ଆମେରିକା-ଇରାନ ଶାନ୍ତି ଆଲୋଚନା ପାଇଁ କଡ଼ା ସୁରକ୍ଷା ବଳୟରେ ଇସଲାମାବାଦ । ସ୍କୁଲ, ବଜାର ବନ୍ଦ, ଟ୍ରାଫିକ କଟକଣା । ଆମେରିକା ଓ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ହୋଇଥିବାବେଳେ ସମସ୍ତଙ୍କ ନଜର ଶନିବାର ପାକିସ୍ତାନ ରାଜଧାନୀ ଇସଲାମାବାଦରେ ହେବାକୁ ଥିବା ଶାନ୍ତି ଆଲୋଚନା ଉପରେ ରହିଛି । ଶାନ୍ତି ବୈଠକ ପାଇଁ ଇସଲାମାବାଦ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ।

ଆମେରିକା ଓ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ହୋଇଥିବାବେଳେ ସମସ୍ତଙ୍କ ନଜର ଶନିବାର ପାକିସ୍ତାନ ରାଜଧାନୀ ଇସଲାମାବାଦରେ ହେବାକୁ ଥିବା ଶାନ୍ତି ଆଲୋଚନା ଉପରେ ରହିଛି । ଶାନ୍ତି ବୈଠକ ପାଇଁ ଇସଲାମାବାଦ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି । ପ୍ରମୁଖ ରାସ୍ତା ଓ ସରକାରୀ ପ୍ରତିଷ୍ଠାନରେ ସୁରକ୍ଷା କର୍ମୀ ପଇଁତରା ମାରୁଛନ୍ତି । ଇସଲାମାବାଦରୁ ମିଳିଥିବା ଭିଡିଓ ଫୁଟେଜଗୁଡ଼ିକ ସହରର ରେଡ ଜୋନକୁ କଡ଼ା ସୁରକ୍ଷା ମଧ୍ୟରେ ଦର୍ଶାଉଛି, ଏହି ଅଞ୍ଚଳରେ କେବଳ ସୀମିତ ନାଗରିକ ଗତିବିଧିକୁ ଅନୁମତି ଦିଆଯାଇଛି । ସଂସଦ, ପ୍ରମୁଖ ସରକାରୀ ପ୍ରତିଷ୍ଠାନ, ବିଳାସପୂର୍ଣ୍ଣ ହୋଟେଲ, ଦୂତାବାସ ଏବଂ ବିଦେଶୀ ସଂଗଠନର କାର୍ଯ୍ୟାଳୟ ଥିବା ରେଡ ଜୋନର ରାସ୍ତାଗୁଡ଼ିକୁ ସାଧାରଣ ଯାନବାହନ ଚଳାଚଳ ବନ୍ଦ କରାଯାଇଛି । ଚେକ୍ ପଏଣ୍ଟଗୁଡ଼ିକରେ ସଶସ୍ତ୍ର ପୁଲିସ ମୁତୟନ ହୋଇଛନ୍ତି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କର୍ତ୍ତୃପକ୍ଷ ଗୁରୁବାର ଓ ଶୁକ୍ରବାର ଜାତୀୟ ରାଜଧାନୀରେ ଛୁଟି ଘୋଷଣା କରିଥିଲେ । ଅନେକ ସ୍କୁଲ ଓ ଦୋକାନ ବଜାର ବନ୍ଦ ରଖାଯାଇଥିଲା। ଫେବ୍ରୁଆରି ୨୮ରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କୁ ହତ୍ୟା ପରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ମଙ୍ଗଳବାରଠାରୁ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ପାଇଁ ବନ୍ଦ ରହିଛି। ପାକିସ୍ତାନର କୂଟନୈତିକ ହସ୍ତକ୍ଷେପ ଦ୍ୱାରା ସହଜ ହୋଇଥିବା ଏହି ଅସ୍ଥାୟୀ ଯୁଦ୍ଧବିରତି ଉଭୟ ପକ୍ଷ ପାଇଁ ଉତ୍ତେଜନା ବନ୍ଦ କରିବାକୁ ଆଲୋଚନା ପାଇଁ ଏକ ସଂକୀର୍ଣ୍ଣ ତଥା ଦୁର୍ବଳ ସୁଯୋଗ ଖୋଲି ଦେଇଛି
