AK ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଓଡ଼ିଶାର ରାଜନୀତିକ ଅଧିକାରକୁ ଅକ୍ଷୂଣ୍ଣ ରଖିବା ପାଇଁ ସଂକଳ୍ପ ପାରିତ କରିବା ନିମନ୍ତେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦାବି କରିଛନ୍ତି। ସଂସଦର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାର ୨୪ ଘଣ୍ଟା ପୂର୍ବରୁ ଓଡ଼ିଶା ରାଜନୀତିରେ ବଡ଼ଧରଣର ହଟଚମଟ ସୃଷ୍ଟି ହୋଇଛି। ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଓଡ଼ିଶାର ରାଜନୀତିକ ଅଧିକାରକୁ ଅକ୍ଷୂଣ୍ଣ ରଖିବା ପାଇଁ ଏକ ସଂକଳ୍ପ ପାରିତ କରିବା ନିମନ୍ତେ ଦାବି କରିଛନ୍ତି।

ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଦ୍ୱାରା ଓଡ଼ିଶାର ଜାତୀୟ ପ୍ରତିନିଧିତ୍ୱ ହ୍ରାସ ପାଇବା ଆଶଙ୍କା କରି ଏହି ପଦକ୍ଷେପ ନେବାକୁ ନବୀନ ଆହ୍ୱାନ କରିଛନ୍ତି। ଅବଶ୍ୟ ଏହି ଚିଠି ମାଧ୍ୟମରେ ଓଡ଼ିଶାର ଇତିହାସ ଓ ଅସ୍ମିତା କଥା ମନେ ପକାଇ ଦେଇ ନବୀନ ରାଜ୍ୟର ସ୍ୱାର୍ଥ ରକ୍ଷା ନିମନ୍ତେ ତାଙ୍କ ଦଳ ସମର୍ଥନ ଦେବ ବୋଲି ଘୋଷଣା କରି ମୋହନ ସରକାରଙ୍କୁ ରାଜନୀତିକ ଦୃଷ୍ଟିରୁ ଅଡ଼ୁଆରେ ପକାଇବାକୁ ପ୍ରୟାସ କରିଛନ୍ତି। ତେବେ ୨୪ବର୍ଷର ଶାସନ ପରେ ବିରୋଧୀ ଦଳରେ ଥିବା ନବୀନ ଅଚାନକ ‘ ଓଡ଼ିଆ ଅସ୍ମିତା’କୁ ନେଇ ତତ୍ପର ହେବା ପଛରେ ଏକ ସୁଚିନ୍ତିତ ରାଜନୀତିକ ରଣନୀତି ରହିଛି ବୋଲି ଚର୍ଚ୍ଚା ଜୋର ଧରିଛି।
ସତର୍କ କଲେ ନବୀନ: ଓଡ଼ିଶା ହେବ ଚତୁର୍ଥ ବଡ଼ କ୍ଷତିଗ୍ରସ୍ତ ରାଜ୍ୟ
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଥିବା ୩ପୃଷ୍ଠାର ଚିଠିରେ ନବୀନ କହିଛନ୍ତି ଯେ, ଡିଲିମିଟେସନ୍ ବିଲ୍ ବା ସୀମା ନିର୍ଦ୍ଧାରଣ ବିଲ୍ ସଂସଦରେ ପାରିତ ହେଲେ ଜାତୀୟସ୍ତରରେ ଓଡ଼ିଶାର ପ୍ରତିନିଧିତ୍ୱ ଆନୁପାତିକ ଭାବେ କ୍ଷତିଗ୍ରସ୍ତ ହେବ। ଏହି ବିଲ୍ ପାରିତ ହେଲେ ଓଡ଼ିଶା କିଭଳି କ୍ଷତି ସହିବ, ତାହାର ଏକ ଗଭୀର ଚିତ୍ର ନବୀନ ପ୍ରଦାନ କରିଛନ୍ତି । ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳ ବିକାଶ କ୍ଷେତ୍ରରେ ଓଡ଼ିଶା ଦେଶର ଏକ ଆଗୁଆ ରାଜ୍ୟ ହୋଇଥିବା ସତ୍ତ୍ୱେ, ଏହାର ରାଜନୈତିକ ସ୍ୱରକୁ ହ୍ରାସ କରି ଅନ୍ୟ ରାଜ୍ୟଗୁଡ଼ିକୁ ସୁବିଧା ଦିଆଯାଉଛି। ଓଡ଼ିଶା ଏହି Delimitationର ସମଗ୍ର ପ୍ରକ୍ରିୟାରେ ଚତୁର୍ଥ ବଡ଼ କ୍ଷତିଗ୍ରସ୍ତ ରାଜ୍ୟ ହେବ। ଏହା ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା ଆକାଂକ୍ଷାକୁ ଶକ୍ତ ଧକ୍କା ଓ ସମ୍ବିଧାନର ସଂଘୀୟ ବ୍ୟବସ୍ଥା ବା ‘କୋଅପରେଟିଭ୍ ଫେଡେରାଲିଜିମ୍’ ଉପରେ ସିଧାସଳଖ ପ୍ରହାର ବୋଲି ସେ ଅଭିହିତ କରିଛନ୍ତି ।
ନବୀନ ବୁଝାଇଲେ ଡିଲିମିଟେସନ ବିଲ୍ ଗଣିତ ଓ ଓଡ଼ିଶାର କ୍ଷତି
ନବୀନ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, କେନ୍ଦ୍ର ସରକାର ଆଣୁଥିବା ପ୍ରସ୍ତାବିତ ‘ସମ୍ବିଧାନ ୧୩୧ତମ ସଂଶୋଧନ ବିଲ୍’ ଦ୍ୱାରା ଲୋକସଭା ଆସନ ସଂଖ୍ୟା ୫୪୩ ରୁ ୮୫୦କୁ ବୃଦ୍ଧି ପାଇବ। ଏବେ ଓଡ଼ିଶାର ୨୧ଜଣ ସାଂସଦ ଅଛନ୍ତି, ଯାହା ମୋଟ ସଂଖ୍ୟାର ୩.୯%।
ଆଉ ଏହି ବିଲ୍ ପାରିତ ହେଲେ ଓଡ଼ିଶାର ସାଂସଦ ସଂଖ୍ୟା ୨୯କୁ ବୃଦ୍ଧି ପାଇବ ସତ, କିନ୍ତୁ ଆନୁପାତିକ ଦୃଷ୍ଟିରୁ ଏହା ୩.୪% କୁ ହ୍ରାସ ପାଇବ। ଅର୍ଥାତ୍ ଜାତୀୟ ରାଜନୀତିରେ ଓଡ଼ିଶା(Odisha)ର ପ୍ରଭାବ ପ୍ରାୟ ୧୫% କମିଯିବ। ଓଡ଼ିଶା ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳ ବିକାଶରେ ସଫଳତା ପାଇଥିଲେ ମଧ୍ୟ ଏହି ବିଲ୍ ଯୋଗୁଁ ଦେଶର ଚତୁର୍ଥ ବୃହତ୍ତମ କ୍ଷତିଗ୍ରସ୍ତ ରାଜ୍ୟ ହେବ ବୋଲି ନବୀନ ଚେତାଇ ଦେଇଛନ୍ତି।
ଏହା ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରତି ଘୋର ଅନ୍ୟାୟ ବୋଲି ସେ ଅଭିହିତ କରିଛନ୍ତି।
୪୮ଘଣ୍ଟା ସୁଦ୍ଧା ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ନବୀନଙ୍କ ଦାବି
ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ନବୀନ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଅନୁରୋଧ କରିଛନ୍ତି। ନବୀନ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଓଡ଼ିଶାର ରାଜନୀତିକ ଅଧିକାର ରକ୍ଷା ନିମନ୍ତେ ସଂକଳ୍ପ ପାରିତ କରାଯାଉ। “ଓଡ଼ିଶାର ୦.