ଏ.କେ ବ୍ୟୁରୋ : ମହାବଳୀ ଯାତ୍ରା-୨୦୨୬ ଅବସରରେ ସ୍ଥାନୀୟ ଖମ୍ବେଶ୍ୱରୀ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି ଏକ ଭାବ ଓ ଭକ୍ତିରେ ଭରପୂର ଭଜନ ସନ୍ଧ୍ୟା। ପାତାଳୀ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଗ୍ରୁପ୍ ପକ୍ଷରୁ ପରିବେଷିତ ମନମୁଗ୍ଧକର ଭଜନରେ ମନ୍ଦିର ପରିସର ଭକ୍ତିମୟ ହୋଇଉଠିଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ଭଜନର ଆନନ୍ଦ ଉପଭୋଗ କରିଥିଲେ।
ଯାତ୍ରା କମିଟିର ସଭାପତି ମଧୁସୂଦନ ମେହେରଙ୍କ ପରିଚାଳନାରେ ଏବଂ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସଂଯୋଜନାରେ ଏହି ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଠଶିଳ୍ପୀ ଇପ୍ସିତା ପ୍ରିୟଦର୍ଶିନୀ ପାଢ଼ୀ, ଅର୍ପିତା ମହାନ୍ତି, ଅପର୍ଣ୍ଣା ଅପରୂପା ମହାନ୍ତି, ସୁଦର୍ଶନ ବିଶ୍ୱାଳ, ମହେଶ ଶତପଥୀ, ପଦ୍ମଲୋଚନ ସାହୁ ଓ କାର୍ତ୍ତିକ ଭୋକ୍ତା ପ୍ରମୁଖ ଭକ୍ତିରସାତ୍ମକ ଭଜନ ପରିବେଷଣ କରି ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମନ ମୋହିଥିଲେ। ସେହିପରି ରାଜେଶ ଶତପଥୀ, କାର୍ତ୍ତିକ ଭୋକ୍ତା, ବିମଳ ଥାପା, ପୃଥିରାଜ ଜଗଦଲା ଓ ମନୋରଞ୍ଜନ ଭୋଇ ପ୍ରମୁଖ ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗ କରି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲେ। ଭଜନର ସୁମଧୁର ସ୍ୱର, ବାଦ୍ୟଯନ୍ତ୍ରର ତାଳ ଓ ଭକ୍ତିଭରା ସଙ୍ଗୀତରେ ଖମ୍ବେଶ୍ୱରୀ ମନ୍ଦିର ପରିସର ଏକ ଆଧ୍ୟାତ୍ମିକ ପରିବେଶରେ ପରିଣତ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମହାବଳୀ ଯାତ୍ରାର ଏହି ଭଜନ କାର୍ଯ୍ୟକ୍ରମ ଏକ ସ୍ମରଣୀୟ ଆଧ୍ୟାତ୍ମିକ ଅନୁଭୂତି ହୋଇ ରହିଥିଲା।
ସୋନପୁର ରୁ ଯୁଧିଷ୍ଠିର ଖମାରୀଙ୍କ ରିପୋର୍ଟ ଆପଣଙ୍କ ଖବର






