AK ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ କୂଟନୀତି ତୀବ୍ର ହୋଉଥିବା ମନେ ହେଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋନଚା ପାଇଁ ଇସାରା ଦେଇଛନ୍ତି । ସେ କହିଛନ୍ତି, ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ସେ ବ୍ୟକ୍ତିଗତ ଭାବେ ପାକିସ୍ତାନ ଗସ୍ତ କରିପାରନ୍ତି । ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନ ଅନେକ ପ୍ରମୁଖ ସର୍ତ୍ତରେ ରାଜି ହୋଇଛି । ଇରାନ ସହିତ ଶାନ୍ତି ଆଲୋଚନା ଦୂର ନୁହେଁ । ଯଦି ଇସଲାମାବାଦରେ ଏକ ଚୁକ୍ତି ସ୍ୱାକ୍ଷରିତ ହୁଏ ସେ ନିଜେ ପାକିସ୍ତାନ ଗସ୍ତ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଟ୍ରମ୍ପଙ୍କ ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି ।

ଅସୀମ ମୁନିରଙ୍କର କଲେ ପ୍ରଶଂସା- ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ୍ କହିଥିଲେ, “ଯଦି ଚୁକ୍ତି ଇସଲାମାବାଦରେ ହୁଏ, ତେବେ ମୁଁ ଯାଇପାରେ। ସେମାନେ (ପାକିସ୍ତାନ) ଚାହାଁନ୍ତି ମୁଁ ଯାଏ ବୋଲି । ଆମେରିକା ରାଷ୍ଟ୍ରପତି ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବାରେ ପାକିସ୍ତାନର ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି, ଏହାର ଅଂଶଗ୍ରହଣକୁ “ଉତ୍ତମ” ବୋଲି କହିଛନ୍ତି । ଟ୍ରମ୍ପ୍ ଶାହବାଜ ସରିଫ ଏବଂ ମୁନିରଙ୍କୁ ପ୍ରଶଂସା କରି କହିଛନ୍ତି, “ଫିଲ୍ଡ ମାର୍ଶାଲ ବହୁତ ଭଲ, ଶାହବାଜ ସରିଫ ମଧ୍ୟ ବହୁତ ଭଲ, ତେଣୁ ହୁଏତ ମୁଁ ଯିବି । ପାକିସ୍ତାନ ମଧ୍ୟସ୍ଥତା ଭାବରେ ଭଲ କାମ କରିଛି ତାର ଭୂମିକା ବହୁତ ଗଠନମୂଳକ ହୋଇଛି । “
‘ୟୁରାନିୟମ ହସ୍ତାନ୍ତର କରିବାକୁ ଇରାନ ରାଜି’- ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ବଡ଼ ଦାବି କରି କହିଛନ୍ତି, ” ଇରାନ ୟୁରାନିୟମ ଭଣ୍ଡାର ହସ୍ତାନ୍ତର କରିବାକୁ ରାଜି ହୋଇଛି । ଉଭୟ ପକ୍ଷ ଏକ ଚୁକ୍ତିରେ ପହଞ୍ଚିବାର ନିକଟତର ହୋଇଛନ୍ତି ଯାହା ଛଅ ସପ୍ତାହ ଧରି ଚାଲିଥିବା ସଂଘର୍ଷର ଅନ୍ତ କରିପାରିବ । ଇରାନ ଯେମିତି କେବେ ବି ଆଣବିକ ଅସ୍ତ୍ର ନ ପାଏ ତାହା ସୁନିଶ୍ଚିତ କରିବୁ । ଇରାନ ନ୍ୟୁକ୍ଲିୟର ପ୍ରୋଗ୍ରାମ ଉପରେ ୨୦ ବର୍ଷର ସ୍ଥଗିତ ପ୍ରସ୍ତାବ ଦେଇଥିଲା । । ଯଦିଓ ବିଶ୍ୱାସ କରିବା କଷ୍ଟ କିନ୍ତୁ ଇରାନ ସହିତ ଆମର ଭଲ ସମ୍ପର୍କ ଅଛି । ମୁଁ ଭାବୁଛି ଏହା ପ୍ରାୟ ୪ ସପ୍ତାହର ବୋମାମାଡ ଏବଂ ଦୃଢ ଅବରୋଧର ମିଶ୍ରଣର ପରିଣାମ ।”
କହି ରଖୁଛି କି, ଇରାନ-ଆମେରିକା ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ପ୍ରୟାସ ଜୋରଦାର ହୋଇଛି । ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଗୁରୁବାର ତେହେରାନରେ ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କୁ ଭେଟିଛନ୍ତି । ଅଲ ଜାଜିରା ଅନୁଯାୟୀ, ଆମେରିକା ଏବଂ ଇରାନ ମଧ୍ୟରେ ଏକ ସମ୍ଭାବ୍ୟ ଚୁକ୍ତିନାମାରେ ପହଞ୍ଚିବା ପାଇଁ ପ୍ରୟାସ ମଧ୍ୟରେ ଏହି ଗସ୍ତ ହୋଇଛି ।






