ଟ୍ରମ୍ପ ଦେଇଥିବା ଧମକର ୧୦ ଘଣ୍ଟା ପରେ ହଠାତ୍ ଗୋଟିଏ ଶାନ୍ତି ଚୁକ୍ତି ସାମ୍ନାକୁ ଆସିଥିଲା। ଇରାନ ଷ୍ଟ୍ରେଟ ଅଫ ହର୍ମୁଜ ଖୋଲିବାକୁ ରାଜି ହୋଇଥିଲା। ଇରାନ ଓ ଆମେରିକା ମଧ୍ୟରେ ୨ ସପ୍ତାହର ଯୁଦ୍ଧ ବିରତି ଚୂଡ଼ାନ୍ତ ରୂପ ନେଇଥିଲା।

ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ବଡ଼ ଚେତାବନୀ ଦେଇ କହିଥିଲେ ଯେ ଯଦି ଇରାନ ସହ କୌଣସି ଯୁଦ୍ଧ ବିରତି ନ ହେବ, ତା’ହେଲେ ଏକ ସଂପୂର୍ଣ୍ଣ ସଭ୍ୟତା ଆଜି ରାତିରେ ଶେଷ ହୋଇଯିବ। ଏହି ଧମକ ପରେ ମଧ୍ୟ ଇରାନ ମୁଣ୍ଡ ନୁଆଁ ନଥିଲା। ଆମେରିକା ସହ ପାଇଁ ଖୋଲା ରହିଥିବା ସମସ୍ତ ଚ୍ୟାନେଲକୁ ବନ୍ଦ କରି ଦେଇଥିଲା। ସମସ୍ତେ ଭାବିଥିଲେ ମଙ୍ଗଳବାର ରାତି ମଧ୍ୟପ୍ରାଚ୍ୟ ଯୁଦ୍ଧର ନିର୍ଣ୍ଣାୟକ ରାତି ହେବ। କିନ୍ତୁ ଟ୍ରମ୍ପ ଦେଇଥିବା ଧମକର ୧୦ ଘଣ୍ଟା ପରେ ହଠାତ୍ ଗୋଟିଏ ଶାନ୍ତି ଚୁକ୍ତି ସାମ୍ନାକୁ ଆସିଥିଲା। ଇରାନ ଷ୍ଟ୍ରେଟ ଅଫ ହର୍ମୁଜ ଖୋଲିବାକୁ ରାଜି ହୋଇଥିଲା। ଇରାନ ଓ ଆମେରିକା ମଧ୍ୟରେ ୨ ସପ୍ତାହର ଯୁଦ୍ଧ ବିରତି ଚୂଡ଼ାନ୍ତ ରୂପ ନେଇଥିଲା। ତେଣୁ ଏହି ୧୦ ଘଣ୍ଟା ମଧ୍ୟରେ ଏମିତି କ’ଣ ଘଟିଲା? ଆମେରିକା ଓ ଇରାନ ଯୁଦ୍ଧ ବିରତିର ସବୁ ଶ୍ରେୟ ପାକିସ୍ତାନକୁ ଦେଇଛନ୍ତି। ହେଲେ ବାସ୍ତବରେ ଚାଇନା ପରଦା ପଛରେ ରହି ସବୁ କିଛି କରିଛି। ଶେଷ ମୁହୂର୍ତ୍ତରେ ଚାଇନାର ହସ୍ତକ୍ଷେପ ଯୋଗୁ ଇରାନ ଯୁଦ୍ଧ ବିରତି ପାଇଁ ରାଜି ହୋଇଛି।
ପ୍ରାୟ ୪୦ ଦିନ ଧରି ଜାରି ରହିଥିବା ଘମାଘୋଟ ଯୁଦ୍ଧ ସମୟରେ ଇରାନର ଅନ୍ୟତମ ପ୍ରମୁଖ ସହଯୋଗୀ ଚାଇନା କେବଳ ଚୁପ ରହିଥିଲା। ନିକଟରେ ଆମେରିକା-ଇରାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବା ପରେ ଚାଇନା ସାମ୍ନାକୁ ଆସିଥିଲା। ମଧ୍ୟସ୍ଥତାରେ ସହାୟତା କରିବାକୁ ପାକିସ୍ତାନ ପକ୍ଷରୁ ଚାଇନାକୁ କୁହାଯାଇଥିଲା। ଏହା ଚାଇନା ପାଇଁ ଶାନ୍ତି ବାହାକ ସାଜିବାକୁ ବାଟ ଖୋଲିଥିଲା। ଏବେ ଜଣାପଡ଼ିଛି ଯେ ଚାଇନା ହିଁ ଯୁଦ୍ଧ ବିରତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପାକିସ୍ତାନ ସାମ୍ନାରେ ରହିଥିବା ବେଳେ ଚାଇନା ପଛରୁ ଗୋଟି ଚାଳନା କରୁଥିଲା।

