ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ହୁମ୍ମା ହାଟ ପଡ଼ିଆ ଏବଂ ଗଡ଼ହୁମ୍ମା ଯିବା ମୁଖ୍ୟ ରାସ୍ତା କଡ଼ରେ ଏକ ସ୍ଥାୟୀ ବସ୍ ଷ୍ଟପ୍ କିମ୍ବା ଯାତ୍ରୀ ବିଶ୍ରାମାଗାର ନଥିବାରୁ ସାଧାରଣ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ପ୍ରତି ସପ୍ତାହର ଶନିବାର ଏବଂ ରବିବାର ଦିନ ଏଠାରେ ହାଟ ବସୁଥିବାରୁ ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ପ୍ରବଳ ଗହଳି ଲାଗି ରହୁଛି।
ହାଟ ଦିନଗୁଡ଼ିକରେ ବ୍ୟବସାୟୀ, ଗ୍ରାହକ ଏବଂ ଯାତ୍ରୀଙ୍କ ଅତ୍ୟଧିକ ଭିଡ଼ ଯୋଗୁଁ ମୁଖ୍ୟ ରାସ୍ତା କଡ଼ରେ ଠିଆ ହେବାକୁ ମଧ୍ୟ ଜାଗା ମିଳୁନାହିଁ। ଏଭଳି ପରିସ୍ଥିତିରେ ବସ୍ ଅପେକ୍ଷା କରିଥିବା ଯାତ୍ରୀ, ଛାତ୍ରଛାତ୍ରୀ, ମହିଳା ଏବଂ ବୟସ୍କ ବ୍ୟକ୍ତିମାନେ ପ୍ରବଳ ଗହଳି ଓ ଯାନବାହନ ଭିଡ଼ ଭିତରେ ରାସ୍ତା କଡ଼ରେ ଅସୁରକ୍ଷିତ ଭାବେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି।
ଏହା ଦ୍ୱାରା ଯେକୌଣସି ମୁହୂର୍ତ୍ତରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଛି। ଏହା ସହିତ ଖରା ଓ ବର୍ଷା ଦିନେ କୌଣସି ଛାଉଣୀ ନଥିବାରୁ ଯାତ୍ରୀମାନେ ଖୋଲା ଆକାଶ ତଳେ ହନ୍ତସନ୍ତ ହେଉଛନ୍ତି।ଶନିବାର ଓ ରବିବାର ହାଟ ଗହଳି ଏବଂ ଦୈନନ୍ଦିନ ଯାତ୍ରୀଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ହୁମ୍ମା ହାଟ ପଡ଼ିଆ ନିକଟସ୍ଥ ଗଡ଼ହୁମ୍ମା ମୁଖ୍ୟ ରାସ୍ତା କଡ଼ରେ ତୁରନ୍ତ ଏକ ସ୍ଥାୟୀ ବସ୍ ଷ୍ଟପ୍ ଓ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ବ୍ଲକ୍ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି।






