A.K ମହିଳା ଆଇଏଏସ ଶ୍ରୀମତୀ ଦାସଙ୍କ ବିରୁଦ୍ଧରେ ବଳିଷ୍ଠ ତଥ୍ୟପ୍ରମାଣ ରହିଥିବାରୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏବେ କମିଶନରେଟ ପୁଲିସ ଏବେ ରାଜ୍ୟ ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖି ଅନୁରୋଧ କରିଛି। ଏହି ଠକେଇ ମାମଲାରେ ଶ୍ରୀମତୀ ଦାସଙ୍କୁ ପୁଲିସ ଗିରଫ କରିବାର ଆଶଙ୍କା ମଧ୍ୟ ରହିଛି ।
“ଶ.. ହ୍ୟାଣ୍ଡିକ୍ୟାପ୍ ଛୋଟଲୋକ, ଯା…ନା ତୋତେ ଜାଗା ଦେବି ନା ତୋ ପଇସା ଫେରାଇବି, ଆଉ ଯଦି ଥରେ ଏଠିକି କାହାକୁ ପଠାଇଛୁ ତୋ ଗୋଡ଼ଭଳିଆ ହାତ ବି ଭାଙ୍ଗିଦେବି। ବେଶୀ ହେଲେ ମିଛ କେସରେ ଫସାଇଦେବି ।” ୟେ କୌଣସି ଫିଲ୍ମର ସଂଳାପ ନୁହେଁ ବରଂ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ସଚିବ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଜଣେ ମହିଳା ଆଇଏଏସ୍ ଅଫିସରଙ୍କ ଅଶାଳୀନ ମରଣାନ୍ତକ ଧମକ। କଟକ ସିଡିଏ ଅଂଚଳରେ ଜମି ଦେବାର ପ୍ରତିଶ୍ରୁତି ଦେଇ ୨୦୨୨ ନଭେମ୍ବର ମାସରୁ ୯୫ଲକ୍ଷ ଟଙ୍କା ନେଇ ଫାଙ୍କି ଦେଇଥିବା ଗୃହ ବିଭାଗର ଏହି ଅତିରିକ୍ତ ସଚିବ ଆଇଏଏସ୍ ଆରାଧନା ଦାସଙ୍କ ଅଡ଼ୁଆ ଏବେ ବଢ଼ିଛି ।
ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏବେ କମିଶନରେଟ ପୁଲିସ ଏବେ ରାଜ୍ୟ ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖି ଅନୁରୋଧ କରିଛି। ଏହି ଠକେଇ ମାମଲାରେ ମହିଳା ଆଇଏଏସ ଶ୍ରୀମତୀ ଦାସଙ୍କ ବିରୁଦ୍ଧରେ ବଳିଷ୍ଠ ତଥ୍ୟପ୍ରମାଣ ରହିଥିବାରୁ ତାଙ୍କୁ ପୁଲିସ ଗିରଫ କରିବାର ଆଶଙ୍କା ମଧ୍ୟ ରହିଛି । ଜାନୁୟାରୀରୁ ଥାନାରେ ରୁଜୁ ହୋଇଥିବା ଏହି ହାଇପ୍ରୋଫାଇଲ୍ ଠକେଇ ମାମଲାକୁ ଚପାଇ ଦେବାକୁ ପୁଲିସ ପ୍ରୟାସ କରିଥିଲା କିନ୍ତୁ ଗତ ମାର୍ଚ୍ଚ ୧୮ତାରିଖରେ ‘ଓଡ଼ିଶା ରିପୋର୍ଟର’ ଏହି ଖବର ପ୍ରକାଶ କରିବା ପରେ ପୁଲିସ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି ।ଗୃହ ଓ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଲା କମିଶନରେଟ ପୁଲିସ
