AK ସୁବର୍ଣ୍ଣପୁର, : ଓଡିଶା ସରକାରଙ୍କ ଗୃହ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯୋଗଦେଇ ଜିଲ୍ଲାପାଳଙ୍କ ସମ୍ମିଳନା କକ୍ଷରେ ସୋନପୁର ପୌର ପରିଷଦ ସହ ବିନିକା ଓ ତରଭା ଏନଏସିରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପୂଙ୍ଖାନୁପୂଙ୍ଖ ସମୀକ୍ଷା କରିଥିଲେ।

ସମୀକ୍ଷା ବୈଠକରେ ସହରର ପରିମଳ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦେଇ ସୋନପୁର ସହରର ସମସ୍ତ ଡ୍ରେନ୍କୁ ନିୟମିତ ସଫା କରିବା ସହ ସଠିକ୍ ପରିମଳ ବ୍ୟବସ୍ଥା ସୁଚାରୁ ଭାବେ ନିର୍ବାହ କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୁରୁଣା ଡ୍ରେନ୍ର ମରାମତି ସହ ଯୋଜନାବଦ୍ଧ ଭାବେ ନୂତନ ଡ୍ରେନ୍ ନିର୍ମାଣକୁ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଅଚଳ ଥଣ୍ଡା ପାନୀୟ ଜଳ ପ୍ରକଳ୍ପଗୁଡିକୁ ଶୀଘ୍ର ସଚଳ କରିବା ସହ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁଦୃଢ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସତର୍କ କରିଥିଲେ। ସେହିପରି ପଥ ନିର୍ମାଣ, ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ନେଇ ଜୋର ଦେଇ ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡିକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକୁ ଗତିଶୀଳ କରିବା ସହ ସମସ୍ତ ଅଧିବାସୀଙ୍କୁ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ଓ ସହରାଞ୍ଚଳର ସ୍ୱଚ୍ଛତା ବଜାୟ ରଖିବାକୁ ସେ ଉଲ୍ଲେଖ କରିଥିଲେ। ବସ୍ତି ଅଞ୍ଚଳର ଉନ୍ନତିକୁ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।
ପରେ ବୀରମହାରାଜପୁର ଗସ୍ତ କରି ମନ୍ତ୍ରୀ ଡ. ମହାପାତ୍ର ୨୦ ଲକ୍ଷ ଟଙ୍କା ବ୍ୟୟରେ ରଜା ବନ୍ଧର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ଭୂମିପୂଜନ କରିଥିଲେ। ସେଥିପରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅସ୍ଥାୟୀ କାର୍ଯ୍ୟାଳୟ ଭାବରେ ଚମ୍ପମାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, ଜିଲ୍ଲାପାଳ ଡ. ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ ଓ ଉପ ଜିଲ୍ଲାପାଳ ସୁରେନ୍ଦ୍ର ମେହେର ସହିତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ମନ୍ତ୍ରୀ କହିଥିଲେ ଯେ ବୀରମହାରାଜପୁରକୁ ବିଜ୍ଞାପିତ ଅଞ୍ଚଳ ଭାବେ ଗଢ଼ି ତୋଳିବାରେ ସମସ୍ତଙ୍କ ସମିକ୍ତ ପ୍ରୟାସ ରହିଛି। ନୂତନ ସ୍ଥାୟୀ ଏନଏସି ଭବନ ପାଇଁ ୬ କୋଟି ଟଙ୍କା ମଞ୍ଜୁର ହୋଇଥିବା ସହ ପୂର୍ବରୁ ରାସ୍ତା ଆଲୋକ, ରାସ୍ତା ଓ ଡ୍ରେନେଜ ବ୍ୟବସ୍ଥା ଏବଂ ପରିଚ୍ଛନ୍ନତା ପାଇଁ ପ୍ରତିଟି ଖାତାରେ ୫୦ ଲକ୍ଷ ଟଙ୍କା କରି ଅନୁଦାନ ଦିଆଯାଇଛି। ଆଗାମୀ ଦିନରେ ନାଳା, ପାନୀୟ ଜଳ ଓ ପାର୍କ ସହିତ ଆବଶ୍ୟକ ଆଧାରଭୂତ ସୁବିଧା ବିକାଶ କରି ସମଗ୍ର ଅଞ୍ଚଳର ସମଗ୍ର ଉନ୍ନତି ନିଶ୍ଚିତ କରାଯିବ ବୋଲି ସେ କହିଥିଲେ।






