ଏ.କେ ବ୍ୟୁରୋ :ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମ ନିକଟ ୧୪୯ ନମ୍ବର ଜାତୀୟ ରାଜପଥର ବ୍ରହ୍ମାୟଣୀ ହୋଟେଲ ସମ୍ମୁଖରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି।ମୃତକ ଗୋତମରା ଗ୍ରାମର ଶ୍ରୀପତି ନାଏକ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶ୍ରୀପତି ସାଇକେଲ ଯୋଗେ ଜାତୀୟ ରାଜପଥ ଦେଇ କୌଣସି କାମରେ ଯାଉଥିବା ବେଳେ ବଅଁରପାଳ ପଟୁ ତାଳଚେର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା।

ଦୁର୍ଘଟଣା ପରେ ଟ୍ରକ୍ଟି ଘଟଣାସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଛି।ଦୁର୍ଘଟଣାରେ ଗୁରୁତର ଆହତ ଶ୍ରୀପତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ବଅଁରପାଳ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ସହ ଉକ୍ତ ରାସ୍ତାରେ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଦାବିରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ।ରାସ୍ତାରୋକ ଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିଲା। ଫଳରେ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।ଖବର ପାଇ ବଅଁରପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ସହ ପରିସ୍ଥିତି ନିୟନ୍ତ୍ରଣ ଏବଂ ରାସ୍ତାରୋକ ହଟାଇବାକୁ ଉଦ୍ୟମ କରିଥିଲା। ଘଟଣାକୁ ନେଇ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା।