‘ଓଡ଼ିଶା ରିପୋର୍ଟର’ରେ ମାର୍ଚ୍ଚ ୧୮ତାରିଖରେ ଏହି ଖବର ପ୍ରକାଶ ପାଇବା ପରେ କଟକସ୍ଥିତ ସିଡିଏ ଫେଜ-୨ ଥାନା ଅଧିକାରିଣୀ ଅନୁରାଧା ମାର୍ଥା ମାର୍ଚ୍ଚ ୨୧ତାରିଖରେ ନିଜର ତଦନ୍ତ ରିପୋର୍ଟ କଟକ ଡିସିପିଙ୍କ ନିକଟରେ ଦାଖଲ କରିଥିଲେ। ଆଇଏଏସ୍ ଶ୍ରୀମତୀ ଦାସଙ୍କ ବିରୁଦ୍ଧରେ ୯୫ଲକ୍ଷ ଟଙ୍କା ନେଇଥିବାର ସମସ୍ତ ତଥ୍ୟପ୍ରମାଣ ପୁଲିସକୁ ମିଳିଥିବା ଏବଂ ସେ ତଦନ୍ତରେ ସହଯୋଗ କରୁନଥିବା ସଂକ୍ରାନ୍ତୀୟ ବିସ୍ଫୋରକ ତଥ୍ୟ ଉଲ୍ଲେଖ କରି ଦୁଇ ପୃଷ୍ଠାର ରିପୋର୍ଟ ଦେଇଥିଲେ।
ଥାନା ଆଇଆଇସିଙ୍କ ଏହି ରିପୋର୍ଟକୁ କଟକ ଡିସିପି ଏପ୍ରିଲ ୧ତାରିଖରେ ରାଜ୍ୟ ଗୃହ ସଚିବ ଓ ପୁଲିସ କମିଶନରଙ୍କ ନିକଟକୁ ପଠାଇ ଆଇଏଏସ୍ ଶ୍ରୀମତୀ ଦାସଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହୋଇଥିବା ନେଇ ଅବଗତ କରାଇଥିଲେ।
ପରେ ଅତିରିକ୍ତ ପୁଲିସ କମିଶନର ଏପ୍ରିଲ ୬ତାରିଖରେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ପ୍ରାରମ୍ଭିକ ତଦନ୍ତ ପରେ ଆଇଏଏସ୍ ଶ୍ରୀମତୀ ଦାସଙ୍କ ବିରୁଦ୍ଧରେ ଥାନାରେ ଏଫଆଇଆର ରୁଜୁ ହୋଇଥିବା ନେଇ ସୂଚନା ଦେଇଥିଲେ। ଏହାସହିତ କଟକ ପୁଲିସ ଡିସିପିଙ୍କ ଏପ୍ରିଲ ୧ତାରିଖର ଚିଠି ଓ ଥାନା ଅଧିକାରିଣୀ ଅନୁରାଧା ମାର୍ଥାଙ୍କ ମାର୍ଚ୍ଚ ୨୧ତାରିଖର ତଦନ୍ତ ରିପୋର୍ଟକୁ ମଧ୍ୟ ଏହା ସହ ସଂଲଗ୍ନ କରିଥିବା ଜଣାପଡ଼ିଛି।
ତଦନ୍ତକାରୀ ଅଧିକାରିଣୀ ଦେଲେ ବିସ୍ଫୋରକ ତଥ୍ୟ
ମାର୍ଚ୍ଚ ୨୧ତାରିଖରେ ଥାନା ଅଧିକାରିଣୀ ଅନୁରାଧା ମାର୍ଥା ଦେଇଥିବା ଦୁଇ ପୃଷ୍ଠାର ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି ଯେ,ଆରାଧନା ଦାସ ଜଣେ ସରକାରୀ ଅଫିସର(Home department Odisha) ହୋଇ ମଧ୍ୟ ତଦନ୍ତରେ ପୁଲିସକୁ ସାମାନ୍ୟତମ ସହଯୋଗ କରିନାହାନ୍ତି। ଡାକ ଯୋଗେ ଯାଇଥିବାପୁଲିସର ନୋଟିସକୁ ସେ ଗ୍ରହଣ କରିବାକୁ ମନା କରିବା ସହ ସମ୍ପୂର୍ଣ୍ଣ ଅସହଯୋଗ କରିଥିବା ପୁଲିସ କହିଛି।
