AK ଅନନ୍ତ ଅମ୍ବାନୀ କଲମ୍ବିଆର ପରିବେଶ ମନ୍ତ୍ରୀ ଆଇରିନ ଭେଲେଜ ଟୋରେସଙ୍କୁ ଏକ ପତ୍ର ଲେଖି ଜଳହସ୍ତୀଙ୍କୁ ମାରିବା ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ଏବଂ ସେମାନଙ୍କୁ ‘ବନତାରା’ରେ ଆଜୀବନ ଆଶ୍ରୟ ପ୍ରଦାନ କରିବା ସହ ସମସ୍ତ ଯତ୍ନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଦକ୍ଷିଣ ଆମେରିକାର ଦେଶ କଲମ୍ବିଆର ମାଗଡାଲିନା ନଦୀ ଉପତ୍ୟକାରେ ବାସ କରୁଥିବା ୮୦ଟି ଜଳହସ୍ତୀ ବା ହିପୋଙ୍କୁ ମାରିବା ପାଇଁ ସେଠାକାର ସରକାର ଦେଇଥିବା ନିର୍ଦ୍ଦେଶ ପରେ ସେମାନଙ୍କ ଜୀବନ ବଞ୍ଚାଇବାକୁ ଆଗେଇ ଆସିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ‘ବନତାରା’ର ପ୍ରତିଷ୍ଠାତା ଅନନ୍ତ ମୁକେଶ ଅମ୍ବାନୀ । ସେ କଲମ୍ବିଆ ସରକାରଙ୍କୁ ଏକ ଆନୁଷ୍ଠାନିକ ପ୍ରସ୍ତାବ ଦେଇ ଏହି ପ୍ରାଣୀମାନଙ୍କୁ ସୁରକ୍ଷିତ ଭାବେ ଗୁଜରାଟର ଜାମନଗରସ୍ଥିତ ବିଶ୍ୱର ସବୁଠାରୁ ବଡ଼ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ‘ବନତାରା’କୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି । ଅନନ୍ତ ଅମ୍ବାନୀ କଲମ୍ବିଆର ପରିବେଶ ମନ୍ତ୍ରୀ ଆଇରିନ ଭେଲେଜ ଟୋରେସଙ୍କୁ ଏକ ପତ୍ର ଲେଖି ଜଳହସ୍ତୀଙ୍କୁ ମାରିବା ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ଏବଂ ସେମାନଙ୍କୁ ‘ବନ୍ତାରା’ରେ ଆଜୀବନ ଆଶ୍ରୟ ପ୍ରଦାନ କରିବା ସହ ସମସ୍ତ ଯତ୍ନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଅନନ୍ତ ଅମ୍ବାନୀଙ୍କ ଏହି ପ୍ରସ୍ତାବ ଅନୁଯାୟୀ, ବନ୍ତାରାର ବିଶେଷଜ୍ଞ ଚିକିତ୍ସକ ଦଳ ବୈଜ୍ଞାନିକ ପଦ୍ଧତି ଏବଂ କଠୋର ବାୟୋ-ସିକ୍ୟୁରିଟି ପ୍ରୋଟୋକଲ୍ ଅନୁସରଣ କରି ଏହି ପ୍ରାଣୀମାନଙ୍କୁ ଧରିବା ଓ ସ୍ଥାନାନ୍ତର କରିବାର ଦାୟିତ୍ୱ ନେବେ। ଅନନ୍ତ ଅମ୍ବାନୀ କହିଛନ୍ତି ଯେ ପ୍ରତ୍ୟେକ ଜୀବ ଅମୂଲ୍ୟ ଏବଂ ଯଦି ଆମ ପାଖରେ ସେମାନଙ୍କୁ ବଞ୍ଚାଇବାର କ୍ଷମତା ଓ ସମ୍ବଳ ଅଛି, ତେବେ ତାହା ଆମର ମାନବିକ ଦାୟିତ୍ୱ । ନିକଟରେ ପଶୁ କଲ୍ୟାଣ ପାଇଁ ସମ୍ମାନଜନକ ‘ଗ୍ଲୋବାଲ ହ୍ୟୁମେନ ଆୱାର୍ଡ’ରେ ସମ୍ମାନିତ ହୋଇଥିବା ଅନନ୍ତ ଅମ୍ବାନୀ ଏହି ପ୍ରସ୍ତାବ ମାଧ୍ୟମରେ ପଶୁମାନଙ୍କ ପ୍ରତି ନିଜର ଗଭୀର ମମତା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ୧୯୮୦ ଦଶକରେ କଲମ୍ବିଆକୁ ଅଣାଯାଇଥିବା ଅଳ୍ପ କିଛି ଜଳହସ୍ତୀଙ୍କ ବଂଶ ଏବେ ୨୦୦ରୁ ଅଧିକ ହୋଇଯାଇଛି, ଯାହା ସେଠାକାର ସ୍ଥାନୀୟ ଜୈବ ବିବିଧତା ଓ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିଛି । ଏହି କାରଣରୁ ସେଠାକାର ଅଧିକାରୀମାନେ ୮୦ଟି ଜଳହସ୍ତୀଙ୍କୁ ମାରିବାକୁ ନିଷ୍ପତ୍ତି ନେଇଥିଲେ, ଯାହାକୁ ବର୍ତ୍ତମାନ ଏକ ବିକଳ୍ପ ମାଧ୍ୟମରେ ରୋକିବାକୁ ବନ୍ତାରା ପ୍ରୟାସ କରୁଛି । ଗୁଜରାଟର ଜାମନଗରରେ ଅବସ୍ଥିତ ‘ବନ୍ତାରା’ କେବଳ ଏକ ଆଶ୍ରୟସ୍ଥଳୀ ନୁହେଁ, ବରଂ ଏହା ଏକ ଅତ୍ୟାଧୁନିକ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ଯେଉଁଠାରେ ବିଭିନ୍ନ ସଙ୍କଟାପନ୍ନ ପ୍ରାଣୀଙ୍କୁ ସେମାନଙ୍କ ପ୍ରାକୃତିକ ପରିବେଶ ଭଳି ଆବାସସ୍ଥଳୀ ଓ ବିଶେଷଜ୍ଞ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । କଲମ୍ବିଆ ସରକାର ଏବଂ ଭାରତ ସରକାରଙ୍କ ସମେତ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ଅଧିକାରୀଙ୍କଠାରୁ ଆବଶ୍ୟକୀୟ ଅନୁମତି ମିଳିବା ପରେ ଏହି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ଏହି ଯୋଜନା ବୈଶ୍ୱିକ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଭାରତର ବଢ଼ୁଥିବା ପ୍ରଭାବ ଏବଂ ଅନ୍ତର୍ଜାତୀୟ ସହଯୋଗକୁ ପ୍ରତିପାଦିତ କରୁଛି । ଅନନ୍ତ ଅମ୍ବାନୀଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଯଦି ସଫଳ ହୁଏ, ତେବେ ଏହା ବିଶ୍ୱ ବନ୍ୟପ୍ରାଣୀ ଇତିହାସରେ ପଶୁମାନଙ୍କୁ ସୁରକ୍ଷା ପ୍ରଦାନ କରିବାର ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ ।






