AK ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଯେତେବେଳେ କ୍ରୁଜ୍ ଭିତରେ ଦ୍ରୁତ ଗତିରେ ପାଣି ପଶିବାକୁ ଲାଗିଲା ଏବଂ ବୋଟ୍ଟି ବୁଡ଼ିବା ଅବସ୍ଥାକୁ ଆସିଲା, ସେତେବେଳେ ଯାଇ ଯାତ୍ରୀମାନଙ୍କୁ ଲାଇଫ୍ ଜ୍ୟାକେଟ୍ ବଣ୍ଟାଗଲା । ମଧ୍ୟପ୍ରଦେଶର ଜବଲପୁର ସ୍ଥିତ ବରଗୀ ଜଳାଶୟରେ ଘଟିଥିବା ମର୍ମନ୍ତୁଦ କ୍ରୁଜ୍ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓ ଏହି ଦୁର୍ଘଟଣାର ଭୟାବହତା, ପ୍ରଶାସନିକ ଅବହେଳା ଏବଂ ଯାତ୍ରୀଙ୍କ ଶେଷ ମୁହୂର୍ତ୍ତର ସଂଘର୍ଷକୁ ପଦାରେ ପକାଇଛି।

ଯେଉଁଠି ପର୍ଯ୍ୟଟକମାନେ ଖୁସି ମନାଇବାକୁ ଯାଇଥିଲେ, ସେଠାରେ ସେମାନଙ୍କ ପାଇଁ ମୃତ୍ୟୁ ଅପେକ୍ଷା କରି ରହିଥିଲା । ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଯେତେବେଳେ କ୍ରୁଜ୍ ଭିତରେ ଦ୍ରୁତ ଗତିରେ ପାଣି ପଶିବାକୁ ଲାଗିଲା ଏବଂ ବୋଟ୍ଟି ବୁଡ଼ିବା ଅବସ୍ଥାକୁ ଆସିଲା, ସେତେବେଳେ ଯାଇ ଯାତ୍ରୀମାନଙ୍କୁ ଲାଇଫ୍ ଜ୍ୟାକେଟ୍ ବଣ୍ଟାଗଲା। ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା । ଚାରିଆଡ଼େ ଆତଙ୍କ ଖେଳିଯାଇଥିଲା, ଲୋକେ ଜୀବନ ବଞ୍ଚାଇବା ପାଇଁ ଏପଟ ସେପଟ ଦୌଡ଼ୁଥିଲେ। ସବୁଠାରୁ ହୃଦୟବିଦାରକ ଦୃଶ୍ୟ ଥିଲା ଜଣେ ମା’ର ଶେଷ ଚେଷ୍ଟା । ସେ ନିଜ କଲିଜାର ଟୁକୁଡ଼ାକୁ ଲାଇଫ୍ ଜ୍ୟାକେଟ୍ ପିନ୍ଧାଇ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା; ପରେ ଉଦ୍ଧାରକାରୀ ଦଳ ସେହି ମା’ ଏବଂ ପୁଅଙ୍କ ମୃତଦେହ ଏକାଠି ଉଦ୍ଧାର କରିଥିଲେ। ଏହି ଛବି ଆଜି ଦୁର୍ଘଟଣାର ସବୁଠାରୁ ବଡ଼ ଦୁଃଖଦ ପରିଚୟ ପାଲଟିଛି । ଦୁର୍ଘଟଣାର କିଛି ସମୟ ପୂର୍ବର ଭିଡିଓ ଦର୍ଶାଉଛି ଯେ, ଯାତ୍ରୀମାନେ ପ୍ରକୃତିର ଆନନ୍ଦ ନେଉଥିଲେ। ଥଣ୍ଡା ପବନ ଏବଂ ଜଳାଶୟର ସୌନ୍ଦର୍ଯ୍ୟରେ ସମସ୍ତେ ବିଭୋର ଥିଲେ। ପବନ ଦ୍ରୁଥ ଥିଲେ ମଧ୍ୟ କେହି ବିପଦର ଆଶଙ୍କା କରିନଥିଲେ । ସୁରକ୍ଷା ବ୍ୟବସ୍ଥାକୁ ନଜରଅନ୍ଦାଜ କରିବା ଏବଂ ଖରାପ ପାଗ ସତ୍ତ୍ୱେ କ୍ରୁଜ୍ ଚଲାଇବା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଆଗ୍ରାରୁ ଆସିଥିବା ଉଦ୍ଧାରକାରୀ ଦଳ ଅନୁସାରେ, ପାଣି ଭିତରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ଥିଲା । କ୍ରୁଜ୍ର ଭଙ୍ଗା ଢାଞ୍ଚା ଏବଂ ଲୁହା ରଡ୍ ଯୋଗୁଁ ସର୍ଚ୍ଚ ଅପରେସନ କରିବା କଷ୍ଟକର ହୋଇପଡ଼ିଥିଲା । ଜଣେ ଡାଇଭର ତ ପାଣି ଭିତରେ ଫସି ଯାଇଥିଲେ, ଯାହାଙ୍କୁ ବହୁ କଷ୍ଟରେ ବାହାର କରାଯାଇଥିଲା । ଏହି ଅପରେସନରେ ଏନଡିଆରଏଫ ଏବଂ ପାରାମିଲିଟାରୀ ଫୋର୍ସ ମୋଟ ୯ଟି ଶବ ଉଦ୍ଧାର କରିଥିବା ବେଳେ ୨୮ ଜଣଙ୍କୁ ଜୀବନ୍ତ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଏହି ଘଟଣା ପରେ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । କ୍ରୁଜ୍ ପାଇଲଟ୍ ମହେଶ ପଟେଲ, ହେଲ୍ପର ଛୋଟେଲାଲ ଏବଂ ଟିକେଟ୍ କାଉଣ୍ଟର ପ୍ରଭାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ହୋଟେଲ ମ୍ୟାକଲ୍ ରିସର୍ଟର ମ୍ୟାନେଜର ସୁନୀଲ ମରାବୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଞ୍ଚଳିକ ପରିଚାଳକଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ବରଗୀ ଦୁର୍ଘଟଣା କେବଳ ଏକ ଦୈବୀ ଦୁର୍ବିପାକ ନୁହେଁ, ବରଂ ମ୍ୟାନେଜମେଣ୍ଟର ଚରମ ଅବହେଳାର ପରିଣାମ । ଯଦି ସମୟ ପୂର୍ବରୁ ସୁରକ୍ଷା ନିୟମ ପାଳନ କରାଯାଇଥାନ୍ତା, ତେବେ ହୁଏତ ସମସ୍ତେ ଆଜି ଜୀବିତ ଥାଆନ୍ତେ। ଏହି ଘଟଣା ପର୍ଯ୍ୟଟନ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ବଡ଼ ଚେତାବନୀ ଦେଇଛି।






