ଏ.କେ ବ୍ୟୁରୋ : ରାଜ୍ୟରେ ଆଇନଶୃଙ୍ଖଳାର ବିପର୍ଯ୍ୟସ୍ତ ସ୍ଥିତିକୁ ନେଇ ପୁଲିସକୁ ବିଭିନ୍ନ ଆଡ଼ୁ ସମାଲୋଚନା ହେଉଥିବାବେଳେ ରାଜ୍ୟ ସରକାର ପରବର୍ତ୍ତୀ ଡିଜି ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି। ପୁଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ମାସରେ ଶେଷ ହେଉଛି। ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଓ ୟୁପିଏସସିର ନୂଆ ଗାଇଡଲାଇନକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ ପରବର୍ତ୍ତୀ ଡିଜିପି ଚୟନ ପାଇଁ କସରତ ଜୋରଦାର ହୋଇଛି।
ଆଇପିଏସ ଚାକିରିରେ ୩୦ବର୍ଷ ସେବା ସମ୍ପୂର୍ଣ୍ଣ କରିଥିବା ମୋଟ ୧୧ଜଣ ବରିଷ୍ଠ ଆଇପିଏସଙ୍କ ନାଁ ସର୍ଟଲିଷ୍ଟ ହୋଇଛି। ରାଜ୍ୟ ସରକାର ଆସନ୍ତା ସପ୍ତାହରେ ୟୁପିଏସସି(କେନ୍ଦ୍ର ଲୋକସେବା ଆୟୋଗ)ଙ୍କ ନିକଟକୁ ପରବର୍ତ୍ତୀ ଡିଜିପି ଚୟନ ନିମନ୍ତେ ଏହି ୧୧ଜଣ ବରିଷ୍ଠ ଆଇପିଏସଙ୍କ ତାଲିକା ସହ ବିଧିବଦ୍ଧ ପ୍ରସ୍ତାବ ପଠାଇବେ ବୋଲି ଜଣାପଡ଼ିଛି।
ଗୃହ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ପୁଲିସ ମୁଖ୍ୟାଳୟକୁ ୧୯୯୪ରୁ ୧୯୯୬ ବ୍ୟାଚର ମୋଟ ୮ଜଣ ଆଇପିଏସ ଅଫିସରଙ୍କ ସମ୍ପର୍କରେ ତଥ୍ୟ ମଗାଯାଇଛି। ସେମାନଙ୍କ ନାଁରେ ବିଭାଗୀୟ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କିମ୍ବା ଅନ୍ୟ କୌଣସି ମାମଲା ରହିଛି କି ନାହିଁ ସେ ସମ୍ପର୍କିତ ତଥ୍ୟ ଦେବାକୁ ମଧ୍ୟ କୁହାଯାଇଛି। ଏ ସମ୍ପର୍କିତ ରିପୋର୍ଟ ମିଳିବା ପରେ ରାଜ୍ୟ ସରକାର ଆନୁଷ୍ଠାନିକ ଭାବେ ୟୁପିଏସସିଙ୍କ ନିକଟକୁ ପରବର୍ତ୍ତୀ ଡିଜିପି ଚୟନ ନିମନ୍ତେ ପ୍ରସ୍ତାବ ପଠାଇବେ ବୋଲି ଜଣାପଡ଼ିଛି। ପୂର୍ବରୁ ରାଜ୍ୟ ସରକାର ୩ଜଣ ବରିଷ୍ଠ ଆଇପିଏସଙ୍କ ତଥ୍ୟ ମାଗିଥିଲେ।
ୟୁପିଏସସିଙ୍କ ଗାଇଡଲାଇନକୁ ଆଧାର କରି ରାଜ୍ୟ ସରକାର ଆଜି ଆଉ ୮ଜଣ ଆଇପିଏସଙ୍କ ତଥ୍ୟ ମାଗିବା ସହ ମୋଟ୍ ୩୦ବର୍ଷ ଚାକିରି କାଳ ସମ୍ପୂର୍ଣ୍ଣ କରିଥିବା ସମସ୍ତ ୧୧ଜଣ ଆଇପିଏସଙ୍କ ନାଁକୁ ପରବର୍ତ୍ତୀ ଡିଜିପି ଚୟନ ତାଲିକାରେ ସାମିଲ କରିଛନ୍ତି ବୋଲି ଜଣାପଡ଼ିଛି । ୟୁପିଏସସିର ନୂଆ ନିୟମ ଅନୁଯାୟୀ ଯେଉଁ ଆଇପିଏସ୍ ଅଫିସର ୩୦ ବର୍ଷର ସେବା ସମ୍ପୂର୍ଣ୍ଣ କରିଛନ୍ତି, ସେମାନଙ୍କ ନାମ ଡିଜିପି ଚୟନ ନିମନ୍ତେ ୟୁପିଏସସିକୁ ପଠାଇବା ବାଧ୍ୟତାମୂଳକ କରାଯାଇଛି।

