୍ତ ବେଳେ ପ୍ରକୃତ ତଥ୍ୟ ପଦାକୁ ଆସିଯାଇଛି। ପୁଲିସ ଶିଶୁକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବାପା ଓ ତାଙ୍କ ପ୍ରଥମ ସ୍ତ୍ରୀକୁ ଗିରଫ କରିଛି।

ସୂଚନା ଅନୁଯାୟୀ ରଣପୁର ଥାନା କଳାମାଟିଆ ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ ବିବାହିତ ହୋଇଥିଲେ ମଧ୍ୟ ଚେନ୍ନାଇରେ ନିଜ ଶାଳୀଙ୍କ ସହ ରହୁଥିଲେ। ସେଠାରେ ସେମାନଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହି କାରଣରୁ ପ୍ରଶାନ୍ତ ଗାଁରେ ଥିବା ପ୍ରଥମ ସ୍ତ୍ରୀଙ୍କ ନିକଟକୁ ଆସୁନଥିଲେ କି ଭରଣପୋଷଣ ପାଇଁ ଟଙ୍କା ଦେଉନଥିଲେ। ଶେଷରେ ଶାଳୀଙ୍କ ଗର୍ଭରୁ ଜାତ ସନ୍ତାନକୁ ନିଜ ଜୀବନରୁ ହଟାଇବା ପାଇଁ ପ୍ରଶାନ୍ତ ଯୋଜନା କରିଥିଲେ।
ଗତ ୭ ତାରିଖ ରାତିରେ ସେ ଚେନ୍ନାଇରୁ ଆସି ନିରାକାରପୁର ଷ୍ଟେସନ୍ର ୩ନଂ ପ୍ଲାଟଫର୍ମରେ ଶାଳୀ ଓ ଶିଶୁଟି ସହ ଶୋଇଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଶାଳୀ ଶୋଇଥିବା ବେଳେ ପ୍ରଥମ ସ୍ତ୍ରୀକୁ ଡକାଇ ଶିଶୁଟିକୁ ତାଙ୍କ ହାତକୁ ଟେକି ଦେଇଥିଲେ। ଏହାପରେ ପିଲାଟି ଚୋରି ହୋଇଯାଇଥିବା କହି କାନ୍ଦବୋବାଳି କରି ପୁଲିସ ନିକଟରେ ଅଭିଯୋଗ କରିଥିଲେ। ନିରାକାରପୁର ରେଳବାଇ ପୁଲିସ ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଜାରି ରଖିଥିଲା। ତଦନ୍ତ ବେଳେ ପ୍ରଶାନ୍ତଙ୍କ କଥାରେ ଅସଙ୍ଗତି ଦେଖି ପୁଲିସ ତାଙ୍କୁ ଜେରା କରିଥିଲା। ଶେଷରେ ପୁଲିସ ଆଗରେ ପ୍ରଶାନ୍ତ ନିଜର ଦୋଷ ସ୍ୱୀକାର କରିବା ପରେ ପ୍ରକୃତ ସତ ପଦାକୁ ଆସିଥିଲା। ରେଳବାଇ ପୁଲିସ ଏଏସ୍ଆଇ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ରଣପୁରର କଳାମାଟିଆ ଗ୍ରାମରେ ଚଢ଼ଉ କରି ଶିଶୁଟିକୁ ଉଦ୍ଧାର କରିବା ସହ ପ୍ରଶାନ୍ତଙ୍କ ସ୍ତ୍ରୀକୁ ଗିରଫ କରିଥିଲେ। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।






