ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପୁରୁଣାକଟକ ଥାନା ଅନ୍ତର୍ଗତ ଡିଗୀଶିରା ନିକଟରେ ଏକ କାର୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛକୁ ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ପୁରୁଣାକଟକ ଅଞ୍ଚଳର ଅଶ୍ବିନୀ ଘୋଷ । ଗୁରୁତର ଆହତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଶିକ୍ଷକ ଶ୍ରୀନିବାସ କହଁର ଏବଂ ଅନ୍ୟଜଣେ ପିଇଓ ଦିଲୀପ ମଲିକ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, କାର୍ଟି ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ଚାଳକ ନିୟନ୍ତ୍ରଣ ହରାଇଥିଲେ ।

ଫଳରେ ଗାଡ଼ିଟି ରାସ୍ତା କଡ଼କୁ ଚାଲିଯାଇ ଏକ ଗଛରେ ପିଟି ହୋଇଥିଲା । ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସି ଆହତମାନଙ୍କୁ ଉଦ୍ଧାର କରିଥିଲେ । ଦୁଇ ଗୁରୁତର ଆହତଙ୍କୁ ତୁରନ୍ତ ପୁରୁଣାକଟକ ଡାକ୍ତରଖାନାକୁ ପଠାଯାଇଥିଲା । ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ଅଧିକାରୀ ଡମ୍ବରୁଧର କହଁର ଖବର ପାଇ ଡାକ୍ତରଖାନାରେ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ପୁରୁଣାକଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ଏବଂ ଏଥିପାଇଁ ଅନ୍ୟ କୌଣସି କାରଣ ଦାୟୀ କି ନାହିଁ, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
କଣ୍ଟାମାଳରୁ ରାଜା ମହାକୁଡଙ୍କ ରିପୋର୍ଟ ଆପଣଙ୍କ ଖବର






