AK ଅନ୍ତରୀଣ ଜାମିନ ଉପରେ ରୋକ ଲଗାଇବା ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଖେଡା ଆସାମର ଉପଯୁକ୍ତ କୋର୍ଟରେ ଆଶ୍ୱସ୍ତି ପାଇବାକୁ ଆବେଦନ କରିପାରିବେ। ଆଜିର ନିର୍ଦ୍ଦେଶ ଖେଡାଙ୍କୁ ଆସାମ କୋର୍ଟରେ ଜାମିନ ଆବେଦନ ପାଇଁ କୌଣସି ପ୍ରକାରର ପ୍ରତିବନ୍ଧକ ଲଗାଇବ ନାହିଁ। କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ଶକ୍ତ ଝଟକା। ବୁଧବାର ସୁପ୍ରିମକୋର୍ଟ ତାଙ୍କୁ ମିଳିଥିବା ସପ୍ତାହକର ଅନ୍ତରୀଣ ଜାମିନ ଉପରେ ରୋକ ଲଗାଇ ଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀ ରିଙ୍କି ଭୂୟାଁ ଶର୍ମା ଦାଖଲ କରିଥିବା ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

କିନ୍ତୁ ତେଲଙ୍ଗାନା ହାଇକୋର୍ଟ ତାଙ୍କୁ ଗୋଟିଏ ସପ୍ତାହର ଆଗୁଆ ଜାମିନ ଦେଇଥିଲେ। ଏହା ବିରୋଧରେ ଆସାମ ପୁଲିସ୍ ସୁପ୍ରିମକୋର୍ଟ ଯାଇଥିଲା। ଏହାର ଶୁଣାଣି କରି ଏବେ ସର୍ବୋଚ୍ଚ ଅଦାଲତ ଅନ୍ତରୀଣ ଜାମିନ ଉପରେ ରୋକ ଲଗାଇ ଦେଇଛନ୍ତି। ଅନ୍ତରୀଣ ଜାମିନ ଉପରେ ରୋକ ଲଗାଇବା ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଖେଡା ଆସାମର ଉପଯୁକ୍ତ କୋର୍ଟରେ ଆଶ୍ୱସ୍ତି ପାଇବାକୁ ଆବେଦନ କରିପାରିବେ। ଆଜିର ନିର୍ଦ୍ଦେଶ ଖେଡାଙ୍କୁ ଆସାମ କୋର୍ଟରେ ଜାମିନ ଆବେଦନ ପାଇଁ କୌଣସି ପ୍ରକାରର ପ୍ରତିବନ୍ଧକ ଲଗାଇବ ନାହିଁ।
ଗତ ଶୁକ୍ରବାର ତେଲଙ୍ଗାନା ହାଇକୋର୍ଟ ଖେଡାଙ୍କୁ ଗୋଟିଏ ସପ୍ତାହର ଜାମିନ ପ୍ରଦାନ କରି ନିୟମିତ ଜାମିନ ପାଇଁ ଉପଯୁକ୍ତ କୋର୍ଟରେ ଆବେଦନ କରିବାକୁ କହିଥିଲେ। ଆବେଦନ କରିବାକୁ ହାଇକୋର୍ଟ ଖେଡାଙ୍କୁ ୭ ଦିନର ସମୟ ମଧ୍ୟ ଦେଇଥିଲେ । ସୁପ୍ରିମକୋର୍ଟ କହିଛନ୍ତି, “ଯଦି ଆବେଦନକାରୀ ଆସାମର କୌଣସି କୋର୍ଟରେ ଜାମିନ ପାଇଁ ଆବେଦନ କରୁଛନ୍ତି, ତା’ହେଲେ ତା’ ଉପରେ ଆଜିର ନିର୍ଦ୍ଦେଶ କୌଣସି ପ୍ରକାରର କୁପ୍ରଭାବ ପକାଇବ ନାହିଁ। ଉପଯୁକ୍ତ କୋର୍ଟରେ ଆଇନଗତ ବିକଳ୍ପ ବ୍ୟବହାର କରିବାକୁ ଆବେଦନକାରୀଙ୍କ ପାଖରେ ସୁଯୋଗ ରହିଛି।”
