AK ପୁଲିସ୍କୁ ନାହିଁ ଭୟ, କଥା କଥାରେ ହଣା କଟା । ରାଜ୍ୟରେ ଉପର ମୁହାଁ ଅପରାଧ । କଣାସରେ ରାସ୍ତା ଉପରେ ଯୁବକଙ୍କୁ ହାଣିବା ପରେ ବୁଲେଟ୍ ଚଢ଼ାଇ ହତ୍ୟା ଉଦ୍ୟମ । ଢେଙ୍କାନାଳ ଭାପୁରରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହାଣି ପକାଇଥିଲେ ଦୁର୍ବୃତ୍ତ । ଅପରାଧୀଙ୍କ ରହୁନି ପୁଲିସ୍କୁ ଭୟ । କଥା କଥାରେ ବୁଲୁଛି, ଖଣ୍ଡା ଭୁଜାଲି । ହଣା କଟା ସହ ଛାତି ଥରି ଉଠିବା ଭଳି ବୀଭତ୍ସ ହତ୍ୟା। ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ବୀଭତ୍ସ ଅପରାଧର ଖବର ସାମ୍ନାକୁ ଆସିଛି, ଯାହା ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଛି। ପୁରୀ ଜିଲ୍ଲା କଣାସ ଗୋଲାବଜାର ମାଛ ମାର୍କେଟରେ ଯୁବକଙ୍କୁ ଆକ୍ରମଣ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଗିରଫ ହୋଇଛନ୍ତି ଅଭିଯୁକ୍ତ। ଆକ୍ରମଣ ଘଟଣାରେ ବ୍ୟବହୃତ ମାଛକଟା ପନିକି ଓ ଦୁଇଟି ମୋବାଇଲକୁ ପୁଲିସ ଜବତ କରିଛି। ଆକ୍ରମଣରେ ବ୍ୟବହାର ହୋଇଥିବା ଅଭିଯୁକ୍ତଙ୍କ ବାଇକ୍ ଓ ଅନ୍ୟ ଜିନିଷ ଖୋଜୁଛି ପୁଲିସ । ସେପଟେ ଏମ୍ସରେ ଚିକିତ୍ସିତ ହେଉଥିବା ଯୁବକଙ୍କ ଗୋଡ଼ କଟାଯାଇଥିବା ବେଳେ ଏବେବି ସଂକଟାପନ୍ନ ରହିଛି ସ୍ବାସ୍ଥ୍ୟାବସ୍ଥା ।

ରାସ୍ତା ମଝିରେ ଯୁବକଙ୍କୁ ପନିକିରେ ହାଣିବା ସହ ମୁଣ୍ଡ ଉପରେ ବାଇକ୍ ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ ଅଭିଯୁକ୍ତ। ସେହିପରି ଢେଙ୍କାନାଳ ଭାପୁରରେ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଭାପୁର ଫାଣ୍ଡି ଠାରୁ ମାତ୍ର ୨ଶହ ମିଟର ଦୂରରେ ସାପୁଆ ନଦୀ ଘାଟରେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିଲା। ପୀଡ଼ିତାଙ୍କ ମୁହଁକୁ ଦୃର୍ବୁତ୍ତ ନିଷ୍ଠୁର ଭାବରେ ହାଣିବା ସହିତ ପାଣିରେ ବୁଡ଼ାଇ ମାରିବାକୁ ଉଦ୍ୟମ କରାଯାଇଥିଲା। ଏବେ ବି ପୀଡ଼ିତା କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଘଟଣାକୁ ୭ ଦିନ ବିତିଯାଇଥିଲେ ବି ଅଭିଯୁକ୍ତକୁ ପୁଲିସ ଧରିବାରେ ସକ୍ଷମ ହୋଇପାରିନାହିଁ । ପୀଡ଼ିତାଙ୍କ ପରିବାର ଓ ବସ୍ତି ବାସିନ୍ଦା ଢେଙ୍କାନାଳ ଏସ୍ପିଙ୍କୁ ଦେଖା କରି ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ଦାବିପତ୍ର ଦେଇଛନ୍ତି । ସେପଟେ ପୀଡିତାଙ୍କ ପରିବାକୁ ଭେଟିଛନ୍ତି ଖାଉଟି ମନ୍ତ୍ରୀ କୃଷ୍ଣ ପାତ୍ର। ଏଥିସହ ଶୀଘ୍ର ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବଲାଙ୍ଗୀର କଣ୍ଟାବାଞ୍ଜିରେ ପ୍ରେମ ନିବେଦନ ଗ୍ରହଣ ନକରିବାରୁ ଭାଇବୋହୂକୁ ବୀଭତ୍ସ ହତ୍ୟା । ପଥରରେ ଛେଛି ହତ୍ୟା କଲା ଅଭିଯୁକ୍ତ ଦେଡ଼ଶୁର ଭାଜରାଜ ସାହୁ। ଅନେକ ଦିନ ଧରି ଭାଇ ବୋହୂକୁ ପ୍ରେମ ନିବେଦନ କରି ଆସୁଥିଲେ ଦେଡ଼ଶୁର ଭଜରାଜ ସାହୁ। ଶେଷରେ ନିଜ ଭାଇବୋହୂକୁ ପଥରରେ ଛେଚି କରିଥିଲା ହତ୍ୟା ।