ତେବେ ଅଲଜଜିରା ରିପୋର୍ଟ ଅନୁଯାୟୀ ଲେବାନନ୍ ଉପରେ ଇସ୍ରାଏଲ ଆକ୍ରମଣକୁ ନେଇ ଇରାନ ଅସନ୍ତୁଷ୍ଟ ଥିବାବେଳେ ଇରାନ ପ୍ରତିନିଧି ଦଳ ଆଲୋଚନା ପାଇଁ ଏପର୍ଯ୍ୟନ୍ତ ବାହାରି ନାହାନ୍ତି। ଅନ୍ୟପକ୍ଷରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ତାଙ୍କ ପ୍ରତିନିଧି ଦଳ ଆଗାମୀ ଆଲୋଚନା ପାଇଁ ହଙ୍ଗେରୀ ଛାଡ଼ି ସାରିଛନ୍ତି । ତେବେ ଆମେରିକା ପ୍ରତିନିଧି ଦଳକୁ ନେଇ ପାକିସ୍ତାନରେ ଅବସ୍ଥାପିତ ୱାସିଂଟନର ରାଷ୍ଟ୍ରଦୂତ ଚିନ୍ତା ପ୍ରକଟ କରିଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ମହସିନ୍ ନକ୍ଭୀ ଆମେରିକା ପ୍ରତିନିଧି ଦଳ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ଆଶ୍ବାସନା ଦେଇଥିବା ଗଲ୍ଫ ନ୍ୟୁଜ ପକ୍ଷରୁ କୁହାଯାଇଛି । ଏହାସହିତ ଆମେରିକାର ୩୦ ଜଣିଆ ଅତ୍ୟାଧୁନିକ ସୁରକ୍ଷା ଟିମ୍ ଇସଲାମାବାଦ ଆସି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛି।
ପାକିସ୍ତାନର ହୋଟେଲ ସେରେନାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ସୁରକ୍ଷା ବ୍ୟବସ୍ଥା ନେଇ ଇସଲାମାବାଦର କ୍ଷମତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ପୂର୍ବତନ ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ ଆରି ଫ୍ଲେଇସର୍ ଇସଲାମାବାଦରେ ଆମେରିକୀୟ ଆଲୋଚନାକାରୀଙ୍କ ପାଇଁ ଚିନ୍ତା ପ୍ରକାଶ କରିଛନ୍ତି । ଦଳଙ୍କ ସୁରକ୍ଷା ପାଇଁ ବାୟୁସେନା ଆଇଏଲ୍-୭୮ ରିଫିଉଲିଂ ଟ୍ୟାଙ୍କର ଓ ସି-୧୩୦ ବିମାନ ମୁତୟନ କରିଛି । ପାକିସ୍ତାନ ବାୟୁସେନା ବିମାନ ଇରାନର ବନ୍ଦର ଆବାସ ବିମାନବନ୍ଦରରେ ଦେଖିବାକୁ ମିଳିଛି। ଇରାନର ପ୍ରତିନିଧି ଦଳ ବିମାନକୁ ସୁରକ୍ଷା ଯୋଗାଇବାକୁ ପାକିସ୍ତାନ ଏହି ପଦକ୍ଷେପ ନେଇଛି । ଇସଲାମାବାଦ ଆସୁଥିବା ଇରାନ ପ୍ରତିନିଧି ଦଳ ଉପରେ ଇସ୍ରାଏଲ କୌଣସି ପ୍ରକାର ଆକ୍ରମଣ ଯେପରି ନ କରିପାରିବ ସେଥିପାଇଁ ପାକିସ୍ତାନ ଏଡବ୍ଲ୍ୟୁଏସିଏସ୍ ବ୍ୟବସ୍ଥା ମଧ୍ୟ ମୁତୟନ କରିଛି। ଆସନ୍ତା ଆଲୋଚନା ପାଇଁ ଆସୁଥିବା ସାମ୍ବାଦିକଙ୍କ ସହିତ ସମସ୍ତ ପ୍ରତିନିଧିଙ୍କ ପାଇଁ ପାକିସ୍ତାନ ଭିସା ଅନ୍ ଆରାଇଭାଲ୍ ଜାରି କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ବିଦେଶ ମନ୍ତ୍ରୀ ଇସାକ ଦାର୍ କହିଛନ୍ତି ଯେ, ଇସଲାମାବାଦ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସମର୍ଥନ କରିବା ପାଇଁ ସମସ୍ତ ପ୍ରକ୍ରିୟାକୁ ସରଳ କରିଛି । ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ପାକିସ୍ତାନ ଏକ ପ୍ରମୁଖ ମଧ୍ୟସ୍ଥତା ଭାବରେ ଉଭା ହେଉଥିବାରୁ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ କାର୍ଯ୍ୟକାରୀ କରିବା ପାଇଁ ଇସଲାମାବାଦର କ୍ଷମତା ଉପରେ ସମସ୍ତଙ୍କ ନଜର ରହିବ ।






