AK ପଡ଼ୋଶୀ ଘରେ ରହୁଥିବା ବୃଦ୍ଧାଙ୍କୁ ନିର୍ଯାତନା ଦେଉଥିଲେ ତାଙ୍କ ପୁଅବୋହୂ। ଏହାର ପ୍ରତିବାଦ କରି ପୁଲିସକୁ ଖବର ଦେଇ ହତ୍ୟାର ଶିକାର ହେଲେ ଯୁବକ । ଘଟଣା ଘଟିଛି ବ୍ରହ୍ମପୁର ବଡ଼ବଜାର ଥାନା ହରିଡ଼ାଖଣ୍ଡି ରେଡିକା ସାହିରେ । ପଡ଼ୋଶୀ ଘରେ ରହୁଥିବା ବୃଦ୍ଧାଙ୍କୁ ନିର୍ଯାତନା ଦେଉଥିଲେ ତାଙ୍କ ପୁଅବୋହୂ। ଏହାର ପ୍ରତିବାଦ କରି ପୁଲିସକୁ ଖବର ଦେଇ ହତ୍ୟାର ଶିକାର ହେଲେ ଯୁବକ। ଘଟଣା ଘଟିଛି ବ୍ରହ୍ମପୁର ବଡ଼ବଜାର ଥାନା ହରିଡ଼ାଖଣ୍ଡି ରେଡିକା ସାହିରେ। ମୃତକଙ୍କ ନାଁ ଜି. ଭଗବାନ ରେଡ୍ଡୀ।

ଗତକାଲି ରେଡିକା ସାହିର ଭଗବାନଙ୍କ ମା’ଙ୍କ ଦ୍ୱାଦଶାହ କାର୍ଯ୍ୟ ଥିବା ବେଳେ ତାଙ୍କ ପଡ଼ୋଶୀ ଲିଙ୍ଗା ରେଡ୍ଡୀ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ରେଡ୍ଡୀଙ୍କ ସମେତ ୨୦ରୁ ଅଧିକ ଲୋକ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ଭଗବାନଙ୍କୁ ମାଡ଼ ମାରିବା ସହିତ ଛୁରୀରେ ଭୁଷି ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି।
ଏହି ଘଟଣାରେ ପୁଲିସ ଭଗବାନଙ୍କ ପଡ଼ୋଶୀ ଲିଙ୍ଗା ରେଡ୍ଡୀ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ରେଡ୍ଡୀଙ୍କୁ ଅଟକ ରଖିଛି। ଅନ୍ୟମାନଙ୍କୁ ପୁଲିସ ଖୋଜୁଛି। କାହା ଦୁଃଖ ଦେଖିପାରୁ ନଥିଲେ ଭଗବାନ
ଜି.ଭଗବାନ ରେଡ୍ଡିଙ୍କ ନାଁ ଯେମିତି କାମ ବି ସେମିତି ଥିଲା। ସେ ଜଣେ ସମାଜସେବୀ ଥିଲେ। ସେ କାହାର ଦୁଃଖ ଦେଖିପାରୁନଥିଲେ। ଲିଙ୍ଗା ରେଡ୍ଡୀଙ୍କ ପରିବାର ତାଙ୍କ ଘର ପାଖରେ ରହନ୍ତି। ଲିଙ୍ଗାଙ୍କ ସହିତ ତାଙ୍କର ୭୦ ବର୍ଷୀୟା ବୃଦ୍ଧା ମା’ ରହନ୍ତି। ହେଲେ ଲିଙ୍ଗା ତାଙ୍କର ଯତ୍ନ ନିଅନ୍ତି ନାହିଁ। ଲିଙ୍ଗାଙ୍କ ପତ୍ନୀ ମଧ୍ୟ ଶାଶୂଙ୍କ ସେବା କରନ୍ତି ନାହିଁ। ଏହାକୁ ଭଗବାନ ସହି ପାରୁ ନଥିଲେ। ଦିନେ ଲିଙ୍ଗାଙ୍କ ମା’ଙ୍କୁ ତାଙ୍କ ପରିବାର ଲୋକେ ଖରାରେ ମାଡ଼ ମାରିବା ସହିତ ଉଲଗ୍ନ ଅବସ୍ଥାରେ ବାହାରେ ପକାଇ ଦେଇଥିଲେ। ଭଗବାନ ଏହାର ଭିଡିଓ ଉତ୍ତୋଳନ କରିବା ସହିତ ବଡ଼ ବଜାର ଥାନାରେ ଏତଲା ଦେଇଥିଲେ। ପୁଲିସ ଲିଙ୍ଗା ଓ ତାଙ୍କ ପତ୍ନୀ ଲକ୍ଷ୍ମୀଙ୍କ ସହିତ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଥାନାକୁ ଡକାଇ ମା’ଙ୍କ ଯତ୍ନ ନେବାକୁ ତାଗିଦ୍ କରିଥିଲା। ଆଉ ଏହି ଘଟଣାକୁ ନେଇ ଭଗବାନଙ୍କ ଉପରେ ରାଗ ରଖିଥିଲେ ଲିଙ୍ଗା ଓ ଲକ୍ଷ୍ମୀ।
ଯୋଜନାବଦ୍ଧ ହତ୍ୟା
ଏହା ଭିତରେ ଭଗବାନଙ୍କ ମା’ଙ୍କ ପରଲୋକ ହୋଇଯାଇଥିଲା। ଗତକାଲି ଥିଲା ତାଙ୍କର ଦ୍ୱାଦଶାହ। ଦ୍ୱାଦଶାହ ଭୋଜିର କାର୍ଯ୍ୟ ସାରି ଭଗବାନ ତାଙ୍କର ଦୁଇ ଜଣ ସାଙ୍ଗ ସହ ମିଶି ଆବର୍ଜନା ଫିଙ୍ଗିବାକୁ ଯାଇଥିଲେ ଉତ୍ତରାମୁଖୀ ଅଞ୍ଚଳକୁ। ଆଉ ସେଠାରେ ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ ଲିଙ୍ଗା ଓ ଲକ୍ଷ୍ମୀଙ୍କ ସମେତ ୨୦ରୁ ଅଧିକ ଲୋକ। ଭଗବାନଙ୍କ ଦୁଇ ସାଙ୍ଗ ଦୌଡ଼ି ପଳାଇଥିଲେ। ଅଭିଯୁକ୍ତମାନେ ଭଗବାନଙ୍କୁ ନିସ୍ତୁକ ପିଟିବା ସହିତ ତାଙ୍କ ପେଟ, ଛାତି ଓ ମୁଣ୍ଡକୁ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଭଗବାନଙ୍କୁ ତାଙ୍କର ଦୁଇ ସାଙ୍ଗ ଗୁରୁତର ଭାବେ ଉଦ୍ଧାର କରି ବ୍ରହ୍ମପୁର ସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆଜି ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।