ଚାଇନାର ରଣନୀତିକ ଚାଲ
ବୁଝାମଣା ପାଇଁ ଚାଇନା ହିଁ ଇରାନ ଉପରେ ଚାପ ପକାଇଥିଲା କି ପ୍ରଶ୍ନରେ ଟ୍ରମ୍ପ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ପ୍ରଶ୍ନର ଉତ୍ତରେ ଟ୍ରମ୍ପ କହିଛନ୍ତି ଯେ “ହଁ, ମୁଁ ଶୁଣିଛି।” ପ୍ରାରମ୍ଭିକ ପର୍ଯ୍ୟାୟରେ ପାକିସ୍ତାନ, ତୁର୍କୀ ଓ ଇଜିପ୍ଟ ଭଳି ଚାଇନା ମଧ୍ୟ ବିବାଦର ସମାଧାନ ପାଇଁ ମଧ୍ୟସ୍ଥି ଭୂମିକାରେ ରହିଥିଲା। ଚାଇନା ପରୋକ୍ଷରେ ଇରାନ ସହ ଯୋଗାଯୋଗ କରୁଥିଲା।
କିନ୍ତୁ ଭୟଙ୍କର ହମଲା ପାଇଁ ଟ୍ରମ୍ପ ଧାର୍ଯ୍ୟ କରିଥିବା ତଥାକଥିତ ଡେଡଲାଇନ ପାଖେଇ ଆସିବାରୁ ଚାଇନାର ଧୈର୍ଯ୍ୟର ବନ୍ଧ ଭାଙ୍ଗିଥିଲା। ହମଲା ଆଶଙ୍କାରେ ଯୁଦ୍ଧ ବିରତି ବୁଝାମଣା ସମ୍ପର୍କରେ ଚାଇନା ସିଧାସଳଖ ଇରାନ ସହ କଥା ବାର୍ତ୍ତା କରିଥିଲା ବୋଲି ୨ ଜଣ ଚାଇନିଜ ଅଧିକାରୀ ଏପିକୁ କହିଛନ୍ତି। ଏଥିରୁ ପ୍ରମାଣିତ ହେଉଛି ଯେ ଇରାନ ଉପରେ ଚାଇନାର ପ୍ରଭାବ ପାକିସ୍ତାନ ତୁଳନାରେ ଅଧିକ ରହିଥିଲା।
ଯୁଦ୍ଧ ବିରତି ଘୋଷଣାର କିଛି ଘଣ୍ଟା ପୂର୍ବରୁ ଚାଇନା ଓ ରୁଷ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସେହି ପ୍ରସ୍ତାବକୁ ରୋକି ଦେଇଥିଲେ, ଯାହା ଆମେରିକାକୁ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଖୋଲିବା ପାଇଁ ବଳ ପ୍ରୟୋଗ କରିବାକୁ ଅନୁମତି ଦେଇଥାନ୍ତା। ରୁଷ ଓ ଚାଥନାର ଏହି ପଦକ୍ଷେପ ଇରାନକୁ ମଧ୍ୟ ସୁହାଇଥିଲା। ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ଇରାନ, ଇସ୍ରାଏଲ୍, ରୁଷ ଓ ଗଲ୍ଫ ଦେଶଗୁଡ଼ିକ ସହ ୨୬ଟି ଫୋନ୍ କଲରେ ଆଲୋଚନା ବି କରିଥିଲେ।
ତଥାପି ଚାଇନା ବିଧିବଦ୍ଧ ଭାବେ ଯୁଦ୍ଧ ବିରତିରେ ବେଜିଂ ସକ୍ରିୟ ଭୂମିକା ଗ୍ରହଣ କରିଥିବା କହିନାହିଁ। ଏହା ଚାଇନାର ବିଶାଳ ରଣନୀତିର ଅଂଶବିଶେଷ। ଟ୍ରମ୍ପ ମଧ୍ୟପ୍ରାଚ୍ୟରେ ସୃଷ୍ଟି କରିଥିବା ବିଶୃଙ୍ଖଳାରେ ଚାଇନା ସିଧାସଳଖ ସାମିଲ ହେବାକୁ ଚାହୁଁ ନାହିଁ। ଏଥିପାଇଁ ପରଦା ପଛରେ ରହି ସବୁ କିଛି କରିଛି।
