ଏ.କେ ବ୍ୟୁରୋ : ସାଧାରଣତଃ ବିବାହ ପାଇଁ ମ୍ୟାଚ୍ ହୁଏ ବର-କନ୍ୟାଙ୍କ କୁଣ୍ଡଳୀ। ହେଲେ ଝିଅ ଦେବା ପୂର୍ବରୁ, ଟ୍ରାଫିକ୍ ପୁଲିସ ଠାରୁ ଭାବି ଜ୍ଵାଇଁଙ୍କ ଚାଲାଣ କୁଣ୍ଡଳୀ ବାହାର କରିଛନ୍ତି ଜଣେ ସ୍ମାର୍ଟ ଶ୍ଵଶୁର। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରୁ ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଜଣେ ୫୫ ବର୍ଷୀୟ ବ୍ୟକ୍ତି ନିଜ ଝିଅର ବିବାହ ସ୍ଥିର କରିବା ପୂର୍ବରୁ ଭାବୀ ଜ୍ୱାଇଁଙ୍କ ନାଁରେ ଗାଡ଼ିର କୌଣସି ଟ୍ରାଫିକ୍ ଚାଲାଣ ବାକି ଅଛି କି ନାହିଁ ଜାଣିବାକୁ ପୁଲିସକୁ ଅନୁରୋଧ କରିଛନ୍ତି । 
ପୁଲିସ କହିବା ଅନୁଯାୟୀ, ଝିଅର ବିବାହ ସ୍ଥିର କରିବା ପୂର୍ବରୁ ଜଣେ ବାପା ପାରମ୍ପରିକ ରୂପେ ଭାବୀ ଜ୍ୱାଇଁର ପୃଷ୍ଠଭୂମି ଯାଞ୍ଚ ପରିବର୍ତ୍ତେ ତା’ର ଦାୟିତ୍ୱବୋଧ ଓ ଗାଡ଼ିଚାଳନା ସମ୍ପର୍କିତ ବ୍ୟବହାର ବିଷୟରେ ଆକଳନ କରିବାକୁ ଚାହୁଁଥିଲେ। ବ୍ୟକ୍ତିଙ୍କର ଏଭଳି ଅନୁରୋଧ ବିଚାରପୂର୍ଣ୍ଣ ଓ ଅସାଧାରଣ ଥିଲା। ତାଙ୍କର ବିଶ୍ୱାସ, ଗାଡ଼ି ଚାଳନା ସମୟରେ ଜଣେ ବ୍ୟକ୍ତିଙ୍କ ଆଚରଣ ତାଙ୍କର ମୋଟାମୋଟି ଚରିତ୍ର ଓ ଶୃଙ୍ଖଳାକୁ ପ୍ରତିଫଳିତ କରେ । ଭାବୀ ଜ୍ୱାଇଁ ଦ୍ରୁତ ଗତିରେ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚଳାଇବା କିମ୍ବା ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଂଘନ ମାମଲାରେ ସମ୍ପୃକ୍ତ ଥିଲେ କି ନାହିଁ ସେ ଜାଣିବାକୁ ଚାହୁଁଥିଲେ । ତାଙ୍କ ଦାୟିତ୍ୱବୋଧକୁ ପୁଲିସ ଖୁବ୍ ପ୍ରଶଂସା କରିଛି । ପୁଲିସ ଅନୁସାରେ, ବ୍ୟକ୍ତି ଅନେକ ବର୍ଷ ପୂର୍ବେ ପତ୍ନୀଙ୍କୁ ହରାଇଥିଲେ ଏବଂ ଏକାକୀ ଝିଅର ଲାଳନପାଳନ କରିଥିଲେ । ଅନେକ ସଂଘର୍ଷ ସତ୍ତ୍ଵେ ଝିଅକୁ ପଢ଼ାଇ ଇଞ୍ଜିନିୟର କରାଇଛନ୍ତି । ନିକଟରେ ଝିଅର ବିବାହ ପାଇଁ ଏକ ଯୋଗ୍ୟ ପାତ୍ର ମିଳିବା ପରେ ସେ ଏକ କାର୍ ଓ ବାଇକ୍ର ପଞ୍ଜିକରଣ ନମ୍ବର ଜରିଆରେ ବର ବିଷୟରେ ଜାଣିବାକୁ ରାୟୁଡୁପାଲେମ ଟ୍ରାଫିକ୍ ପୁଲିସକୁ ଅନୁରୋଧ କରିଥିଲେ ।






