AK ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବୀରଭୂମିର ମୁରାରାଇଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ସିଧାସଳଖ ଭାରତୀୟ ଜନତା ପାର୍ଟି ଏବଂ ନିର୍ବାଚନ କମିଶନଙ୍କୁ ଟାର୍ଗେଟ୍ କରିଛନ୍ତି । ମମତା ଅଭିଯୋଗ କରିଛନ୍ତି ଯେ, ଏପ୍ରିଲ ୨୩ ଓ ୨୯ ତାରିଖରେ ହେବାକୁ ଥିବା ମତଦାନ ପୂର୍ବରୁ ତୃଣମୂଳ କଂଗ୍ରେସର ପ୍ରାୟ ୮୦୦ କର୍ମୀଙ୍କୁ ଗିରଫ କରିବା ପାଇଁ ଏକ ବଡ଼ ଧରଣର ସାଂଗଠନିକ ଷଡ଼ଯନ୍ତ୍ର କରାଯାଉଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପୂର୍ବରୁ ରାଜ୍ୟ ରାଜନୀତିରେ ପ୍ରକମ୍ପନ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବୀରଭୂମିର ମୁରାରାଇଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ସିଧାସଳଖ ଭାରତୀୟ ଜନତା ପାର୍ଟି ଏବଂ ନିର୍ବାଚନ କମିଶନଙ୍କୁ ଟାର୍ଗେଟ୍ କରିଛନ୍ତି । ମମତା ଅଭିଯୋଗ କରିଛନ୍ତି ଯେ, ଏପ୍ରିଲ ୨୩ ଓ ୨୯ ତାରିଖରେ ହେବାକୁ ଥିବା ମତଦାନ ପୂର୍ବରୁ ତୃଣମୂଳ କଂଗ୍ରେସର ପ୍ରାୟ ୮୦୦ କର୍ମୀଙ୍କୁ ଗିରଫ କରିବା ପାଇଁ ଏକ ବଡ଼ ଧରଣର ସାଂଗଠନିକ ଷଡ଼ଯନ୍ତ୍ର କରାଯାଉଛି। ଏହି ପ୍ରସଙ୍ଗରେ ଟିଏମସି ପକ୍ଷରୁ ହାଇକୋର୍ଟରେ ଏକ ପିଟିସନ ଦାୟର କରାଯାଇ ତୁରନ୍ତ ନ୍ୟାୟିକ ହସ୍ତକ୍ଷେପ ଲୋଡ଼ାଯାଇଥିବା ବେଳେ ମମତା ଏହି ଘଟଣାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଅଭିଭାଷଣରେ କେନ୍ଦ୍ରୀୟ ଏଜେନ୍ସି ଏବଂ ନିର୍ବାଚନ କମିଶନଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ଦାବି କରିଛନ୍ତି ଯେ ତାଙ୍କ ପାଖରେ ଏପରି ଏକ ତାଲିକା ରହିଛି ଯେଉଁଥିରେ ବିଜେପି ନିର୍ଦ୍ଦେଶରେ କେବଳ ଟିଏମସି କର୍ମୀମାନଙ୍କୁ ଟାର୍ଗେଟ୍ କରାଯାଇ ଗିରଫ କରିବାର ଯୋଜନା ପ୍ରସ୍ତୁତ ହୋଇଛି । କେବଳ ସେତିକି ନୁହେଁ, ସେ କେନ୍ଦ୍ରୀୟ ସୁରକ୍ଷା ବଳ ଉପରେ ଇଭିଏମ୍ ମେସିନରେ ହେରଫେର କରିବାର ସାଂଘାତିକ ଅଭିଯୋଗ ଆଣିବା ସହ ନିଜ କର୍ମୀଙ୍କୁ ଭୋଟ୍ ଗଣତି ଶେଷ ହେବା ଯାଏଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜନୈତିକ ରଣନୀତିକାର ସଂସ୍ଥା ଆଇ-ପ୍ୟାକକୁ ନିଷ୍କ୍ରିୟ କରିବା ପାଇଁ ହେଉଥିବା ଚେଷ୍ଟା ଏବଂ ପ୍ରଧାନମନ୍ତ୍ରୀଙ୍କ ଝାରଗ୍ରାମ ”ଝାଲମୁଢି” କାର୍ଯ୍ୟକ୍ରମକୁ ଏକ ସ୍କ୍ରିପ୍ଟେଡ୍ ଡ୍ରାମା କହି ସେ ବିଜେପିର ପ୍ରଚାର ଶୈଳୀକୁ ସମାଲୋଚନା କରିଛନ୍ତି। ଏହା ସହିତ ଦମଦମ୍ ବିମାନବନ୍ଦରରେ ତାଙ୍କ ହେଲିକପ୍ଟରକୁ ଉଦ୍ଦେଶ୍ୟମୂଳକ ଭାବେ ଅଟକାଇ ରଖାଯାଇ ତାଙ୍କ ପ୍ରଚାରରେ ବାଧା ସୃଷ୍ଟି କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନୀ ମଇଦାନରେ ମମତାଙ୍କ ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ଏବେ ସାରା ରାଜ୍ୟରେ ରାଜନୈତିକ ଉଷ୍ମତାକୁ ଆହୁରି ବଢ଼ାଇଦେଇଛି ।






