ଏ.କେ ବ୍ୟୁରୋ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ବାଦିଗଡ଼ ଗ୍ରାମ ପଞ୍ଚାୟତର ଗୋଡ଼ିପୁଟ ଗ୍ରାମରେ ପିଇବା ପାଣିର ଉତ୍କଟ ସମସ୍ୟା ଦେଖାଦେଇଛି। ବିଶେଷ କରି ଗ୍ରାମର ଉପର ସାହିରେ ବସବାସ କରୁଥିବା ପରିବାରଗୁଡ଼ିକ ପାଣି ମୁନ୍ଦାଏ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି।

ସରକାରୀ ସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ଦାବି କରାଯାଉଥିଲେ ମଧ୍ୟ, ଏହି ଗ୍ରାମର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଉପର ସାହିରେ ଥିବା ପାନୀୟ ଜଳ ପ୍ରକଳ୍ପ କିମ୍ବା ନଳକୂପ ଅଚଳ ହୋଇ ପଡ଼ିଥିବାରୁ ଲୋକେ ପାଣି ପାଇଁ ଦୂର ସ୍ଥାନକୁ ଯିବାକୁ ବାଧ୍ୟ ହେଉଛନ୍ତି। ମହିଳାମାନେ ଦୈନନ୍ଦିନ କାର୍ଯ୍ୟ ଛାଡ଼ି ପାଣି ସଂଗ୍ରହ କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି। ଏହି ସମସ୍ୟା ବାବଦରେ ସ୍ଥାନୀୟ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ କରାଯାଉ ନାହିଁ। ଗ୍ରାମରେ ପିଇବା ପାଣିର ସୁବିଧା ନଥିବାରୁ ଲୋକେ ଅନେକ ସମୟରେ ଅସ୍ୱାସ୍ଥ୍ୟକର ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି, ଯାହା ଫଳରେ ଜଳବାହିତ ରୋଗର ଭୟ ମଧ୍ୟ ବଢ଼ିବାରେ ଲାଗିଛି। ବାଦିଗଡ଼ ପଞ୍ଚାୟତର ଏହି ଗ୍ରାମ ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଗ୍ରାମବାସୀମାନେ ଦୃଢ଼ ଦାବି କରିଛନ୍ତି। ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହୁଏ, ତେବେ ଗ୍ରାମବାସୀ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି
ଶ୍ୟାମ ଖିଲ୍ଲାଙ୍କ ରିପୋର୍ଟ ଆପଣଙ୍କ ଖବର






