AK ନାବାଳିକା ଜଣଙ୍କ ଗତକାଲି ରାତିରେ ଖାଇବା ପରେ ତାଙ୍କ ବଡ଼ ବାପାଙ୍କ ଘରକୁ ଶୋଇବାକୁ ଯାଇଥିଲେ। ଆଜି ସକାଳେ ଗ୍ରାମବାସୀମାନେ ଏକ କରଞ୍ଜ ଗଛରେ ସେମାନଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା କାଳିଆପୋଷି ଗ୍ରାମ ନିକଟ ଏକ ଗଛରୁ ଜଣେ ନାବାଳିକା ଓ ଜଣେ ୧୯ ବର୍ଷୀୟ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ସେମାନେ ପ୍ରେମୀ ଯୁଗଳ ଥିଲେ ବୋଲି କୁହାଯାଉଛି।

ମୃତ ନାବାଳିକାଙ୍କ ନାଁ ଚନ୍ଦୁ ଦେଓଗାମ । ତାଙ୍କ ଘର କାଳିଆପୋଷି ଗାଁର। ତାଙ୍କୁ ୧୬ ବର୍ଷ ହୋଇଥିଲା । ମୃତ ଛାତ୍ରଙ୍କ ଘର କରଞ୍ଜିଆ ଥାନା ସୁନାପୋଷି ଗାଁରେ। ତାଙ୍କ ନାଁ ପଞ୍ଚ ମୁର୍ମୁ । ପଞ୍ଚ ଭଦ୍ରକରେ ଏକ କଲେଜରେ ପଢୁଥିଲେ ବୋଲି ଜଣାପଡ଼ିଛି । ସେ ଗତକାଲି ଭଦ୍ରକରୁ ଗାଁକୁ ଆସିଥିଲେ । ନାବାଳିକା ଜଣଙ୍କ ଗତକାଲି ରାତିରେ ଖାଇବା ପରେ ତାଙ୍କ ବଡ଼ ବାପାଙ୍କ ଘରକୁ ଶୋଇବାକୁ ଯାଇଥିଲେ। ଆଜି ସକାଳେ ଗ୍ରାମବାସୀମାନେ ଏକ କରଞ୍ଜ ଗଛରେ ସେମାନଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଗୋଟିଏ ଶାଢ଼ୀରେ ସେମାନେ ଝୁଲି ରହିଥିଲେ ।
ଗାଁର ୱାର୍ଡ ମେମ୍ବର ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ଘଟଣାସ୍ଥଳରେ ଉପଖଣ୍ଡ ପୁଲିସ ଅଧିକାରୀ, ଠାକୁରମୁଣ୍ଡା ଥାନା ଅଧିକାରୀ ଏବଂ ମାଜିଷ୍ଟ୍ରେଟ ଭାବେ ଠାକୁରମୁଣ୍ଡା ତହସିଲଦାର ପହଞ୍ଚି ଥିଲେ।
ମୃତକ ଦ୍ୱୟଙ୍କ ଘର ଲୋକଙ୍କ ଉପସ୍ଥିତିରେ ପୁଲିସ ଗଛରୁ ମୃତଦେହ ଦୁଇଟିକୁ ତଳକୁ ଓହ୍ଲାଇଥିଲା ଓ ଯାଞ୍ଚ କରିବା ପରେ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ହସ୍ପିଟାଲକୁ ପଠାଇଥିଲା । ପ୍ରେମରେ କୌଣସି ପ୍ରକାର ବାଧା ଆସିବାରୁ ସେମାନେ ଏଭଳି ଏକ ପଦକ୍ଷେପ ନେଇଥିବା ଆଲୋଚନା ହେଉଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଓ ତଦନ୍ତ ଶେଷ ହେବା ପରେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।






