ଦକ୍ଷିଣ ପଶ୍ଚିମ ମୌସୁମୀ ପାରମ୍ପରିକ ଭାବେ କେରଳ ଦେଇ ଭାରତର ବିଭିନ୍ନ ସ୍ଥାନକୁ ପ୍ରବେଶ କରିଥାଏ। ଜୁନ ୧ରେ ଏହା କେରଳ ସ୍ପର୍ଶ କରିବା ସହ ସେପ୍ଟେମ୍ବର ଯାଏ ସମଗ୍ର ଦେଶରେ ନିଜର ଦବଦବା ଦେଖାଇଥାଏ। ଭାରତ ଗୋଟିଏ କୃଷି ପ୍ରଧାନ ଦେଶ। ଦେଶର ଚାଷ ସବୁବେଳେ ମୌସୁମୀ ବର୍ଷା ଉପରେ ନିର୍ଭର କରେ। ଚାଷୀ କୁଳ ସବୁବେଳେ ମୌସୁମୀ ଉପରେ ନିର୍ଭର କରି ରୁହନ୍ତି। ତେଣୁ ଦେଶରେ ମୌସୁମୀ କେମିତି ରହିବ, ସେକଥା ଜାଣିବା ପାଇଁ ସମସ୍ତେ ଅପେକ୍ଷା କରି ରହିଥାଆନ୍ତି। ଏହିକ୍ରମରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ଦେଶରେ କେମିତି ରହିବ, ତା’ର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

୨୦୨୬ ବର୍ଷରେ ମୌସୁମୀ ସ୍ୱାଭାବିକ ଠାରୁ କମ ବର୍ଷିବ। ଚଳିତ ବର୍ଷ ସମଗ୍ର ଦେଶରେ ଦୀର୍ଘ ଅବଧିରେ ହାରହାରି ୯୨% ଯାଏ ବର୍ଷା ହେବ। ଏହି ଆକଳନ ୫% ଅଧିକ କିମ୍ବା ୫% କମ ହୋଇପାରେ। ଜୁନରୁ ସେପ୍ଟେମ୍ବର ମଧ୍ୟରେ ୯୦ରୁ ୯୫% ବର୍ଷା ହେଲେ ଏହାକୁ ସ୍ୱାଭାବିକ ଠାରୁ କମ ବର୍ଷା ବୋଲି କୁହାଯାଏ। ଦକ୍ଷିଣ ପଶ୍ଚିମ ମୌସୁମୀ ପାରମ୍ପରିକ ଭାବେ କେରଳ ଦେଇ ଭାରତର ବିଭିନ୍ନ ସ୍ଥାନକୁ ପ୍ରବେଶ କରିଥାଏ। ଜୁନ ୧ରେ ଏହା କେରଳ ସ୍ପର୍ଶ କରିବା ସହ ସେପ୍ଟେମ୍ବର ଯାଏ ସମଗ୍ର ଦେଶରେ ନିଜର ଦବଦବା ଦେଖାଇଥାଏ। ଚଳିତ ବର୍ଷ ମୌସୁମୀ କେବେ ଭାରତରେ ପ୍ରବେଶ କରିବ, ସେକଥା ଆଇଏମଡି କହି ନାହିଁ। କିନ୍ତୁ ଚଳିତ ବର୍ଷ ସ୍ୱାଭାବିକ ଠାରୁ କମ ବର୍ଷା ହେବ ବୋଲି ଆକଳନ କରିଛି। ଏପରି ଆକଳନ କୃଷି କ୍ଷେତ୍ରକୁ ଚିନ୍ତାରେ ପକାଇ ଦେଇଛି।
ଆଇଏମଡି ପକ୍ଷରୁ ଆଜି ମୌସୁମୀକୁ ନେଇ ପ୍ରଥମ ଦୀର୍ଘ କାଳୀନ ପୂର୍ବାନୁମାନ ଜାରି କରାଯାଇଛି। ଆସନ୍ତା ମେ’ରେ ଦ୍ୱିତୀୟ ପୂର୍ବାନୁମାନ ଜାରି କରାଯିବ। ମୌସୁମୀ ପ୍ରବାହ ଉପରେ ଏଲ ନିନୋର ଭୂମିକା ଗୁରୁତ୍ୱ ବହନ କରେ। ଏଥର ମୌସୁମୀ ଉପରେ ଏଲ ନିନୋର ପ୍ରଭାବ ଅଧିକ ଥିବାରୁ ସ୍ୱାଭାବିକ ଠାରୁ କମ ବର୍ଷା ହେବ।
ଦେଶର ଜିଡିପିରେ କୃଷି କ୍ଷେତ୍ରର ଅବଦାନ ୧୮%। ସେହିପରି ଦେଶର ୪୨% ଲୋକ କୃଷି ଉପରେ ନିର୍ଭର କରନ୍ତି। ତେଣୁ ମୌସୁମୀ ସ୍ୱାଭାବିକ ଠାରୁ କମ ବର୍ଷିବା ଭଲ ସଙ୍କେତ ନୁହେଁ। ମୌସୁମୀ ଉପରେ ଦେଶର ୫୨% ଉତ୍ପାଦନ ନିର୍ଭର କରିଥାଏ। ସେହିପରି ପିଇବା ପାଣି ଯୋଗାଣ ଓ ବିଜୁଳି ଉତ୍ପାଦନରେ ମଧ୍ୟ ଭଲ ମୌସୁମୀ ସହାୟକ ହୋଇଥାଏ।