ପରବର୍ତ୍ତୀ ପୁଲିସ ଡିଜି ଦୌଡ଼ରେ ୧୯୯୦ ବ୍ୟାଚ ଆଇପିଏସ୍ ଅଗ୍ନିଶମ ସେବା ଡିଜି ସୁଧାଂଶୁ ଷଡ଼ଙ୍ଗୀ,
୧୯୯୩ ବ୍ୟାଚର ଜେଲ୍ ଡିଜି ସୁଶାନ୍ତ ନାଥ ଓ ଗୁଇନ୍ଦା ଡିଜି ଆରପି. କୋଚେଙ୍କ ନାମ ସର୍ବାଗ୍ରେ ରହିଛି।
ଏମାନଙ୍କ ସମେତ ୧୯୯୪ ବ୍ୟାଚର ସଞ୍ଜିବ ପଣ୍ଡା ଓ ଯଶବନ୍ତ ଜେଠୁୱା,୧୯୯୫ ବ୍ୟାଚର ରିତୁ ଅରୋରା, ସୌମେନ୍ଦ୍ର ପ୍ରିୟଦର୍ଶୀ, ପିଏସ. ରଣପିସେ ଓ ସନ୍ତୋଷ ବାଲାଙ୍କ ନାମ ଥିବାବେଳେ ୧୯୯୬ ବ୍ୟାଚର ଅରୁଣ ବୋଥ୍ରା ଓ ସୁନୀତା କାକରନଙ୍କୁ ମଧ୍ୟ ସର୍ଟଲିଷ୍ଟରେ ସ୍ଥାନ ମିଳିଛି। ତେବେ ସର୍ଟଲିଷ୍ଟ ହୋଇଥିବା ଆଇପିଏସ୍ ରିତୁ , ରଣପିସେ ଓ ସୁନୀତା ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ପୁଲିସ ଡିଜି ଚୟନ ନିମନ୍ତେ ୨୦୨୬ ଜାନୁଆରୀ ୮ତାରିଖରେ ୟୁପିଏସସିଙ୍କ ଦ୍ୱାରା ଓଡ଼ିଶା ସମେତ ସମସ୍ତ ରାଜ୍ୟ ପାଇଁ ସଂଶୋଧିତ ଗାଇଡଲାଇନ୍ ଜାରି ହୋଇଥିଲା। ଏହି ଆଧାରରେ ଡିଜିପି ପଦବୀ ଖାଲି ହେବାର ଅଢ଼େଇ ମାସ ପୂର୍ବରୁ ରାଜ୍ୟ ସରକାର ଚୟନ ପ୍ରକ୍ରିୟା ଶେଷ କରି ୟୁପିଏସସିକୁ ପ୍ରସ୍ତାବ ପଠାଇବା ଜରୁରୀ। ଯଦି କୌଣସିକାରଣରୁ ଏଥିରେ ବିଳମ୍ବ ହୁଏ, ତେବେ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଏନେଇ ସୁପ୍ରିମକୋର୍ଟଙ୍କୁ ଜବାବ ଦେବାକୁ ପଡ଼ିବ। ଏହାବ୍ୟତୀତ କୌଣସି ପରିସ୍ଥିତିରେ ରାଜ୍ୟ ସରକାର ନିଜ ଇଚ୍ଛାରେ ‘କାମଚଳା ଡିଜିପି’ ବା ଆକ୍ଟିଙ୍ଗ୍ ଡିଜିପି ନିଯୁକ୍ତ କରିପାରିବେ ନାହିଁ।
ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଓ ୟୁପିଏସସିର କଡ଼ା ଆଭିମୁଖ୍ୟ ଯୋଗୁଁ ଓଡ଼ିଶା ସରକାର ସମୟ ପୂର୍ବରୁ ସମସ୍ତ ଯୋଗ୍ୟ ଅଧିକାରୀଙ୍କ ସର୍ଭିସ ରେକର୍ଡ ଯାଂଚ କରି ଆସନ୍ତା ସପ୍ତାହରେ କେନ୍ଦ୍ରକୁ ରିପୋର୍ଟ ପଠାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହି ୧୧ ଜଣଙ୍କ ମଧ୍ୟରୁ ବରିଷ୍ଠତା, କାର୍ଯ୍ୟଦକ୍ଷତା ଓ ପରଫର୍ମାନ୍ସ ଭିତ୍ତିରେ ୩ଜଣଙ୍କୁ ୟୁପିଏସସି କର୍ତ୍ତୃପକ୍ଷ ଚୟନ କରି ରାଜ୍ୟକୁ ଫେରସ୍ତ ପଠାଇବେ, ଯେଉଁଥିରୁ ଜଣଙ୍କୁ ନୂଆ ପୁଲିସ ମୁଖ୍ୟ(Police DG) ଭାବେ ରାଜ୍ୟ ସରକାର ନିଯୁକ୍ତି ଦେବେ ବୋଲି ଜଣାପଡ଼ିଛି।






