ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ ରାମସ୍ୱାମୀ ମନ୍ଦିର ପରିସରରେ ନଭେମ୍ବର ୧୧ ତାରିଖରେ ଚିତ୍ରଗୁପ୍ତ ପୂଜା ଭକ୍ତି ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାରେ କର୍ତ୍ତା ଭାବେ ରିତେଶ ପଟ୍ଟନାୟକ ଓ ରାଜାରାଣୀ ପଟ୍ଟନାୟକ ଦାୟିତ୍ୱ ନିର୍ବାହ କରିଥିଲେ।
ସୂଚନା ଅନୁଯାୟୀ, ୨୦୧୪ ମସିହାରେ ଖଡ଼ିଆଳଠାରେ ନୂଆପଡ଼ା ଜିଲ୍ଲାର ପ୍ରଥମ ଚିତ୍ରଗୁପ୍ତ ପୂଜା ଆରମ୍ଭ ହୋଇଥିଲା। ଦୀର୍ଘ ବର୍ଷ ଧରି ଏହି ପୂଜା ନିରବଚ୍ଛିନ୍ନ ଭାବେ ପାଳିତ ହୋଇଆସୁଛି। ସମାଜକୁ ସଂଗଠିତ କରିବା, ସାମାଜିକ ଏକତା ଓ ଭାଇଚାରାକୁ ସୁଦୃଢ଼ କରିବା ସହ ଅବହେଳିତ ଓ ଦୁର୍ବଳ ପରିବାରଗୁଡ଼ିକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଏହି ପୂଜାର ମୁଖ୍ୟ ଉଦ୍ଦେଶ୍ୟ ରହିଛି।
ଏହି ଅବସରରେ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହିତ ସନ୍ଧ୍ୟା ସମୟରେ ସମାଜର ଛାତ୍ରଛାତ୍ରୀ, ପୁରୁଷ ଓ ମହିଳାମାନଙ୍କ ପାଇଁ ବିଭିନ୍ନ ମନୋରଞ୍ଜନ ଓ ପ୍ରତିଭାଭିତ୍ତିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।
ପଣ୍ଡିତ ଲକ୍ଷ୍ମୀକାନ୍ତ ମିଶ୍ର ଓ ପଣ୍ଡିତ ପ୍ରସନ୍ନ ପଣ୍ଡାଙ୍କ ଦ୍ୱାରା ବୈଦିକ ରୀତିନୀତି ଅନୁସାରେ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଆସନ୍ତାକାଲି ଚିତ୍ରଗୁପ୍ତଙ୍କ ହୋମଯଜ୍ଞ କାର୍ଯ୍ୟକ୍ରମ ପରେ ପୂଜାର ବିସର୍ଜନ କରାଯିବ।
ଏହି ପୂଜାରେ ଜିଲ୍ଲା ସଭାପତି ସତୀଶ ପଟ୍ଟନାୟକଙ୍କ ସମେତ ଅମରେଶ ପଟ୍ଟନାୟକ, ମନୋଜ ପଟ୍ଟନାୟକ, ପ୍ରବୀଣ ପଟ୍ଟନାୟକ, ଦିଲ୍ଲୁ ପଟ୍ଟନାୟକ, ଜିତେନ୍ଦ୍ର ନାଥ ପଟ୍ଟନାୟକ, ପ୍ରଫୁଲ୍ଲ ପଟ୍ଟନାୟକ, ବିକ୍ରମ କେଶରୀ ପଟ୍ଟନାୟକଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗଦେଇଥିଲେ।
ସମାଜରେ ଏକତା, ଶିକ୍ଷାର ପ୍ରସାର ଓ ଦୁର୍ବଳ ବର୍ଗଙ୍କୁ ମୁଖ୍ୟସ୍ରୋତରେ ଯୋଡ଼ିବାର ବାର୍ତ୍ତା ଦେଇ ଏହି ଚିତ୍ରଗୁପ୍ତ ପୂଜା ସମାପନ ହୋଇଛି।






