AK ରାଜଧାନୀ ଭୁବନେଶ୍ୱରର ପୁରୁଣା ଷ୍ଟେସନ ବଜାର ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିବାକୁ ଯାଉଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ଏକ ବିରାଟ ହୋର୍ଡିଂ ହଠାତ୍ କାର୍ ଓ ବାଇକ୍ ଉପରେ ପଡ଼ିଯାଇଥିଲା। ସୌଭାଗ୍ୟବଶତଃ କାହାରି ପ୍ରାଣହାନି ଘଟିନାହିଁ। ଗୁରୁବାର ସନ୍ଧ୍ୟାରେ ସବୁ କିଛି ସ୍ୱାଭାବିକ ଥିଲା । ହେଲେ ହଠାତ ମାଡ଼ି ଆସିଲା ଘୂର୍ଣ୍ଣିଝଡ଼ । କେହି କିଛି ଭାବିବା ପୂର୍ବରୁ ସବୁ ଉଡ଼େଇ ଦେଇଗଲା । ରାସ୍ତାରେ ଯାଉଥିବା ବାଟୋଇ ଗାଡ଼ି ଥୋଇ ସୁରକ୍ଷିତ ସ୍ଥାନକୁ ଦୌଡ଼ିଲେ । ଆଉ କିଛି ଘଣ୍ଟା ଭିତରେ କେଉଁଠି ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି ତ କେଉଁଠି ହୋର୍ଡିଂ ଭାଙ୍ଗି ଯାଇଛି । ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ କାଳବୈଶାଖୀ ଯେଉଁ ତାଣ୍ଡବ ରଚିଛି, ତାହା ସାଧାରଣ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି ।

ରାଜଧାନୀ ଭୁବନେଶ୍ୱରର ପୁରୁଣା ଷ୍ଟେସନ ବଜାର ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିବାକୁ ଯାଉଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ଏକ ବିରାଟ ହୋର୍ଡିଂ ହଠାତ୍ କାର୍ ଓ ବାଇକ୍ ଉପରେ ପଡ଼ିଯାଇଥିଲା। ସୌଭାଗ୍ୟବଶତଃ କାହାରି ପ୍ରାଣହାନି ଘଟିନାହିଁ । ସେହିପରି କଟକର ସତୀ ଚଉରା ମଶାଣୀ ଛକ ନିକଟରେ ମଧ୍ୟ ଏକ ବିରାଟ ହୋର୍ଡିଂ ଦୋକାନ ଘର ଉପରେ ଭୁଶୁଡ଼ି ପଡ଼ିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ସହ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବ୍ୟାନରଗୁଡ଼ିକୁ ହଟାଇଛନ୍ତି ।

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରୁ ସବୁଠାରୁ ଭୟଙ୍କର ଖବର ସାମ୍ନାକୁ ଆସିଛି । ପ୍ରଧାନ ଗାଁରେ ଏକ ବିରାଟକାୟ ବରଗଛ ଉପୁଡ଼ି ଏକ ଘର ଉପରେ ପଡ଼ିଥିଲା । ସେହି ସମୟରେ ଘର ଭିତରେ ଗୋଟିଏ ପରିବାରର ୧୦ ଜଣ ସଦସ୍ୟ ଥିଲେ । ମୃତ୍ୟୁ ଯେମିତି ସେମାନଙ୍କୁ ଛୁଇଁ ଚାଲିଯାଇଛି; ସମସ୍ତେ ଆଶ୍ଚର୍ଯ୍ୟଜନକ ଭାବେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ତେବେ ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡ଼ିଥିବାରୁ ସମ୍ପୂର୍ଣ୍ଣ ଅଞ୍ଚଳ ଏବେ ଅନ୍ଧାରରେ ବୁଡ଼ି ରହିଛି । କୃଷ୍ଣପ୍ରସାଦ ଥାନା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ସୁବର୍ଣ୍ଣପୁରରେ ପ୍ରବଳ କୁଆପଥର ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅସ୍ତରଙ୍ଗ ଓ କାକଟପୁରରେ ପ୍ରଚଣ୍ଡ ପବନ ଯୋଗୁଁ ବଡ଼ ବଡ଼ ଗଛ ରାସ୍ତା ଉପରେ ଉପୁଡ଼ି ପଡ଼ିଛି। ବିଜୁଳି ଓ ଘଡ଼ଘଡ଼ି ସହ ଏହି ବର୍ଷା କୃଷି କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏହିଭଳି ସ୍ଥିତି ଲାଗି ରହିପାରେ । କାଳବୈଶାଖୀର ଏହି ପ୍ରକୋପ ତାତିରୁ କିଛି ମାତ୍ରାରେ ମୁକ୍ତି ଦେଇଥିଲେ ବି, ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା କ୍ଷୟକ୍ଷତି ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହି ବିପତ୍ତି ସମୟରେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।






