ଏ.କେ ବ୍ୟୁରୋ : ଲଗାତାର ସୁନା ଅଳଙ୍କାର ଦର ବୃଦ୍ଧି ଗ୍ରାହକଙ୍କ ପାଇଁ ସମସ୍ୟା ସୃଷ୍ଟି କରେ । ଏବେ ବିବାହ ଋତୁ ଚାଲିଥିବାବେଳେ ସୁନା ଟିକେ କିଣିବାକୁ ସମ୍ଭ୍ରାନ୍ତ ଶ୍ରେଣୀଠାରୁ ମଧ୍ୟବିତ୍ତ ପର୍ଯ୍ୟନ୍ତ ସମସ୍ତେ ବାଧ୍ୟ । ହେଲେ ସୁନା ରେକର୍ଡ ସ୍ତରରେ ପହଞ୍ଚିବା କାରଣରୁ ବିଶେଷ କରି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଭାରତୀୟ ପରମ୍ପରାରେ ବିବାହ ଋତୁ ହେଉ କିମ୍ବା ନିବେଶର ସୁଯୋଗ ସୁନା ଓ ରୂପା ସବୁବେଳେ ପ୍ରଥମ ପସନ୍ଦ ରହିଥାଏ । ମାତ୍ର ଆଜି ସରାଫା ବଜାରରୁ ଯେଉଁ ଖବର ଆସୁଛି, ତାହା ମଧ୍ୟବିତ୍ତ ପରିବାର ପାଇଁ ଚିନ୍ତାର ବିଷୟ ପାଲଟିଛି। ଆନ୍ତର୍ଜାତୀୟ ବଜାରରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଆଜି ସୁନା ଓ ରୂପା ଦରରେ ପ୍ରବଳ ବୃଦ୍ଧି ଦେଖିବାକୁ ମିଳିଛି ।
ବାୟଦା ବଜାରରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ୍ ୫ ରେ ଏକ୍ସପାୟାରୀ ଥିବା ସୁନା ₹୧,୫୨,୫୮୦ ସ୍ତରରେ କାରବାର କରୁଛି । ଗତକାଲି ଅପେକ୍ଷା ଆଜି ସୁନା ମୂଲ୍ୟରେ ପ୍ରାୟ ୪୪୮ ଟଙ୍କାର ବୃଦ୍ଧି ଘଟିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନାର ମୂଲ୍ୟ ଏବେ କିଣିବା କାଠିକର ପାଠ ହୋଇଯାଇଛି । ସୁନା ଅପେକ୍ଷା ଆଜି ରୂପାର ମୂଲ୍ୟ ମଧ୍ୟ ଅଧିକ ରହିଛି । ୩ ଜୁଲାଇରେ ଏକ୍ସପାୟରୀ ଥିବା ରୂପା ଆଜି ଏକାଥରକେ ୧୭୩୫ ଟଙ୍କା ବୃଦ୍ଧି ପାଇଛି । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ରୂପାର ମୂଲ୍ୟ ଏବେ ପ୍ରତି କିଲୋଗ୍ରାମ ପିଛା ୨,୫୫,୦୦୦ ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ଆଜି ସୁନା ଦରରେ ୦.୨୯% ବୃଦ୍ଧି ଘଟିଥିବା ବେଳେ ରୂପା ୦.୬୯% ବେଗରେ ଦୌଡୁଛି । ଆଜିର ୨୪ କ୍ୟାରେଟ୍ , ୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନାକୁ ଯଦି ଦେଖିବା ତା’ହେଲେ ୨୪ କ୍ୟାରେଟ୍ ୯୯.୯% ସୁନାର ମୂଲ୍ୟ ୧,୫୨,୧୪୦ ଟଙ୍କା ଥିବା ବେଳେ ୯୧.୬% ଶୁଦ୍ଧ ୨୨ କ୍ୟାରେଟ୍ ସୁନାର ଦାମ୍ ୧,୩୯,୪୬୦ ଟଙ୍କା ରହିଛି ଏବଂ ୭୫% ଶୁଦ୍ଧ ୧୮ କ୍ୟାରେଟ୍ ସୁନା ୧,୧୪,୧୫୦ ଟଙ୍କା ରହିଛି ।

ବଜାର ବିଶେଷଜ୍ଞଙ୍କ ମତରେ, ବିଶ୍ୱସ୍ତରୀୟ ଭୂ-ରାଜନୈତିକ ଉତ୍ତେଜନା ଏବଂ ସୁରକ୍ଷିତ ନିବେଶ ଭାବେ ମୂଲ୍ୟବାନ ଧାତୁର ଚାହିଦା ବଢ଼ିବା ଯୋଗୁଁ ଏହି ଦରବୃଦ୍ଧି ଘଟୁଛି । ସେୟାର ବଜାରରେ ଅସ୍ଥିରତା ଦେଖାଦେଲେ ନିବେଶକମାନେ ସୁନା-ରୂପାକୁ ସବୁଠୁ ନିରାପଦ ମଣୁଛନ୍ତି । ଯାହା ସୁନାର ଦରକୁ ଆକାଶଛୁଆଁ କରୁଛି । ବିଶେଷଜ୍ଞଙ୍କ ମତରେ ଯେପର୍ଯ୍ୟନ୍ତ ଆନ୍ତର୍ଜାତୀୟ ଉତ୍ତେଜନା କମିନାହିଁ ସେପର୍ଯ୍ୟନ୍ତ ସୁନା ମୂଲ୍ୟ କମିବ ନାହିଁ । ଯଦି ଆପଣ ଦୀର୍ଘକାଳୀନ ନିବେଶ କରିବାକୁ ଚାହୁଛନ୍ତି ତେବେ ଯେତେବେଳେ ଦର ସାମାନ୍ୟ କମୁଛି, ସେହି ସମୟରେ ଅଳ୍ପ ଅଳ୍ପ କରି ସୁନା କିଣିବା ବୁଦ୍ଧିମାନର କାମ ହେବ । ପାର୍ବଣ ଓ ବିବାହ ଋତୁ ପୂର୍ବରୁ ଏହି ଦରବୃଦ୍ଧି ଖାଉଟିଙ୍କ ପକେଟ୍ ଉପରେ କି ପ୍ରଭାବ ପକାଉଛି, ତାହା ଦେଖିବାକୁ ବାକି ରହିଲା ।






