ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଭିଜିଲାନ୍ସ ଚଢ଼ାଉ । ଭୁବନେଶ୍ବର, କଟକ, ଢେଙ୍କାନାଳ, ଯାଜପୁରରେ ରେଡ୍ । ମିଳିଲାଣି ନଗଦ ୬ ଲକ୍ଷ ଟଙ୍କାରୁ ଅଧିକ । ବ୍ୟାଙ୍କ ଜମା ୬୦ ଲକ୍ଷ । ଘରୁ ମିଳିଲା ଦାମି ଦାମି ହାତ ଘଣ୍ଟା ଓ ଚଷମା ।

ଖାଲି ଜାଲରେ ପଡ଼ିନାହାନ୍ତି, ବାବୁଙ୍କ ସଉକ ଦେଖି ତଦନ୍ତକାରୀ ଅଧିକାରୀଙ୍କ ଆଖି ମଧ୍ୟ ଖୋସି ହୋଇଯାଇଛି । ଘଣ୍ଟା ଠାରୁ ଚଷମା, ଆଉ ଆଲମାରି ଭର୍ତ୍ତି ନଗଦ ଟଙ୍କା; ଏମିତି କିଛି ମିଳିଛି ବାବୁଙ୍କ ଘରୁ। ଜଣେ ସରକାରୀ ବାବୁଙ୍କର ଏତେ ସମ୍ପତ୍ତି କେଉଁଠୁ ଆସିଲା ? ଭୁବନେଶ୍ୱରରୁ ଢେଙ୍କାନାଳ, ଯାଜପୁରରୁ କଟକ; ବାବୁଙ୍କ ସାମ୍ରାଜ୍ୟ ଚାରିଆଡ଼େ ବ୍ୟାପିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ବାବୁଙ୍କ ଖଜାନାରୁ ଯାହା ମିଳିଛି ଶୁଣିଲେ ଆଖି ଝଲସିଯିବ । ଭୁବନେଶ୍ୱର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ରହିଛି ୩୦୦୦ ବର୍ଗଫୁଟର ଏକ ବିଶାଳ ତିନି ମହଲା କୋଠା । ସେହିପରି ଢେଙ୍କାନାଳ ଭାପୁରର ବିମ୍ବୋଲରେ ୧.୭୧ ଏକର ଜମି ଉପରେ ରହିଛି ୪୦୦୦ ବର୍ଗଫୁଟର ଏକ ବିଳାସପୂର୍ଣ୍ଣ ଫାର୍ମ ହାଉସ୍ ସହ ଦୁଇ ମହଲା କୋଠା । ଏଥିସହ ଭୁବନେଶ୍ୱର ଓ ଢେଙ୍କାନାଳରେ ମୋଟ ୫ଟି ମୂଲ୍ୟବାନ ପ୍ଲଟ୍ ଚିହ୍ନଟ ହୋଇଛି ।
ଫିଲ୍ମ ଷ୍ଟାରଙ୍କ ଭଳି ସରକାରୀ ବାବୁଙ୍କ ଠାଣି ଆଉ ଚଳଣି
ଇଞ୍ଜିନିୟର ବାବୁଙ୍କର ଚଳଣି କୌଣସି ଧନୀ ବ୍ୟବସାୟୀଙ୍କ ଠାରୁ କମ୍ ନୁହେଁ
ଘରୁ ମିଳିଛି ଦାମୀ ଦାମୀ ଘଣ୍ଟା ଏବଂ ଚଷମାର ଭଣ୍ଡାର
ଆଖି ଝଲସିଲା ଭଳି ସୁନା ଅଳଙ୍କାର ମଧ୍ୟ ଜବତ
ଖାଲି ସେତିକି ନୁହେଁ, ନଗଦ ମିଳିଛି ୬ ଲକ୍ଷ ୨୩ ହଜାର ଟଙ୍କା
ବ୍ୟାଙ୍କ ଆକାଉଣ୍ଟରେ ରହିଛି ୬୦ ଲକ୍ଷରୁ ଅଧିକ ଟଙ୍କାର ଜମା
୨ଟି ଚାରିଚକିଆ ଯାନ ଓ ୨ଟି ଦୁଇଚକିଆ ଯାନ ମଧ୍ୟ ରଖିଛନ୍ତି ବାବୁ
ବାବୁଙ୍କ ଭ୍ରମଣ ଖର୍ଚ୍ଚ ବି କିଛି କମ୍ ନୁହେଁ
ବିମାନ ଟିକେଟ୍ ବାବଦକୁ ଖର୍ଚ୍ଚ କରିଛନ୍ତି ୧୩.୪୭ ଲକ୍ଷ ଟଙ୍କା
ରାଜ୍ୟରେ ଜଣଙ୍କ ପରେ ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡୁଥିଲେ ମଧ୍ୟ ଦୁର୍ନୀତି ଥମିବାର ନାଁ ନେଉନି। ବର୍ତ୍ତମାନ ଭିଜିଲାନ୍ସର ଟେକ୍ନିକାଲ୍ ୱିଙ୍ଗ୍ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟାଙ୍କନ କରୁଛି। ତେବେ ଏହି କଳା ଟଙ୍କାର ପାହାଡ଼ ପଛରେ ଆଉ କାହାର ହାତ ରହିଛି କି? ଚଢ଼ାଉ ଜାରି ରହିଛି, ଆଗକୁ ଆଉ କେଉଁ ସବୁ ଗୁମର ଫିଟୁଛି ତାହା ଦେଖିବାକୁ ବାକି ରହିଲା।






