AK ଏପ୍ରିଲ ୮ରେ ଆମେରିକା ଓ ଇରାନ ମଧ୍ୟରେ ଦୁଇ ସପ୍ତାହର ଯୁଦ୍ଧ ବିରତି ଲାଗୁ ହୋଇଥିଲା। କିନ୍ତୁ ଇସ୍ରାଏଲ ସେନା ଇରାନ ସମର୍ଥିତ ଲେବାନନ ଓ ହେଜବୁଲ୍ଲା ଉପରେ ହମଲା କରୁଥିବାରୁ ତେହରାନ ହର୍ମୁଜ ପ୍ରଣାଳୀ ଉପରେ ପୂର୍ବଭଳି କଟକଣା ଜାରି ରଖିଥିଲା । ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ବଡ଼ ପଦକ୍ଷେପ ନେଇଛି ଇରାନ। ଅନେକ ବାଧାବିଘ୍ନ ପରେ ଶେଷରେ ଇରାନ ବିଶ୍ୱର ପ୍ରମୁଖ ଜଳ ପଥ ମାର୍ଗ ହର୍ମୁଜକୁ ଖୋଲି ଦେଇଛି। ଏ ସମ୍ପର୍କରେ ଇରାନ ପକ୍ଷରୁ ଆଜି ଘୋଷଣା କରାଯାଇଛି ।

ଇରାନ କହିଛି ଯେ ଆମେରିକା ସହ ଦୁଇ ସପ୍ତାହର ଯୁଦ୍ଧ ବିରତି ଲାଗୁ ହୋଇଛି। ଏହି ଅବଧିବ ଏପ୍ରିଲ ୨୧ରେ ପୂରିବ। ସେ ଯାଏ ହର୍ମୁଜ ପ୍ରଣାଳୀ ସମସ୍ତଙ୍କ ପାଇଁ ସଂପୂର୍ଣ୍ଣ ଖୋଲା ରହିବ। ଯୁଦ୍ଧ ବିରତି ଅବଧି ଶେଷ ହେବା ପରେ ହର୍ମୁଜ ଖୋଲା ରହିବ କି ନାହିଁ, ସେକଥା ଇରାନ ସ୍ପଷ୍ଟ କରିନି । ଏପ୍ରିଲ ୮ରେ ଆମେରିକା ଓ ଇରାନ ମଧ୍ୟରେ ଦୁଇ ସପ୍ତାହର ଯୁଦ୍ଧ ବିରତି ଲାଗୁ ହୋଇଥିଲା । କିନ୍ତୁ ଇସ୍ରାଏଲ ସେନା ଇରାନ ସମର୍ଥିତ ଲେବାନନ ଓ ହେଜବୁଲ୍ଲା ଉପରେ ହମଲା କରୁଥିବାରୁ ତେହରାନ ହର୍ମୁଜ ପ୍ରଣାଳୀ ଉପରେ ପୂର୍ବଭଳି କଟକଣା ଜାରି ରଖିଥିଲା । ଆମେରିକାର ବାରମ୍ବାର ନାଲି ଆଖି ଓ ପାକିସ୍ତାନର ଶାନ୍ତି ବୈଠକ ସତ୍ତ୍ୱେ ଇରାନ ହର୍ମୁଜ ପ୍ରଣାଳୀ ଖୋଲି ନଥିଲା । କିନ୍ତୁ ଦୁଇ ଦିନ ତଳେ ଲେବାନନ ଓ ଇସ୍ରାଏଲ ମଧ୍ୟରେ ୧୦ ଦିନର ଯୁଦ୍ଧ ବିରତି ଲାଗୁ ହୋଇଥିଲା । ଯୁଦ୍ଧ ବିରତି ଲାଗୁ ହେବା ପରେ ଇସ୍ରାଏଲ ସେନା ଲେବାନନରେ ଆକ୍ରମଣ ବନ୍ଦ କରି ଦେଇଛି ।
ଏହାକୁ ଦୃଷ୍ଟିରେ ରଖି ଆଜି ଇରାନ ହର୍ମୁଜକୁ ଆମେରିକା ସହ ୨ ସପ୍ତାହର ଯୁଦ୍ଧ ବିରତି ଅବଧି ଶେଷ ହେବା ଯାଏ ଖୋଲା ରହିବ ବୋଲି ଘୋଷଣା କରିଛି। ଏହି ସମୟରେ ସମସ୍ତ ବ୍ୟବସାୟିକ ଜାହାଜ ହର୍ମୁଜ ଦେଇ ବିନା କଟକଣାରେ ଯାତାୟାତ କରିପାରିବ। ଇରାନର ଏପରି ଘୋଷଣା ପୂରା ବିଶ୍ୱକୁ ଆଶ୍ୱସ୍ତି କରିଛି। କାରଣ ଫେବୃଆରୀ ୨୮ରୁ ହର୍ମୁଜରେ କଟକଣା ଲାଗିଥିବାରୁ ପୂରା ବିଶ୍ୱରେ ତୈଳ ଓ ଗ୍ୟାସ ସଙ୍କଟ ଦେଖା ଯାଇଥିଲା । ଭାରତ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଥିଲା । ଭାରତର ଏକାଧିକ ଜାହାଜ ହର୍ମୁଜରେ ଅଟକି ରହିଥିବାରୁ ଦେଶରେ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି। ଏବେ ଇରାନର ହର୍ମୁଜ ଖୋଲିବା ନିଷ୍ପତ୍ତି ଯୋଗୁ ଭାରତକୁ ମଧ୍ୟ ସ୍ୱାଭାବିକ ଭାବେ ଗ୍ୟାସ ଯୋଗାଣ ହେବାର ସମ୍ଭାବନା ରହିଛି।






