ପଞ୍ଜାବ(ଏ.କେ. ବ୍ୟୁରୋ):ପଞ୍ଜାବର ଶିଳ୍ପ ଓ ଶକ୍ତି ମନ୍ତ୍ରୀ ସଞ୍ଜୀବ ଅରୋରାଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଗିରଫ କରିଛି। ନୂଆ କରି ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଇଡି ଆଜି ସଞ୍ଜୀବଙ୍କ ବିଭିନ୍ନ ଠିକଣାରେ ରେଡ କରିବା ପରେ ଏପରି ଗିରଫଦାରୀ କରିଛି। ଇଡିର ଗିରଫଦାରୀ ପରେ ପଞ୍ଜାବରେ କ୍ଷମତାସୀନ ଆପ ଓ କେନ୍ଦ୍ରରେ ଥିବା ବିଜେପି ସରକାର ମଧ୍ୟରେ ରାଜନୀତିକ ବିବାଦ ତୀବ୍ର ହୋଇଛି।
ଶନିବାର ସକାଳୁ ଇଡିର ଗୋଟିଏ ଟିମ ସଞ୍ଜୀବଙ୍କ ଚଣ୍ଡିଗଡ଼ ସେକ୍ଟର ୨ ସ୍ଥିତ ସରକାରୀ ବାସଭବନରେ ପହଞ୍ଚିଥିଲା। ସକାଳ ୭ଟାରେ ପହଞ୍ଚିଥିବା ଟିମ ୭.୨୫ରୁ ରେଡ ଆରମ୍ଭ କରିଥିଲା। ଅଧିକାରୀମାନେ ୨୦ଟି ଗାଡ଼ିରେ ଆସିଥିଲେ। ରେଡ ବେଳେ ପ୍ରାୟ ୪୦ ଜଣ ସିଆଇଏ ଓ ସ୍ପେଶାଲ ଫୋର୍ସ କର୍ମଚାରୀ ବାହାରେ ମୁତୟନ ହୋଇଥିଲେ। ଚଣ୍ଡିଗଡ଼ ବ୍ୟତୀତ ଦିଲ୍ଲୀ ଓ ଗୁରୁଗ୍ରାମର ଉଦୟ ବିହାରର ଦୁଇଟି ଠିକଣାରେ ମଧ୍ୟ ଇଡି ରେଡ କରିଛି।

ପ୍ରିଭେସନ ଅଫ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଥିବା ଅପରାଧିକ ପ୍ରୋଭିଜନରେ ରୁଜୁ ମାମଲାରେ ଇଡି ଏପରି ପଦକ୍ଷେପ ନେଇଛି। ଇଡି ଅଭିଯୋଗ କରିଛି ଯେ ଏହି ତଦନ୍ତ ୧୦୦ କୋଟିରୁ ଅଧିକ ମୂଲ୍ୟର ମୋବାଇଲ କିଣିବା ବେଳେ ପ୍ରସ୍ତୁତ ହୋଇଥିବା ନକଲି ଜିଏସଟି ରସିଦ ସହ ଜଡ଼ିତ। ଏହି ଜିଏସଟି ରସିଦକୁ ବେଆଇନ ଭାବେ ଦୁବାଇରୁ ଭାରତକୁ ଯିବା ଆସିବା ପାଇଁ ବ୍ୟବହାର କରାଯାଇଥିଲା। ଏଜେନ୍ସିର କହିବା କଥା ଯେ ନକଲି ଇନପୁଟ ଟିକସ କ୍ରେଡିଟ ଦାବି ପାଇଁ ଦିଲ୍ଲୀରେ ଗୋଟିଏ କାଳ୍ପନିକ କମ୍ପାନୀ ଠାରୁ ଏପରି ନକଲି ରସିଦ ହାସଲ କରାଯାଇଥିଲା।
ଏହାପୂର୍ବରୁ ପ୍ରାୟ ମାସକ ତଳେ ଇଡି ପକ୍ଷରୁ ସଞ୍ଜୀବ ଓ ତାଙ୍କ ସହ ଜଡ଼ିତ କମ୍ପାନୀ ଗୁଡ଼ିକରେ ରେଡ କରାଯାଇଥିଲା। ଫେମା ଆଇନ ବଳରେ ଏପରି ରେଡ ହୋଇଥିଲା। ତଦନ୍ତ ସମୟରେ ଇଡି ହାମ୍ପଟନ ସ୍କାଏ ରିୟଲିଟୀ ଲିଃ, ସଞ୍ଜୀବ ଅରୋରା ଓ ତାଙ୍କ ସହ ଜଡ଼ିତ ସଂସ୍ଥାଗୁଡ଼ିକ ପ୍ରାୟ ୧୫୭.୧୨ କୋଟିର ସମ୍ପତ୍ତିକୁ ଆଟାଚ ବି କରିଥିଲା।
୬୧ ବର୍ଷୀୟ ସଞ୍ଜୀବ ଅରୋରା ହେଉଛନ୍ତି ଆପର ୱେଷ୍ଟ ଲୁଧିଆନା ବିଧାୟକ। ସେ ପୂର୍ବରୁ ତଦନ୍ତରେ ସହଯୋଗ କରିବେ ଓ ସତ୍ୟ ସାମ୍ନାକୁ ଆସିବ ବୋଲି ଦମ୍ଭୋକ୍ତି କରିଥିଲେ। ହେଲେ ଏବେ ଇଡି ତାଙ୍କୁ ଗିରଫ କରିଛି।
ଅନ୍ୟପକ୍ଷରେ ସଞ୍ଜୀବ ଅରୋରାଙ୍କ ଗିରଫଦାରୀକୁ ସହଜରେ ଗ୍ରହଣ କରିନି ଆପ୍। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି ଯେ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ସରକାର ବିରୋଧୀ ଦଳଗୁଡ଼ିକ ବିରୋଧରେ ଇଡି ଓ ସିବିଆଇକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି। ତେବେ ଇଡି ଓ ବିଜେପିର ଅନୈତିକ ମେଣ୍ଟର ପରିସମାପ୍ତି ପଞ୍ଜାବରୁ ହିଁ ଆରମ୍ଭ ହେବ ବୋଲି ସେ କହିଛନ୍ତି।
ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଗିରଫଦାରୀକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ସେ କହିଛନ୍ତି, ବିଗତ କିଛି ବର୍ଷ ଧରି ପଞ୍ଜାବ କେନ୍ଦ୍ର ସରକାରଙ୍କ ଦ୍ୱାରା ଅବହେଳିତ ହୋଇ ଆସିଛି।
ବେଙ୍ଗଲ ନିର୍ବାଚନ ସରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏବେ ପଞ୍ଜାବରେ ଦୈନିକ ଇଡି ରେଡ ଆରମ୍ଭ କରିଛନ୍ତି। ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ଥିବାରୁ ଏପରି ଘଟଣା ଘଟିଥିବା କେଜ୍ରିୱାଲ ଅଭିଯୋଗ କରିଛନ୍ତି।