୦୦୧% ରାଜନୈତିକ ଅଧିକାର ମଧ୍ୟ ଅନ୍ୟ ରାଜ୍ୟକୁ ହସ୍ତାନ୍ତର କରାଯିବ ନାହିଁ ” ବୋଲି ଏହି ସଂକଳ୍ପରେ ଉଲ୍ଲେଖ ରହୁ। ଏହି ଲଢ଼େଇରେ ରାଜ୍ୟ ସରକାରଙ୍କ ସହ ବିଜେଡି ଛିଡ଼ା ହେବ ବୋଲି BJD Naveen Patnaik ପ୍ରତିଶ୍ରୁତି ଦେଇଛନ୍ତି । ତେବେ ମହିଳା ସଂରକ୍ଷଣ ବିଲକୁ ନବୀନ ସ୍ୱାଗତ କରି କହିଛନ୍ତି ଯେ, ଓଡ଼ିଶାର ରାଜନୈତିକ ଅଧିକାର ଅକ୍ଷୂଣ୍ଣ ରହିଲେ ହିଁ ଡିଲିମିଟେସନ ବିଲକୁ ସ୍ୱାଗତ କରାଯିବ। ବିଜୁ ଜନତା ଦଳ ମହିଳା ସଶକ୍ତିକରଣ ଓ ପଂଚାୟତିରାଜରେ ୫୦% ସଂରକ୍ଷଣ କ୍ଷେତ୍ରରେ ସର୍ବଦା ଆଗୁଆ ରହିଛି, କିନ୍ତୁ ରାଜ୍ୟର ସ୍ୱାର୍ଥ ସହ କୌଣସି ବୁଝାମଣା କରାଯିବ ନାହିଁ।
ଓଡ଼ିଶାର ଇତିହାସ କଥା କହି ଅସ୍ମିତା କାର୍ଡ ଖେଳିଲେ ନବୀନ
ନବୀନ ତାଙ୍କର ଏହି ଚିଠିରେ ରାଜ୍ୟର ଐତିହାସିକ ଗୁରୁତ୍ୱ ଓ ବଳିଦାନର ଉଲ୍ଲେଖ କରିବାକୁ ଓଡ଼ିଆ ଅସ୍ମିତା କାର୍ଡ ଖେଳିଛନ୍ତି। ନବୀନ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ୧୯୩୬ ମସିହାରେ ଭାଷା ଭିତ୍ତିରେ ଗଠିତ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ। ପାଇକ ବିଦ୍ରୋହରୁ ଆରମ୍ଭ କରି ଭାରତଛାଡ଼ ଆନ୍ଦୋଳନ ପର୍ଯ୍ୟନ୍ତ ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଗୋପବନ୍ଧୁ ଦାଶ ଓ ୧୨ ବର୍ଷର ବାଳକ ଶହୀଦ ବାଜି ରାଉତଙ୍କ ଅବଦାନକୁ ସେ ସ୍ମରଣ କରାଇଛନ୍ତି। ଜଗନ୍ନାଥ ସଂସ୍କୃତି ମଧ୍ୟ ଦେଶର ଏକତାକୁ ସର୍ବଦା ସୁଦୃଢ଼ କରିଆସିଛି। ଏବେ ଓଡ଼ିଶାର ଖଣିଜ ସମ୍ପଦ, ବନ୍ଦର ଓ କୋଇଲା ଭାରତର ଅର୍ଥନୀତି ତଥା ଶକ୍ତି କ୍ଷେତ୍ରକୁ ସମୃଦ୍ଧ କରୁଛି । କିନ୍ତୁ ଏହି ପ୍ରଗତିଶୀଳ ରାଜ୍ୟକୁ ପ୍ରସ୍ତାବିତ ‘ସମ୍ବିଧାନ ୧୩୧ତମ ସଂଶୋଧନ ବିଲ୍’ ମାଧ୍ୟମରେ ଏକ ଶକ୍ତ ଧକ୍କା ଦେବାକୁ ପ୍ରୟାସ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ସଂସଦ ଅଧିବେଶନର ଦିନକ ପୂର୍ବରୁ ନବୀନଙ୍କ ଏହି ରାଜନୀତିକ ଗୋଟିଚାଳନା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ରାଜ୍ୟରେ ବିଜେପି ସରକାର ଏହାକୁ କିଭଳି ଭାବେ ଗ୍ରହଣ କରୁଛନ୍ତି ଓ ମୋହନ ସରକାର ଉପରେ ନୈତିକ ଚାପ ସୃଷ୍ଟି ପାଇଁ ନବୀନଙ୍କ ପ୍ରୟାସ କେତେ ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର।






