ମଙ୍ଗଳବାର ବିଳମ୍ବିତ ରାତିରେ ମୟୁରଭଂଜ ବୈଶିଙ୍ଗା ଥାନା ଅଧୀନ ଯୁଗପୁରା-ଜାମନଣ୍ଡା ରାସ୍ତାରେ ଏକ ଚୋରା ଗୋବୋଝେଇ ଭ୍ୟାନକୁ ପିଛା କରୁଥିବା ବେଳେ ଗୁଳିମାଡ଼ର ଶିକାର ହେଲେ ଗୋରକ୍ଷକ ଉକ୍ତଗ୍ରାମର ରମେଶ ବିଶ୍ୱାଳ ଔରଫ ଦିପୁ l ସୂଚନା ଅନୁଯାୟୀ, ଗତକାଲି ରାତିରେ କିଛି ଗୋ ମାଫିଆ ବିଭିନ୍ନ ଅଞ୍ଚଳରୁ ଗୋମାତାମାନଙ୍କୁ ଚୋରି କରି ୨ଟି ଭ୍ୟାନ ଯୋଗେ ମୁଖ୍ୟ ରାସ୍ତାରେ ନଯାଇ ଯୁଗପୁରା ଦେଇ ଜାମନଣ୍ଡା ପଟକୁ ଯାଉଥିବା ସମୟରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ l ତେବେ ଗ୍ରାମର କିଛି ଗୋରକ୍ଷକ ଯୁବକ ସେମାନଙ୍କ ପିଛା କରିଥିବା ସମୟରେ ସେମାନେ ଦ୍ରୁତ ଗତିରେ ଖସିଯିବାକୁ ବସିଥିଲେ l

ତେବେ କଦଳିଆ ଛକ ନିକଟରେ ଗୋରକ୍ଷକ ଯୁବକ ଦିପୁ ଓ ତାଙ୍କ ସହଯୋଗୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ସେମାନେ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳିଚାଳନା କରି ମଛପଦା ପଟକୁ ଚମ୍ପଟ ମାରିଥିଲେ l ପରେ ପରିବାର ଲୋକ ପହଞ୍ଚି ଦିପୁଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ନେଇ ଚିକିତ୍ସା କରାଇଥିଲେ l
ତେବେ ଆଜି ସକାଳୁ ଉକ୍ତ ଗୋବୋଝେଇ ଭ୍ୟାନ ଭିତରୁ ଗୋଟିଏ ଭ୍ୟାନ ମଛପଦା ନିକଟସ୍ଥ ଜଙ୍ଗଲରେ ଜଳୁଥିବାର ଦେଖିଥିଲେ ଗ୍ରାମବାସୀ ଓ ପୁଲିସକୁ ଖବର ଦେଇଥିଲେ l ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି l ଅନ୍ୟପଟେ ଗୋମାଫିଆଙ୍କ ଆତଙ୍କରେ ଭୟଭୀତ ଅଞ୍ଚଳବାସୀ l






