ଏ.କେ ବ୍ୟୁରୋ : ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡିଛନ୍ତି । ଆହତ କାରଣରୁ ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି ହାର୍ଦ୍ଦିକ । ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ଫିଟନେସ୍ ଟେଷ୍ଟ ଏବଂ ମ୍ୟାଚ୍ ସିମୁଲେସନ୍ ବେଳେ ତାଙ୍କର ମାଂସପେଶୀ ଟାଣି ହୋଇଯିବା ଯୋଗୁଁ ସେ ଏହି ସିରିଜ୍ ଖେଳିପାରିବେ ନାହିଁ ।
ଆଇପିଏଲରେ ପିଠି ଜନିତ ସମସ୍ୟାରୁ ସୁସ୍ଥ ହୋଇ ଫେରିଥିଲେ । ତେବେ ବାମ ଜଙ୍ଘ ମାଂସପେଶୀରେ ସାମାନ୍ୟ ଆଘାତ ଲାଗିଛି । ତାଙ୍କୁ ୨ ରୁ ୩ ସପ୍ତାହ ପର୍ଯ୍ୟନ୍ତ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି । ବିସିସିଆଇ ଚୟନ କମିଟି ଖୁବ୍ ଶୀଘ୍ର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରିପାରେ । ୧୩ ଜୁନରୁ ମ୍ୟାଚ ଆରମ୍ଭ ହେଉଥିବା ବେଳେ ହାର୍ଦ୍ଦିକ ୧୧ ଜୁନରେ ଟିମ ସହିତ ଯୋଡି ହୋଇଥାନ୍ତେ । କିନ୍ତୁ ତାଙ୍କ ଆଘାତ ସମସ୍ୟା ଏବେ ବାଧା ଦେଇଛି ।
ସ୍କ୍ୱାଡ୍ ରେ ଥିବା ଯୁବ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ସ୍ଥାନ ପାଇପାରନ୍ତି । ଭାରତୀୟ ଦଳ ପୂର୍ବରୁ ହାମଷ୍ଟ୍ରିଙ୍ଗ୍ ଆଘାତ ଯୋଗୁଁ ବିରାଟ କୋହଲିଙ୍କୁ ହରାଇ ସାରିଛି । ରୋହିତ ଶର୍ମା ମଧ୍ୟ ଖେଳିବା ନେଇ ଆଶଙ୍କା ରହିଛି । ଆଫଗାନିସ୍ତାନ ବିପକ୍ଷରେ ୧୩ ଜୁନ ଶନିବାର ଧର୍ମଶାଳାରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ । ଦ୍ବିତୀୟ ଦିନିକିଆ ୧୭ ଜୁନ୍ ଏବଂ ୩ୟ ଦିନିକିଆ ୨୦ ଜୁନରେ ଖେଳାଯିବ । ଟେଷ୍ଟ ସିରିଜ ପରେ ଏବେ ଦିନିକିଆ ସିରିଜକୁ କ୍ଲିନ୍ ସୁଇପ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।






