ରାୟଗଡ଼ା(ନରେନ୍ଦ୍ର ନିଶାଲ): ଗୋଟିଏ ଗୁଜବକୁ ନେଇ ରାୟଗଡା ଜିଲ୍ଲା ଚାନ୍ଦିଲି ପୁଲିସକୁ ଦୀର୍ଘ ୩/୪ ଘଣ୍ଟା ନାକେଦମ ହେଲା ଭଳି ଘଟଣା ଦେଖିବାକୁ ମିଳିଛି । ସୂଚନାରୁ ଜଣାପଡିଛି ଆଜି ଚାନ୍ଦିଲି ପୁଲିସକୁ ମାଟି ଭିତରେ ଶବ ପୋତା ହୋଇଛି ଏବଂ ମାଟି ପୋତି ତା ଉପରେ ଫୁଲ ପକାଯାଇଛି ବୋଲି ସୂଚନା ମିଳିଥିଲା ।
ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ସିଲଟିଗୁଡା ଡ୍ୟାମ୍ ନିକଟରେ ଏହିଭଳି ଘଟଣା ଘଟିଥିବା କୁହାଯାଇଥିଲା । କେହି ଗୁଣି କରି ଶବକୁ ପୋତି ଦେଇଥିବା ସନ୍ଦେହ ସୃଷ୍ଟି ହୋଇଥିଲା। ଏହାପରେ ଗୁଜବ ସମସ୍ତ ଅଞ୍ଚଳରେ ପ୍ରଚାରିତ ହୋଇଯାଇଥିଲା। ଏନେଇ ଚାନ୍ଦିଲି ପୁଲିସ ସୂଚନା ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲା ।
ମାଟି ଉପରେ ଫୁଲ ପଡିଥିବା ବେଳେ ପୁଲିସ ମନରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଥିଲା। ଦୀର୍ଘ ଦୁଇ ଘଣ୍ଟା ଧରି ପୁଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ତଦନ୍ତ କରୁଥିବା ବେଳେ ମାଜିଷ୍ଟ୍ରେଟଙ୍କୁ ଡକାଯାଇ ତାଙ୍କ ଉପସ୍ଥିତିରେ ମାଟି ଖୋଳା ଯାଇଥିଲା। ମାଟି ଖୋଳିଲା ପରେ ସେଠାରେ କିଛି ଠାବ ହୋଇ ନଥିଲା।
ଏଭଳିକି ଘଟଣାସ୍ଥଳକୁ ପୁଲିସର ସାଇଣ୍ଟିଫିକ୍ ଟିମ୍ କୁ ଡାକାଯାଇଥିଲା ଏବଂ ଖୋଳିବା ସମୟରେ ଉପସ୍ଥିତ ଥିଲେ। ଚାନ୍ଦିଲି ଆଇଆଇସି ଉତ୍ତମ କୁମାର ସାହୁ ଉପସ୍ଥିତିରେ ଖୋଳିବା କାର୍ଯ୍ୟ ହୋଇଥିଲା। ଖୋଳାଯିବା ପରେ କିଛି ନିମିଳିବା ପରେ ଏହା କେବଳ ଏକ ଗୁଜବ ବୋଲି ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି।
ସ୍ଥାନୀୟ ଯୁବକ ସଦା ପେଦେଣ୍ଟି, ଏଙ୍କେନା ହିମିରିକା ଏବଂ ଉପସ୍ଥିତ ଗ୍ରାମବାସୀ ଏହା ଗୁଣିଗାରେଡ଼ି ନେଇ ଗୁଜବ ହୋଇଥାଇପାରେ ବୋଲି ଆଶଙ୍କା ପ୍ରକଟ କରି କହିଛନ୍ତି। ଗୁଜବକୁ ନେଇ କଲ୍ୟାଣସିଂହପୁର ଭିଡ ହିଂସା ଭଳି ଘଟଣା ଘଟିଥିଲାବେଳେ ଏଭଳି ସୂଚନା ମିଳିଲେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଁଚୁଥିବା ଦେଖିବାକୁ ମିଳୁଛି ବୋଲି ଆଲୋଚନ ହୋଇ ଚର୍ଚ୍ଚାର ବିଷୟ ପାଲଟିଛି।