ଆଜିର ଶୁଣାଣି ବେଳେ ଆସାମ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ ଯେ ଅପରାଧ ଆସାମରେ ଘଟିଥିବା ବେଳେ ତେଲଙ୍ଗାନା ହାଇକୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। କିନ୍ତୁ ଏହା ତେଲଙ୍ଗାନା ହାଇକୋର୍ଟଙ୍କ ପରିସର ଭୁକ୍ତ ନୁହଁ। ମାମଲା ହୋଇଥିବା ସ୍ଥାନର ପରିସୀମା ବାହାରେ ଖେଡା ଆବେଦନ କରିଥିଲେ। ସେ ଘଟଣା ଘଟିଥିବା ଆସାମ କୋର୍ଟରେ କୌଣସି ପ୍ରକାରର ଆବେଦନ କରି ନାହାନ୍ତି । ଆଶ୍ୱସ୍ତି ପାଇଁ ଖେଡା ଦାଖଲ କରିଥିବା ଦସ୍ତାବିଜକୁ ନେଇ ମଧ୍ୟ ଆସାମ ସରକାର ଚିନ୍ତା ପ୍ରକଟ କରିଛନ୍ତି। ସେ ଦାଖଲ କରିଥିବା ଆଧାର କାର୍ଡର ସାମ୍ନା ପଟେ ଖେଡାଙ୍କ ନାଁ ରହିଥିବା ବେଳେ ପଛ ପାଖରେ ପତ୍ନୀଙ୍କ ଠିକଣା ରହିଛି। ଏହାକୁ ବ୍ୟବହାର କରି ତେଲଙ୍ଗାନା ହାଇକୋର୍ଟ ପରିସୀମା ମଧ୍ୟରେ ମାମଲା ଆସିଥିବା ଦର୍ଶାଯାଇଥିଲା।
ଏହା ଶୁଣିବା ପରେ ଅଧିକ ଯାଞ୍ଚର ଆବଶ୍ୟକତା ଥିବା ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଖେଡାଙ୍କୁ ଜବାବ ଦାଖଲ କରିବାକୁ ନୋଟିସ କରିଛନ୍ତି। ଖେଡା ଗୋଟିଏ ସପ୍ତାହର ଅନ୍ତରୀଣ ଜାମିନ ପାଇଥିବା ବେଳେ ତେଲଙ୍ଗାନା ହାଇକୋର୍ଟରେ ଆଉ ୩ ସପ୍ତାହର ସମୟ ମାଗିଥିବା ସୁପ୍ରିମକୋର୍ଟ ଜାଣିବାକୁ ପାଇଛନ୍ତି । ଏପ୍ରିଲ ୫ରେ ଖେଡ଼ା ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଥିଲେ ଯେ ରିଙ୍କି ଭୂୟାଁ ଶର୍ମାଙ୍କ ନାଁରେ ଏକାଧିକ ପାସପୋର୍ଟ ରହିଛି। ସେହିପରି ବିଦେଶରେ ତାଙ୍କ ନାଁରେ ଏକାଧିକ ସମ୍ପତ୍ତି ରହିଥିଲେ ହେଁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜ ନିର୍ବାଚନୀ ସତ୍ୟପାଠରେ ଏହାକୁ ଉଲ୍ଲେଖ କରି ନାହାନ୍ତି।
ତେବେ ଏହାକୁ ବିଶ୍ୱଶର୍ମାଙ୍କ ପରିବାର ଲୋକ ଦୃଢ଼ ଭାବେ ଖଣ୍ଡନ କରିଥିଲେ। ଏହାପରେ ରିଙ୍କି ଭୂୟାଁ ଶର୍ମା ଆସାମ ପୁଲିସ୍ରେ ଗୋଟିଏ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ଗୁହାଟୀ କ୍ରାଇମ ବ୍ରାଞ୍ଚ ବିଭିନ୍ନ ଦଫାରେ ଖେଡ଼ାଙ୍କ ନାଁରେ ମାମଲା କରିଥିଲା।
ଏହାପରେ ଆସାମ ପୁଲିସ୍ର ଗୋଟିଏ ଟିମ ସିଧା ପବନ ଖେଡାଙ୍କୁ ଗିରଫ କରିବାକୁ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚି ଯାଇଥିଲା। ଗିରଫଦାରୀ ଆଶଙ୍କାରେ ପବନ ଖେଡା ହାଇଦ୍ରାବାଦ ଚାଲି ଯାଇଥିଲେ। ସେଠାରେ ଥିବା ତେଲଙ୍ଗାନା ହାଇକୋର୍ଟରେ ସେ ଅନ୍ତରୀଣ ଜାମିନ ପାଇଁ ଅବେଦନ କରିଥିଲେ।






