ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶର ‘ନାରୀ ଶକ୍ତି’ଙ୍କୁ ଏକ ବିଶେଷ ପତ୍ର ଲେଖି ମହିଳା ସଂରକ୍ଷଣ କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶର ନାରୀ ଶକ୍ତିଙ୍କୁ ଏକ ବିଶେଷ ପତ୍ର ଲେଖି ମହିଳା ସଂରକ୍ଷଣ କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଦଶନ୍ଧି ଦଶନ୍ଧି ଧରି ପଡ଼ି ରହିଥିବା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ କାର୍ଯ୍ୟକାରୀ କରିବା ପାଇଁ ଆସନ୍ତା ଏପ୍ରିଲ ୧୬ ତାରିଖରେ ସଂସଦର ଅଧିବେଶନରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଆଲୋଚନା ହେବାକୁ ଯାଉଛି । ଏହି ପଦକ୍ଷେପ ମାଧ୍ୟମରେ ବିଧାନସଭା ଓ ସଂସଦରେ ମହିଳାମାନଙ୍କ ଭାଗିଦାରୀ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମର୍ଥନ ଲୋଡ଼ିଛନ୍ତି ।

ପ୍ରଧାନମନ୍ତ୍ରୀ ନିଜ ପତ୍ରରେ ଡକ୍ଟର ବି.ଆର. ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ଯେ, ସ୍ୱାଧୀନତା ପରଠାରୁ ଭାରତ ମହିଳାମାନଙ୍କୁ ସମାନ ଭୋଟ୍ ଅଧିକାର ଦେଇଥିଲେ ହେଁ ବିଧାନପାଳିକାରେ ସେମାନଙ୍କ ଉପଯୁକ୍ତ ପ୍ରତିନିଧିତ୍ୱ ପାଇଁ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବା ଆବଶ୍ୟକ। ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ସ୍ୱପ୍ନ ସାକାର କରିବା ପାଇଁ ମହିଳାମାନଙ୍କୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସାମିଲ କରିବା ଏକ ଅପରିହାର୍ଯ୍ୟ ଆବଶ୍ୟକତା ।
ଖେଳପଡ଼ିଆଠାରୁ ଆରମ୍ଭ କରି ଷ୍ଟାର୍ଟଅପ୍, ବିଜ୍ଞାନ ଓ ପ୍ରଶାସନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନାରୀମାନଙ୍କ ସଫଳତା ସେମାନଙ୍କ ରାଜନୈତିକ ସଂରକ୍ଷଣ ପାଇଁ ଦୃଢ଼ ଯୁକ୍ତି ଉପସ୍ଥାପନ କରୁଛି। ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଏହି ବ୍ୟବସ୍ଥାକୁ ପୂର୍ଣ୍ଣରୂପେ ଲାଗୁ କରିବାକୁ ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏହି ଐତିହାସିକ ବିଲ୍କୁ ସମର୍ଥନ କରିବା ପାଇଁ ସେ ମହିଳାମାନଙ୍କୁ ନିଜ ନିଜ ଅଞ୍ଚଳର ସାଂସଦମାନଙ୍କୁ ପତ୍ର ଲେଖିବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଦେଶର ଝିଅମାନଙ୍କୁ ସେମାନଙ୍କ ଅଧିକାର ପାଇଁ ଆଉ ଅନନ୍ତକାଳ ଅପେକ୍ଷା କରାଯାଇ ପାରିବ ନାହିଁ; ଯେତେବେଳେ ବିଧାନପାଳିକାରେ ନାରୀର ସ୍ୱର ଶକ୍ତିଶାଳୀ ହେବ, ସେତେବେଳେ ଗଣତନ୍ତ୍ର ନିଜେ ଶକ୍ତିଶାଳୀ ହେବ।






