ବାଲିକୁଦା ମରିଚପୁର ମଶାଣିରେ ଦେଖିବାକୁ ମିଳିଛି ଏଭଳି ଘଟଣା। ମଶାଣିରେ ହୋଇଥିବା ପୂଜା ସ୍ଥାନରେ ପଡ଼ିଛି କଳସ, ସିନ୍ଦୂର, ଫୁଲ, କୁକୁଡ଼ା ମୁଣ୍ଡ ଏବଂ ଯୁବକ ଯୁବତୀଙ୍କ ଫଟୋ। ଉକ୍ତ ଶ୍ମଶାନ ନିକଟରେ ଓଷକଣା ପଞ୍ଚାୟତର ଗୋଟିଏ ପରିବାରର ୨ ଭାଇ ଭଉଣୀଙ୍କ ଫଟୋଚିତ୍ରରେ ରକ୍ତ ଓ ସିନ୍ଦୂର ଲଗାଯାଇଛି। ୨ଟି କଣ୍ଢେଇ କରି ସେଥିରେ ମଙ୍ଗଳସୂତ୍ର ପିନ୍ଧାଯାଇଛି। ଏପରିକି ସେଠାରେ ନାଲି ଶଙ୍ଖା ସିନ୍ଦୂର ସହ ମାଟିହାଣ୍ଡି ପଡ଼ିଥିବା ବେଳେ ଏକ ମୃତ ଦେଶୀ କୁକୁଡ଼ା ମଧ୍ୟ ଦେଖିବାକୁ ମିଳିଛି।ବକୁଳ ଅମାବାସ୍ୟା ରାତିରେ ଯୁବକ ଯୁବତୀଙ୍କ ଫଟୋ ସହିତ ପୂଜା ସ୍ଥାନକୁ ଦେଖି ଗାଁ ଲୋକମାନଙ୍କ ମଧ୍ୟରେ ଗୁଣି ଗାରେଡ଼ି ସନ୍ଦେହ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଅପଣ୍ଡରା ପଞ୍ଚାୟତର ଜଣେ ବିବାହିତ ଯୁବକ ଭୁବନେଶ୍ୱରରେ ରୁହନ୍ତି। ସେ ଫଟୋଥିବା ଯୁବତୀଙ୍କୁ ଭୁବନେଶ୍ୱରରେ ରଖି ପାଠ ପଢ଼ାଉଥିଲେ। ତାଙ୍କୁ ନିଜର ଭାବି ତାଙ୍କ ନାମରେ ଭୁବନେଶ୍ୱରରେ ପ୍ଲଟ ଓ ଗାଡ଼ି ମୋଟର କିଣିଥିଲେ। ମାତ୍ର ଯୁବତୀ ଜଣକ ଗତ କିଛି ଦିନ ହେବ ସମ୍ପୃକ୍ତ ଯୁବକଙ୍କୁ ଧରାଛୁଆଁ ଦେଉନାହାନ୍ତି। ତେଣୁ ପ୍ରେମିକାଙ୍କୁ ଆପଣାଇବା ପାଇଁ ସମ୍ପୃକ୍ତ ଯୁବକ ତନ୍ତ୍ରବିଦ୍ୟାର ସହାୟତା ନେଉଥିବା ନେଇ ଚର୍ଚ୍ଚା ହେଉଛି।
ପ୍ରେମିକାଙ୍କ ନାଁରେ ଗାଁ ମଶାଣିରେ ହୋଇଛି ପୂଜାର୍ଚ୍ଚନା, ଗୁଣି ଗାରେଡ଼ି ସନ୍ଦେହ