ଏହାବାଦ ଆସନ୍ତା ମାସରେ ଟ୍ରମ୍ପ ଚାଇନା ଗସ୍ତ କରିବାର ଅଛି। ସେଠାରେ ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଆଲୋଚନା ମଧ୍ୟ କରିବେ। ଯଦିଓ ଟ୍ରମ୍ପ ଗଣମାଧ୍ୟମ ପ୍ରଶ୍ନରେ ଚାଇନାକୁ ଭୂମିକାକୁ ସ୍ୱୀକାର କରିଛନ୍ତି, କିନ୍ତୁ ନିଜର ଅଫିସିଆଲ ବିବୃତିରେ ଚାଇନା ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି। ଟ୍ରମ୍ପଙ୍କ ଯୁଦ୍ଧ ବିରତି ବିବୃତିରେ ସେ ସବୁ ଶ୍ରେୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ନିଜର ପସନ୍ଦଦାର ଫିଲ୍ଡ ମାର୍ଶଲ ଆସିମ ମୁନିରଙ୍କୁ ଦେଇଛନ୍ତି।
ବିଶେଷଜ୍ଞମାନେ କହିଛନ୍ତି ବିଧିବଦ୍ଧ ବିବୃତିରୁ ଚାଇନାକୁ ବାଦ ଦେବା ଆମେରିକା ରଣନୀତିର ଅଂଶବିଶେଷ। ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ‘ଡ୍ରାଫ୍ଟ’ ପୋଷ୍ଟ ମଧ୍ୟ ପ୍ରଶ୍ନ ଉଠାଉଛି। ଟ୍ରମ୍ପଙ୍କ ଯୁଦ୍ଧ ବିରତି ଘୋଷଣା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ ଏକ୍ସରେ ଏକ ପୋଷ୍ଟରେ ସାମରିକ କାର୍ଯ୍ୟାନୁଷ୍ଠାନର ଡେଡ୍ଲାଇନ୍ ଆଉ ଦୁଇ ସପ୍ତାହ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। ଏଥିସହ ଇରାନକୁ ହର୍ମୁଜ୍ ଖୋଲିବାକୁ ଉତ୍ସାହିତ କରିଥିଲେ। ତଥାପି ଶରିଫଙ୍କ ଏହି ପୋଷ୍ଟର ପ୍ରାରମ୍ଭରେ “Draft – Pakistan’s PM message on X” ଲେଖା ଥିଲା। ଏହାକୁ ନେଇ ପାକିସ୍ତାନର ଭୂମିକା ସନ୍ଦେହ ଘେରକୁ ଆସିଛି।
ଅନେକ ବିଶେଷଜ୍ଞ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏହି ଡ୍ରାଫ୍ଟ ପୋଷ୍ଟ ସୂଚିତ କରୁଛି ଯେ ଏହାକୁ ହୁଏତ ଏକ “ବାହ୍ୟ ଦେଶ” ଦ୍ୱାରା ଲେଖାଯାଇଥିଲା। ଶରିଫ ଏହାକୁ “କଟ୍ ଆଣ୍ତ ପେଷ୍ଟ” କରିଛନ୍ତି। ଏହାକୁ ହ୍ୱାଇଟ୍ ହାଉସ୍ ପଠାଇଥିବା ବେଳେ ଶରିଫ କିଛି ନ ଜାଣି ପୋଷ୍ଟ କରିଥିଲେ।
ମେସେଜଟି ସମ୍ଭବତଃ ଶରିଫଙ୍କ ଦ୍ୱାରା ନୁହେଁ ବରଂ ଆମେରିକା ଦ୍ୱାରା ଲେଖାଯାଇଥିଲା। ପାକିସ୍ତାନ କେବଳ ଆମେରିକାର କାଠ କଣ୍ଢେଇ ଭାବେ କାମ କରୁଛି। ପାକିସ୍ତାନ ନିରପେକ୍ଷ ଆଲୋଚନାକାରୀ ନୁହେଁ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।






