ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ଗାନ୍ଧୀଙ୍କ ସତ୍ୟ, ଅହିଂସା ଓ ସ୍ୱଚ୍ଛତାର ଆଦର୍ଶକୁ ସ୍ମରଣ କରି ବିଜେଡି ନେତା ଶ୍ରୀ ଅଶୋକ କୁମାର ମାହାଙ୍କୁଡଙ୍କ ନେତୃତ୍ୱରେ ଶତାଧିକ ନେତା ଓ କର୍ମୀ ପ୍ରଥମେ କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ବଡ଼ବଜାର ସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ନଗର ବିଜେଡି ସଭାପତି ଶ୍ରୀ ପ୍ରଭାତ କୁମାର ପଟ୍ଟନାୟକ, ବ୍ଲକ ସଭାପତି ଶ୍ରୀ ନୀଳମଣି ପଣ୍ଡା, ଛାତ୍ର ବିଜେଡି ସଭାପତି ଶ୍ରୀ ସୁନୀଲ ବେହେରା, ଯୁବ ନଗର ସଭାପତି ଶ୍ରୀ ମନୋଜ କୁମାର ଗୌଡ଼, ସୋସିଆଲ ମିଡିଆ ସଂଯୋଜକ ଶ୍ରୀ ଜଗନ୍ନାଥ ସାହୁ, ରାଣଝାଲୀ ସରପଞ୍ଚ ପ୍ରତିନିଧି ଶ୍ରୀ ଭଗବାନ ପ୍ରଧାନ ଏବଂ ବିଜେଡି କାଉନସିଲର ଶ୍ରୀ ଭାଗିରଥି ବେହେରାଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ। ଅପରପକ୍ଷେ ଏହି ଜାତୀୟ ଦିବସ ଅବସରରେ ସ୍ଥାନୀୟ ବିଜେପି ଓ କଂଗ୍ରେସ ଦଳର ନେତା ଓ କର୍ମୀଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ପାଲଟିଛି। ଗାନ୍ଧୀ ଜୟନ୍ତୀ ଭଳି ଜାତୀୟ କାର୍ଯ୍ୟକ୍ରମରେ କ୍ଷମତାସୀନ ବିଜେପିର ଅନୁପସ୍ଥିତିକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ନାନା ପ୍ରଶ୍ନ ଉଠିଛି। ଏହା ଦଳୀୟ ଅନ୍ତଃକନ୍ଦଳର ପରିଣାମ ନା ଅନ୍ୟ କିଛି କାରଣ ରହିଛି, ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି।






