A.K ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ସସ୍ମିତ ପାତ୍ର ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଥିବା ନେଇ ପ୍ରଥମେ ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରକାଶ ପାଇଥିଲା। ଏନେଇ ୬ ତାରିଖରେ ଆମେ ଏକ ରିପୋର୍ଟ ପ୍ରକାଶ କରିଥିଲୁ । ୨୦୨୨ ଜୁଲାଇରେ ରାଜ୍ୟସଭାରେ ଦଳର ନେତା ଭାବେ ସସ୍ମିତ ପାତ୍ରଙ୍କୁ ନିଯୁକ୍ତି ମିଳିଥିଲା। ସେତେବେଳେ ରାଜ୍ୟସଭାରେ ଦଳର ବରିଷ୍ଠ ନେତାମାନଙ୍କୁ ଅଣଦେଖା କରି ସସ୍ମିତଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ଗତ ସପ୍ତାହରେ ସାଂସଦ ସସ୍ମିତ ପାତ୍ର ଅଚାନକ ରାଜ୍ୟସଭାରେ ଦଳର ନେତା ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କର ଲିଖିତ ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିକଟକୁ ପଠାଇଥିବାବେଳେ ଦଳର କିଛି ସାଂସଦ ମଧ୍ୟ ତାଙ୍କୁ ଏହି ପଦରୁ ହଟାଇବା ନିମନ୍ତେ ନବୀନଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି ବୋଲି ଆମେ ୬ ତାରିଖ ରିପୋର୍ଟରେ ଲେଖିଥିଲୁ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାଣ୍ଡିଆନଙ୍କ ଇଙ୍ଗିତରେ ତାଙ୍କର ଖାସ୍ ସହଯୋଗୀ ସାଂସଦ ମାନସ ମଙ୍ଗରାଜ ହିଁ ସସ୍ମିତଙ୍କୁ ଏହି ପଦରୁ ହଟାଇବା ନିମନ୍ତେ ଗୋଟିଚାଳନା କରିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ସଂସଦୀୟ କାର୍ଯ୍ୟରେ ବେଶ୍ ଭଲ ପ୍ରଦର୍ଶନ କରୁଥିବା ସସ୍ମିତଙ୍କୁ କେଉଁ ତ୍ରୁଟି ପାଇଁ ଏହି ପଦରୁ ଅଚାନକ ହଟାଇବାକୁ ଏଭଳି ଷଡ଼ଯନ୍ତ୍ର ରଚାଗଲା ତାକୁ ନେଇ ଦଳରେ କେହି ମୁହଁ ଖୋଲୁନାହାନ୍ତି। ତେବେ ସନ୍ତୃପ୍ତ ମିଶ୍ର ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଘଟିଥିଲା ଏହି ଘଟଣା।






