ବ୍ରହ୍ମପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ପକ୍ଷରୁ ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରନେତାମାନେ ନିଜର ଦୃଢ଼ ବିଚାର, ରାଷ୍ଟ୍ରବାଦୀ ଚିନ୍ତାଧାରା ଓ ଛାତ୍ର ସମାଜର ଭବିଷ୍ୟତକୁ ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସମ୍ମିଳନୀରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସଭାପତି କ୍ରୀର୍ତ୍ତୀ ବନ୍ତ ରଣା ନିଜର ମତ ରଖି କହିଥିଲେ, “ମୋ ପାଇଁ ରାଷ୍ଟ୍ର ପ୍ରଥମ, କୁଟ ରାଜନୀତି ନୁହେଁ।”
ଛାତ୍ର ରାଜନୀତି କେବଳ ପଦପଦବୀ କିମ୍ବା କ୍ଷମତା ହାସଲର ମାଧ୍ୟମ ନୁହେଁ, ବରଂ ଏହା ରାଷ୍ଟ୍ର ଓ ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ପ୍ରମାଣିତ କରିବାର ଏକ ମଞ୍ଚ ବୋଲି ସେ ମତବ୍ୟକ୍ତ କରିଥିଲେ। ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମ୍ପାଦିକା ରୋଜାଲିନ୍ ମାହାନ୍ତି ନିଜର ଉଦ୍ବୋଧନରେ ଛାତ୍ରଶକ୍ତିର ସାମର୍ଥ୍ୟ ଓ ଯୁବପିଢ଼ିର ଭୂମିକାକୁ ଗୁରୁତ୍ୱ ଦେଇ କହିଥିଲେ, “ଆମେ ଇତିହାସ ପଢ଼ୁଥିବା ଛାତ୍ରଛାତ୍ରୀ ନୁହେଁ, ଆମେ କାର୍ଯ୍ୟ ଓ ଚରିତ୍ର ମାଧ୍ୟମରେ ଇତିହାସ ଗଢ଼ୁଥିବା ପିଢ଼ି।”

ତାଙ୍କର ଏହି ବକ୍ତବ୍ୟ ଉପସ୍ଥିତ ଛାତ୍ରନେତାମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିଥିଲା। ସମ୍ମିଳନୀରେ ଛାତ୍ରଛାତ୍ରୀଙ୍କ ଅଧିକାର, ଶିକ୍ଷାର ଗୁଣାତ୍ମକ ବିକାଶ, ନେତୃତ୍ୱରେ ନୈତିକତା, ରାଷ୍ଟ୍ର ନିର୍ମାଣ ଏବଂ ସମାଜ ପ୍ରତି ଯୁବପିଢ଼ିର କର୍ତ୍ତବ୍ୟ ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରନେତାମାନଙ୍କ ଏହି ଦୃଢ଼ ଓ ସ୍ପଷ୍ଟ ବିଚାରଧାରା ଗଞ୍ଜାମ ଜିଲ୍ଲାର ଛାତ୍ର ନେତୃତ୍ୱର ସକ୍ରିୟତାକୁ ରାଜ୍ୟସ୍ତରରେ ପ୍ରତିଫଳିତ କରିଛି।
ଛାତ୍ରଶକ୍ତି କେବଳ କ୍ୟାମ୍ପସ ମଧ୍ୟରେ ସୀମିତ ନରହି ରାଷ୍ଟ୍ର ଓ ସମାଜର ବୃହତ୍ତର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାର ବାର୍ତ୍ତା ଏହି ସମ୍ମିଳନୀ ମାଧ୍ୟମରେ ପ୍ରତିଧ୍ୱନିତ ହୋଇଥିଲା। ଜ୍ଞାନ, ଚରିତ୍ର ଓ ଏକତାର ମନ୍ତ୍ର ନେଇ ରାଷ୍ଟ୍ର ପୁନଃନିର୍ମାଣର ସଂକଳ୍ପ ସହ ବ୍ରହ୍ମପୁରର ଛାତ୍ରନେତାମାନଙ୍କ ଏହି ଉପସ୍ଥିତି ରାଜ୍ୟସ୍ତରୀୟ ସମ୍ମିଳନୀରେ ଏକ ନୂତନ ଆଲୋଚନାର ବିଷୟ ପାଲଟିଛି। ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ ଏବଂ ଅନ୍ୟ ଅତିଥି ଯୋଗ ଦେଇଥିଲେ।