ଅନ୍ୟପକ୍ଷରେ ଅଭିଯୋଗକାରିଣୀ ବୀଣା ଭବସିଙ୍କାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ବ୍ୟାଙ୍କ ଷ୍ଟେଟମେଣ୍ଟ ଓ ଚୁକ୍ତିନାମା ଦଲିଲରୁ ଏହି ୯୫ଲକ୍ଷ ଟଙ୍କା କାରବାର ମହିଳା ଆଇଏଏସ୍ ଆରାଧନା ଦାସଙ୍କ ସହ ହୋଇଥିବା ସ୍ପଷ୍ଟ ପ୍ରମାଣ ମିଳିଛି । ଏହି ଆଧାରରେ ୨୦୨୬ ଫେବୃଆରୀ ୫ ତାରିଖରେ ଶ୍ରୀମତୀ ଦାସଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା(ବିଏନଏସ)ର ଧାରା ୩୧୮(୪), ୩୧୬(୨), ୨୯୬(ଖ) ଓ ୩୫୧(୨) ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ କରିଛି।
ଏପରିକି ଆଇଏଏସ୍ ଶ୍ରୀମତୀ ଦାସଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୮୫ଲକ୍ଷ ଟଙ୍କା ଯାଇଥିବା ଓ ୧୦ଲକ୍ଷ ଟଙ୍କା ନଗଦ ଟଙ୍କା ପ୍ରଦାନ କରାଯାଇଥିବାର ପ୍ରାରମ୍ଭିକ ପ୍ରମାଣ ମଧ୍ୟ ପୁଲିସକୁ ମିଳିଛି ବୋଲି ଥାନାଅଧିକାରିଣୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।
ଗିରଫ ହୋଇପାରନ୍ତି ମହିଳା ଆଇଏଏସ୍ ?
ରାଜ୍ୟ ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗକୁ ଲିଖିତ ଭାବେ ପୁଲିସ କମିଶନର ଅବଗତ କରିବା ପରେ ଆଇଏଏସ୍ ଶ୍ରୀମତୀ ଦାସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବାର ଚାପ ବଢ଼ିଛି। ଗୃହ ବିଭାଗରେ ଥାଇ ମଧ୍ୟ ପୁଲିସକୁ ଅସହଯୋଗ କରିବା , ପ୍ରତାରଣା, ବିଶ୍ୱାସଘାତକତା ଓ ପଦର ଦୁରୂପଯୋଗ କରି ଧମକଚମକ ଦେବା ଭଳି ସଙ୍ଗୀନ ଅପରାଧ ରହିଛି। ଏସବୁ ଅଭିଯୋଗ ଯୋଗୁ ଶ୍ରୀମତୀ ଦାସଙ୍କ ବିରୁଦ୍ଧରେ ସର୍ବଭାରତୀୟ ସେବା ରୁଲସ-୧୯୬୮ର ଧାରା-୩, ୪ ଓ ୧୬କୁ ସିଧାସଳଖ ଉଲ୍ଲଘଂନର ଅଭିଯୋଗ ମଧ୍ୟ ରହିଛି। ତେବେ ରାଜ୍ୟ ସରକାର ତାଙ୍କୁ ଘଂଟ ଘୋଡ଼ାଉଛନ୍ତି ନା ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହ ପୁଲିସକୁ ଆଇନ ଅନୁସାରେ କାର୍ଯ୍ୟ କରିବାର ସୁଯୋଗ ଦେଉଛନ୍ତି ତାହା ଏବେ ପାୱାର କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ସମଗ୍ର ପ୍ରସଙ୍ଗରେ ମହିଳା ଆଇଏଏସ ଶ୍ରୀମତୀ ଦାସଙ୍କ ସହ ଯୋଗାଯୋଗ ପାଇଁ ପ୍ରୟାସ ହୋଇଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନାହିଁ । ଅବଶ୍ୟ ପୂର୍ବରୁ (ମାର୍ଚ୍ଚ ୧୮) ସେ ଏଭଳି କୌଣସି ଏଫଆଇଆର ସମ୍ପର୍କରେ ଜାଣନ୍ତି ନାହିଁ ବୋଲି କହି ଫାଙ୍କି ଦେଇଥିଲେ।






